‘ଦୁର୍ନୀତି ଭାରତ ଛାଡ଼, ବଂଶବାଦ ଭାରତ ଛାଡ଼’: ବିରୋଧୀଙ୍କୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିଦ୍ରୂପ

ନୂଆଦିଲ୍ଲୀ: ଆଜିର ଦିନରେ ବ୍ରିଟିସ୍‌ ସରକାର ବିରୋଧରେ ମହାତ୍ମା ଗାନ୍ଧୀ ଦେଇଥିବା ‘ଭାରତ ଛାଡ଼’ ଡାକରା ସ୍ମରଣ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ସମ୍ପ୍ରତି ଭାରତ ଏକତ୍ର ହୋଇ ଦୁର୍ନୀତି, ବଂଶବାଦ ଓ ତୁଷ୍ଟୀକରଣର ବିରୋଧ କରୁଛି। ଆଜି ଟୁଇଟ୍‌ କରି ପ୍ରଧାନମନ୍ତ୍ରୀ ଲେଖିଛନ୍ତି: ‘ଭାରତ ଛାଡ଼ ଆନ୍ଦୋଳନ’ରେ ଭାଗ ନେଇଥିବା ମହାପୁରୁଷମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି। ଔପନିବେଶୀୟ ଶାସନରୁ ଭାରତକୁ ମୁକ୍ତ କରିବାରେ ଗାନ୍ଧୀଜୀଙ୍କ ନେତୃତ୍ବରେ ହୋଇଥିବା ଏହି ଆନ୍ଦୋଳନ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା।

 

ଉପରୋକ୍ତ ଟୁଇଟ୍‌ରେ ପ୍ରଧାନମନ୍ତ୍ରୀ ମୋଦୀ ଦେଶବ୍ୟାପୀ ‘ବିଜେପି’ ବିରୋଧରେ କାର୍ଯ୍ୟକ୍ରମ ଚଳାଇଥିବା କଂଗ୍ରେସ ନେତୃତ୍ବାଧୀନ ବିରୋଧୀ ଦଳମାନଙ୍କୁ ବି ସମାଲୋଚନା କରିଛନ୍ତି। ସେ ଲେଖିଛନ୍ତି, ଆଜି, ଭାରତବାସୀ ଏକସ୍ବରରେ କହୁଛନ୍ତି: ଦୁର୍ନୀତି ଭାରତ ଛାଡ଼, ବଂଶବାଦ ଭାରତ ଛାଡ଼, ତୁଷ୍ଟୀକରଣ ଭାରତ ଛାଡ଼।ସୂଚନାଯୋଗ୍ୟ, ଦୁର୍ନୀତି, ବଂଶବାଦ ଓ ତୁଷ୍ଟୀକରଣ ରାଜନୀତି କରୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ ମୋଦୀ ବିରୋଧୀ ଦଳମାନଙ୍କୁ ଦୋଷ ଦେଇ ଆସୁଛନ୍ତି। ତେଣୁ, ସେମାନଙ୍କୁ ପରିତ୍ୟାଗ କରିବା ଲାଗି ସେ ଜନସାଧାରଣଙ୍କୁ ଆହ୍ବାନ ଦେଇଛନ୍ତି।

ପ୍ରଧାନମନ୍ତ୍ରୀ ମୋଦୀଙ୍କ ଟୁଇଟ୍‌ ଉପରେ ପ୍ରତିକ୍ରିୟା ବ୍ୟକ୍ତ କରି ‘ବିଜେପି’ ସାଂସଦ ରବି ଶଙ୍କର ପ୍ରସାଦ କହିଛନ୍ତି ଯେ, ଯଦି ଦେଶର ଗଣତାନ୍ତ୍ରିକ ଢାଞ୍ଚାକୁ ସୁରକ୍ଷିତ ରଖିବାକୁ ହେଲେ ପରିବାର ଶାସନ ଓ ଦୁର୍ନୀତିକୁ ଭାରତ ଛାଡ଼ିବାକୁ ପଡ଼ିବ।

 

Spread the love