ନବ ଦାସ ହତ୍ୟା ମାମଲା: ଡିଏଚ୍‌ଏଚ୍‌ ଟିକେଟ ଖୋଲିଲା ଚିକିତ୍ସା ଗୁମର, ରେଫରାଲ୍‌ ବ୍ୟତୀତ ଆଉ କିଛି ନାହିଁ

ଝାରସୁଗୁଡ଼ା: ବହୁଚର୍ଚ୍ଚିତ ନବ ଦାସ ହତ୍ୟା ମାମଲାକୁ ନେଇ ଚର୍ଚ୍ଚା ଥମିବାର ନାଁ ଧରୁନି। ନବ ଦାସଙ୍କୁ ଗୁଳିମାଡ଼ ହେବା ପରେ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଶ୍ରୀ ଦାସଙ୍କର ଚିକିତ୍ସା ହୋଇଥିଲା ନା ନାହିଁ ତାକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଶ୍ରୀ ଦାସଙ୍କୁ ଭର୍ତ୍ତି କରାଯିବା ସମୟରେ ଲେଖାଯାଇଥିବା ଓପିଡି ଟିକେଟ୍‌, ଡାକ୍ତରଙ୍କ ଦ୍ବାରା ପ୍ରସ୍ତୁତ ଇଞ୍ଜୁରି ରିପୋର୍ଟ ଓ କ୍ରାଇମ୍‌ବ୍ରାଞ୍ଚର ଚିଠି ‘ସମ୍ବାଦ’ର ହସ୍ତଗତ ହେବା ପରେ ଏହି ତମାମ୍‌ ଦିଗ ଏବେ ଚର୍ଚ୍ଚାକୁ ଆସିଛି। ହସ୍ତଗତ ହୋଇଥିବା ଓପିଡି ଟିକେଟ୍‌ରେ ଶ୍ରୀ ଦାସଙ୍କୁ କେବଳ ଉଚ୍ଚତର ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିବା ସମ୍ପର୍କରେ ଉଲ୍ଳେଖ ରହିଥିବା ବେଳେ ଘଟଣା ସମୟରେ ତାଙ୍କର ରକ୍ତଚାପ, ହୃତ୍‌ ସ୍ପନ୍ଦନ କେତେ ଥିଲା, ଡାକ୍ତର ଆଉ କ’ଣ ଦେଖିଲେ, ଏଠାରେ ଶ୍ରୀ ଦାସଙ୍କର କ’ଣ ଚିକିତ୍ସା କରାଗଲା ସେସମ୍ପର୍କରେ ଗୋଟିଏ ବି ପଦ ଉଲ୍ଳେଖ ନାହିଁ। ଘଟଣା ସମ୍ପର୍କରେ ଇଞ୍ଜୁରି ରିପୋର୍ଟ ଲେଖିଥିବା ଡା.ଡୋଳାମଣି ତାଣ୍ଡିଙ୍କୁ ପଚାରିବାରେ କେବଳ ସିଡିଏମ୍‌ଓ ହିଁ ଏନେଇ କହିପାରିବେ ବୋଲି ଉତ୍ତର ରଖିଥିଲେ। ସିଡିଏମ୍‌ଓ ଡା.ଡୋଳାମଣି ପଟେଲଙ୍କୁ ପଚାରିବାରେ, ମେଡିକାଲ ଏଥିକ୍ସ ଅନୁସାରେ ଡାକ୍ତର ଟିକେଟରେ ତାଙ୍କର ସମସ୍ତ ନିରୀକ୍ଷଣ ଓ ଚିକିତ୍ସା ଲେଖିବା କଥା ବୋଲି କହିଥିଲେ। ମାତ୍ର ଟିକେଟ୍‌ରେ କାହିଁକି ଲେଖାଗଲା ନାହିଁ ତାହା ସେସମୟରେ କାର୍ଯ୍ୟରତ ଡାକ୍ତର ହିଁ କହିପାରିବେ ବୋଲି ସିଡିଏମ୍‌ଓ ଡା.ପଟେଲ କହିଛନ୍ତି।

ମେଡିକାଲ ଏଥିକ୍ସ ଅନୁସାରେ, ରୋଗୀଙ୍କୁ ଦେଖୁଥିବା ଡାକ୍ତର ଟିକେଟରେ ସମସ୍ତ ନିରୀକ୍ଷଣ, ଚିକିତ୍ସା ଓ ପରାମର୍ଶ ଉଲ୍ଲେଖ କରିଥାନ୍ତି। ରୋଗୀଙ୍କୁ ଅନ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଗଲେ ଉକ୍ତ ଟିକେଟରେ ଥିବା ଚିକିତ୍ସା ଆଧାରରେ ପରବର୍ତ୍ତୀ ଚିକିତ୍ସା ଓ ପରୀକ୍ଷା ନିରୀକ୍ଷା ହୋଇଥାଏ। ଯାହା ଏକ ସାଧାରଣ ପ୍ରକ୍ରିୟା। ମାତ୍ର ନବ ଦାସଙ୍କୁ ଭର୍ତ୍ତି ସମୟରେ ଲେଖାଯାଇଥିବା ଓପିଟି ଟିକେଟ ନଂ ୧୧୬୦୫୦୦୦୧୪୨୮ରେ କେବଳ ରେଫର ଛଡ଼ା ଅନ୍ୟ କିଛି ଉଲ୍ଳେଖ ନାହିଁ। ଏହି ଘଟଣାର ୧୮ ଦିନ ପରେ ଅର୍ଥାତ୍‌ ଫେବ୍ରୁଆରି ୧୬ ତାରିଖରେ କ୍ରାଇମ୍‌ବ୍ରାଞ୍ଚ ସିଡିଏମ୍‌ଓଙ୍କୁ ଚିଠି ଲେଖି ଇଞ୍ଜୁରି ‌ରିପୋର୍ଟ ମାଗିଥିଲା। ଯାହା ଆଧାରରେ ଫେବ୍ରୁଆରି ୨୦ ତାରିଖରେ ସିଡିଏମ୍‌ଓଙ୍କ କାର୍ଯ୍ୟାଳୟକୁ କ୍ରାଇମ୍‌ବ୍ରାଞ୍ଚକୁ ଓପିଡି ଟିକେଟ୍‌ ଓ ଇଞ୍ଜୁରି ରିପୋର୍ଟ ପ୍ରଦାନ କରାଯାଇଥିବା ନେଇ ଚିଠି ସଂଖ୍ୟା ୧୧୭୫ ଯୋଗେ ଅବଗତ କରାଯାଇଥିଲା। ମାତ୍ର ଦାଖଲ ହୋଇଥିବା ଇଞ୍ଜୁରି ରିପୋର୍ଟରେ କିନ୍ତୁ ଡାକ୍ତରଙ୍କ ଦସ୍ତଖତ ଜାନୁଆରି ୨୯ ତାରିଖର ରହିଛି। ଉକ୍ତ ରିପୋର୍ଟରେ ନବ ଦାସଙ୍କୁ କେଉଁଠି କେଉଁଠି ଗୁଳି ବାଜିଥିଲା, କେତେ ସେମିର ଗଭୀର ଆଘାତ ହୋଇଥିଲା ସେନେଇ ବିସ୍ତୃତ ସୂଚନା ଦିଆଯାଇଥିବା ବେଳେ ଡାକ୍ତର ଡୋଳାମଣି ତାଣ୍ଡି ତାଙ୍କର ୩ଟି ମନ୍ତବ୍ୟ ମଧ୍ୟ ରଖିଛନ୍ତି। ଏଭଳି ସ୍ଥିତିରେ କ୍ରାଇମ୍‌ବ୍ରାଞ୍ଚ ଇଞ୍ଜୁରି ରିପୋର୍ଟ ମାଗିବା ପୂର୍ବରୁ ତାଙ୍କ ଫର୍ମରେ ଡାକ୍ତର କିଭଳି ରିପୋର୍ଟ ଉଲ୍ଲେଖ କଲେ ସେନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଯଦି ଡାକ୍ତର ଗୋଟିଏ ପୃଷ୍ଠାର ରିପୋର୍ଟ ଉଲ୍ଲେଖ କରିପାରିଲେ ତେବେ ଟିକେଟ୍‌ରେ କାହିଁକି ଏଥିକ୍ସ ଅନୁସାରେ ନିରୀକ୍ଷଣ ଓ ଚିକିତ୍ସା ସମ୍ପର୍କରେ ଉଲ୍ଲେଖ କଲେ ନାହିଁ, ଯଦି ଶବ ବ୍ୟବଚ୍ଛେଦ ରିପୋର୍ଟ ଆଧାରରେ ଇଞ୍ଜୁରି ରିପୋର୍ଟ ଲେଖାଯାଇଛି ତେବେ ତାହା ୨୯ ତାରିଖରୁ ଲେଖା ସରିଥିଲା କେମିତି? ଏହି ପ୍ରଶ୍ନଗୁଡ଼ିକର ଉତ୍ତର କିନ୍ତୁ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପାଖରେ ନାହିଁ।

ନବ ଦାସଙ୍କୁ ଗୁଳିମାଡ଼ ପରେ ପ୍ରଥମେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ସେଠାରେ ପ୍ରାୟ ୧ ଘଣ୍ଟା ତାଙ୍କର ଚିକିତ୍ସା ହେବା ପରେ ଭୁବନେଶ୍ବରକୁ ଏୟାରଲିଫ୍ଟ କରି ନିଆଯାଇଥିଲା। ସେହି ସମୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଶ୍ରୀ ଦାସଙ୍କର କୌଣସି ଚିକିତ୍ସା ହୋଇନଥିବା ନେଇ ଚର୍ଚ୍ଚା ବି ହୋଇଥିଲା। କିନ୍ତୁ ଭୁବନେଶ୍ବରରେ ଆପୋଲୋ ହସ୍ପିଟାଲରେ ଅପରେସନ୍‌ ପରେ ସନ୍ଧ୍ୟାରେ ଶ୍ରୀ ଦାସଙ୍କ ଦେହାନ୍ତ ହେବା ପରେ ଉକ୍ତ ଚର୍ଚ୍ଚାରେ ବିରାମ ଲାଗିଥିଲା।

Spread the love