ଦିଲ୍ଲୀ ଏୟାରପୋର୍ଟରେ ଛିଡ଼ା ହୋଇଥିବା ସ୍ପାଇସଜେଟ୍ ବିମାନରେ ନିଆଁ

ନୂଆଦିଲ୍ଲୀ : ଦିଲ୍ଲୀ ଏୟାରପୋର୍ଟରେ ଛିଡ଼ା ହୋଇଥିବା ସ୍ପାଇସଜେଟ୍ ବିମାନରେ ନିଆଁ ଲାଗିଥିବା ଖବର ମିଳିଛି । ଇଂଜିନିୟରମାନଙ୍କ ଦ୍ବାରା ନିୟମିତ ରକ୍ଷଣାବେକ୍ଷଣ ବେଳେ ଇଂଜିନରେ ନିଆଁ ଜଳୁଥିବା ଦେଖିବାକୁ ମିଳିଥିଲା । କିନ୍ତୁ ଏଥିରେ ଇଂଜିନିୟରମାନଙ୍କ କୌଣସି କ୍ଷତି ହୋଇନାହିଁ । ଇଂଜିନରେ ନିଆଁ ଲାଗିବା ଜଣାପଡ଼ିବା ପରେ ଇଂଜିନିୟରମାନେ ତୁରନ୍ତ ଏୟାରପୋର୍ଟର ଅଗ୍ନିଶମ ବାହିନୀକୁ ଡକାଇଥିଲେ । ଅଗ୍ନିଶମ କର୍ମଚାରୀମାନେ ଆସି ନିଆଁ ଲିଭାଇଥିଲେ । ତେବେ ସ୍ପାଇସଜେଟ ବିମାନରେ ନିଆଁ ଲାଗିଥିବାବେଳେ ଅନ୍ୟ ଏକ ବିମାନରେ ବସିଥିବା ଜଣେ ଯାତ୍ରୀ ତାହାର ଭିଡିଓ ରେକର୍ଡ କରିଥିଲେ ।

ଏହି ଘଟଣାଟି ଏପରି ଦିନରେ ଘଟିଛି ଯେଉଁଦିନ ଡିଜିସିଏ ସ୍ପାଇଶଜେଟକୁ ନିଜର ସତର୍କ ପର୍ଯ୍ୟବେକ୍ଷଣ ବ୍ୟବସ୍ଥା ବାହାର କରିଥିଲେ । ପୂର୍ବରୁ ସୁରକ୍ଷା ଚିନ୍ତା ଯୋଗୁଁ ସ୍ପାଇସଜେଟକୁ ଏହି ବ୍ୟବସ୍ଥା ମଧ୍ୟରେ ରଖାଯାଇଥିଲା ।

ସ୍ପାଇସ୍ ଜେଟର ବୋଇଂ ୭୩୭ ଏବଂ କ୍ୟୁ-୪୦୦ ଫ୍ଲିଟର ୧୧ଟି ସ୍ଥାନରେ ୫୧ଟି ସ୍ପଟ୍ ଯାଞ୍ଚ କରାଯିବା ପରେ ଏହି ନିଷ୍ପତ୍ତି ନିଆଯାଇଛି। ଏହି ସମୟ ମଧ୍ୟରେ ମୋଟ ୨୩ଟି ବିମାନର ଯାଞ୍ଚ କରାଯାଇଥିଲା ଏବଂ ଡିଜିସିଏ ଟିମ୍ ୯୫ଟି ପର୍ଯ୍ୟବେକ୍ଷଣ କରିଥିଲେ।

ଗତବର୍ଷ ଏହି ଏୟାରଲାଇନ୍ସରେ ବାରମ୍ବାର ସୁରକ୍ଷାଜନିତ ତ୍ରୁଟି ଦେଖାଯିବା ପରେ ଡିଜିସିଏ ଏପରି ପଦକ୍ଷେପ ନେଇଥିଲା । ନିଜର ସୁରକ୍ଷା ମାନଦଣ୍ଡକୁ ବୃଦ୍ଧି କରାଯିବା ପରେ ସ୍ପାଇସଜେଟ୍ ଏହି ବ୍ୟବସ୍ଥାରୁ ବାହାରକୁ ଆସିଛି ।

Spread the love