ଡେଙ୍ଗୁ ପାଇଁ ଦିଲ୍ଲୀ ସରକାର ବଢ଼ାଇଲେ ଜରିମାନା: ଓଡ଼ିଶାରେ ସିଭିକ୍ ବାଇ ଲ’ ଶୀତଳଭଣ୍ଡାରରେ

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବର ସମେତ ରାଜ୍ୟରେ ‌ଏବେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଛି। ବର୍ତ୍ତମାନସୁଦ୍ଧା ବେସରକାରୀ ଭାବେ ୩ଜଣଙ୍ଗ ଡେଙ୍ଗୁରେ ମୃତ୍ୟୁ ହୋଇସାରିଲାଣି। ପ୍ରତିବର୍ଷ ଭୁବନେଶ୍ବରରେ ଡେଙ୍ଗୁ କଲବଲ କରୁଥିବା ବେଳେ ଏହାକୁ ନିୟନ୍ତ୍ରଣ କରିବାରେ ବିଏମ୍‌ସି, ସ୍ବାସ୍ଥ୍ୟ ଓ ନଗର ଉନ୍ନୟନ ବିଭାଗ ବିଫଳ ହୋଇଛନ୍ତି। କିଛିଦିନ ତଳେ ଦିଲ୍ଲୀ ସରକାର ଘରୁ ଡେଙ୍ଗୁ ଉତ୍ସ ବାହାରିଲେ ୧ହଜାର ଟଙ୍କା ଓ ଅଫିସରୁ ଉତ୍ସ ଚିହ୍ନଟ ହେଲେ ୫ହଜାର ଟଙ୍କା ଜରିମାନା ବଢ଼ାଇଛନ୍ତି। ପୂର୍ବରୁ ମୁମ୍ବାଇ, ମାଙ୍ଗାଲୋର ଆଦି ସହରରେ ଏହା କାର୍ଯ୍ୟକାରୀ ହୋଇସାରିଛି। ମାତ୍ର ଓଡ଼ିଶାରେ ଭୁବନେଶ୍ବର ସମେତ ସହରାଞ୍ଚଳରେ ଡେଙ୍ଗୁ ନିୟନ୍ତ୍ରଣ ପାଇଁ ସିଭିକ୍ ବାଇ ଲ’ ଶୀତଳ ଭଣ୍ଡାରରେ ପଡ଼ି ରହିଛି। ୨୦୧୪ ମସିହାରୁ ଏହା ସଂପର୍କରେ ଆଲୋଚନା ହେଉଥିଲେ ବି ଏହା ଉପରେ ଠୋସ୍ ପଦକ୍ଷେପ ନିଆଯାଇନାହିଁ। ସିଭିକ୍ ବାଇ ଲ’ ଲାଗୁ ହୋଇଥିଲେ ହୁଏତ ସହରାଞ୍ଚଳରେ ରହୁଥିବା ଲୋକମାନେ ନିଜର କର୍ତ୍ତବ୍ୟ ସଂପର୍କରେ ସଚେତନ ହୋଇଥାନ୍ତେ ଓ ଡେଙ୍ଗୁ ନିୟନ୍ତ୍ରଣରେ ରହିଥାନ୍ତା ବୋଲି ବିଶେଷଜ୍ଞମାନେ ମତ ଦେଉଛନ୍ତି। ଘରୋଇ କ୍ଷେତ୍ରରେ କୁକୁର ରଖିବା ପାଇଁ ବିଏମ୍‌ସି ନିୟମ ଆଣୁଥିଲେ ବି ପ୍ରତିବର୍ଷ ମୁଣ୍ଡବ୍ୟଥାର କାରଣ ସାଜୁଥିବା ଘାତକ ଡେଙ୍ଗୁ ପାଇଁ ନଗର ଉନ୍ନୟନ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉନାହିଁ।

ଦୁଇବର୍ଷ ତଳେ ରାଜଧାନୀର ଅଧିକାଂଶ ଲୋକଙ୍କ ଘରୁ ଡେଙ୍ଗୁ ମଶାର ଉତ୍ସ ଚିହ୍ନଟ ହେବା ପରେ ରାଜ୍ୟର ସହରାଞ୍ଚଳ ପାଇଁ ସିଭିକ୍ ବାଇ ଲ’ ଲାଗୁ କରିବା ଚର୍ଚ୍ଚା ଆରମ୍ଭ ହୋଇଥିଲା। ୨୦୧୪ ଓ ୨୦୨୦ ମସିହାରେ ତତ୍କାଳୀନ ସ୍ବାସ୍ଥ୍ୟ ସଚିବ ପ୍ରଦୀପ ମହାପାତ୍ର ନଗର ଉନ୍ନୟନ ବିଭାଗକୁ ବାଇ ଲ’ ଲାଗୁ କରିବା ପାଇଁ ଚିଠି ଲେଖିଥିଲେ। ଏଥିରେ ମାଙ୍ଗାଲୋର ନିଗମର ବାଇ ଲ’ ଓ ୧୯୯୫ ମସିହାରେ ଜାତୀୟ କୀଟ ବାହିତ ରୋଗ ନିୟନ୍ତ୍ରଣ କାର୍ଯ୍ୟକ୍ରମ(ଏନ୍‌ଭିବିଡିସିପି) ଆଦି ସଂପର୍କରେ ଉଲ୍ଲେଖ କରାଯାଇଥିଲା। ଚିଠିରେ କୁହାଯାଇଥି‌ଲା ଯେ ସହରାଞ୍ଚଳରେ ଥିବା କୀଟ ବା ମଶା ଗ୍ରାମାଞ୍ଚଳର ମଶାଙ୍କଠାରୁ ଭିନ୍ନ। ତେଣୁ ଏହାର ନିୟନ୍ତ୍ରଣ ଓ ନିରାକରଣ ପାଇଁ ଭିନ୍ନ ଉପାୟ-ପଦକ୍ଷେପର ଆବଶ୍ୟକତା ରହିଛି। ସହରାଞ୍ଚଳରେ ମଶାଙ୍କ ଲାର୍ଭା ଅବସ୍ଥାରୁ ନିୟନ୍ତ୍ରଣ କରିବାକୁ ପଡ଼ିଥାଏ। ମାତ୍ର ଗ୍ରାମାଞ୍ଚଳରେ ବୟସ୍କ ମଶାଙ୍କୁ ମାରିବା ପାଇଁ ଘର ଭିତରେ ସ୍ପ୍ରେ କରିବା(ଆଇଆରଏସ୍‌), ଔଷଧୀୟ ମଶାରି ଓ ମଶା ମାରିପାରୁଥିବା ମଶାରିର ଆବଶ୍ୟକତା ପଡ଼ିଥାଏ। ସହରାଞ୍ଚଳରେ ମଶା ନିୟନ୍ତ୍ରଣ ପାଇଁ ଘର, ନିର୍ମାଣ ସ୍ଥାନ ଓ ଅନ୍ୟାନ୍ୟ ସ୍ଥାନରେ ମଶାର ଲାର୍ଭା ନିପାତ କରିବା ଜରୁରୀ। ଏଥିପାଇଁ ଜଣେ ବ୍ୟକ୍ତିଙ୍କ ଘରେ ପ୍ରବେଶ କରି ମଶାର ଉତ୍ପତ୍ତି ସ୍ଥଳର ଯାଞ୍ଚ କରିବା, ଲୋକଙ୍କୁ ସଚେତନ ଓ ଘର/ନିର୍ମାଣ ସ୍ଥାନ ଆଦିରେ ରହିଥିବା ସ୍ଥିର ପାଣିକୁ ହଟାଇବା ଆବଶ୍ୟକ। ଏ ନେଇ ସଚେତନତା ସତ୍ତ୍ବେ ଯଦି କୌଣସି ବ୍ୟକ୍ତି ନିୟମର ଅବମାନନା କରୁଥାନ୍ତି ତାହାଲେ ସଂପୃକ୍ତ ବ୍ୟକ୍ତି ବିଶେଷ/ସଂସ୍ଥା ବିରୋଧରେ ଜରିମାନା ଆଦାୟ କରିବାର ମଧ୍ୟ ନିୟମ ରହିଛି। ଯଦି ସିଭିକ୍ ବାଇ ଲ’ ଲାଗୁ କରାଯିବ ତାହାଲେ ଲୋକମାନେ ନିଜର କର୍ତ୍ତବ୍ୟ ସଂପର୍କରେ ସଚେତନ ହେବା ସହିତ କୀଟ ନିୟନ୍ତ୍ରଣ ସମ୍ଭବ ହୋଇପାରିବ।

ନଗର ଉନ୍ନୟନ ବିଭାଗ ସିଭିକ୍‌ ବାଇ ଲ’ ପ୍ରଣୟନ କରିବ। ଏକାଧିକ ବିଭାଗର ସମନ୍ବୟରେ ଏହାକୁ କାର୍ଯ୍ୟକାରୀ କରାଯିବ। ମାତ୍ର ନଗର ଉନ୍ନୟନ ବିଭାଗ ପକ୍ଷରୁ ଏ ସଂପର୍କରେ କୌଣସି ପଦକ୍ଷେପ ନିଆଯାଇନାହିଁ। ବିଶେଷଜ୍ଞଙ୍କ କହିବା କଥା ହେଉଛି, ଓଡ଼ିଶାରେ ଏକ ଜନସ୍ବାସ୍ଥ୍ୟ ଆଇନ ନାହିଁ। ଦେଶର ଅଧିକାଂଶ ରାଜ୍ୟରେ ଏହି ଆଇନ ଥିବା ବେଳେ ଓଡ଼ିଶାରେ ଏହାକୁ ଲାଗୁ କରିବାର ସମୟ ଆସିଛି। ଯାହାଫଳରେ ଜନସ୍ବାସ୍ଥ୍ୟକୁ ନେଇ ଉପୁଜୁଥିବା ସମସ୍ୟାର ସମାଧାନ ଦିଗରେ ଏହା ସହାୟକ ହୋଇପାରିବ। ଏହାସହ ସିଭିକ୍ ବାଇ ଲ’ ଲାଗୁ ହେଲେ ମଶା ନିୟନ୍ତ୍ରଣ କାର୍ଯ୍ୟ ତ୍ବରାନ୍ବିତ ହୋଇପାରିବ। ମନଇଚ୍ଛ‌ା କେହି ଘରେ ପାଣି ଜମା କରିପାରିବେ ନାହିଁ, ପାଣି ଟାଙ୍କି ଘୋଡ଼ାଇ ରଖିବେ, ଫୁଲ କୁଣ୍ଡରେ ଆବଶ୍ୟକତାଠାରୁ ଅଧିକ ପାଣି ଦେବେ ନାହିଁ ବୋଲି ନିୟମ ରହିଛି। ଭୁବନେଶ୍ବରରେ ପ୍ରାୟ ଅଢ଼େଇ ଲକ୍ଷ ଘର ରହିଛି। ଏଡିସ ମଶା ଘରେ କିଛିଦିନ ଧରି ସ୍ଥିର ରହୁଥିବା ସ୍ବଚ୍ଛ ପାଣିରେ ଅଣ୍ଡା ଦେଇଥାଏ। ଏ ଦୃଷ୍ଟିରୁ ଅଧିକାଂଶ ମଶାର ଉତ୍ସ ଘରୁ ଚିହ୍ନଟ ହୋଇଥାନ୍ତି। ତେବେ ମଶା ଉତ୍ସ ନଷ୍ଟ କରିବା ପାଇଁ ଯାଉଥିବା ସରକାରୀ କର୍ମଚାରୀଙ୍କୁ ଲୋକମାନେ ଘରେ ପ୍ରବେଶର ଅନୁମତି ଦେଉନାହାନ୍ତି। ଏଥିପାଇଁ ମଶା ଉତ୍ସ ନଷ୍ଟ ପାଇଁ କାର୍ଯ୍ୟ କରୁଥିବା ସ୍ବେଚ୍ଛାସେବୀଙ୍କୁ ଆଇ-କାର୍ଡ ପ୍ରଦାନ କରିବା ଭଳି ପ୍ରସ୍ତାବ ଆସିଲାଣି। ଏ ନେଇ ପୌର ପ୍ରଶାସକ ସଂଗ୍ରାମଜିତ ନାୟକଙ୍କୁ ଯୋଗାଯୋଗ କରାଯାଇଥିଲା। ଶ୍ରୀ ନାୟକ କହିଥିଲେ ଏ ସଂପର୍କରେ ଅନୁଧ୍ୟାନ କରାଯିବ।

Spread the love