ଶରଦ ପାୱାର୍‌ ପ୍ରଧାନମନ୍ତ୍ରୀ ହେବାକୁ ସୁଯୋଗ ନ ପାଇବାର କାରଣ କହିଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: କଂଗ୍ରେସର ବଂଶବାଦ ରାଜନୀତି ଯୋଗୁଁ ‘ଏନ୍‌ସିପି’ ମୁଖ୍ୟ ଶରଦ ପାୱାର ପ୍ରଧାନମନ୍ତ୍ରୀ ହେବାକୁ ସୁଯୋଗ ପାଇଲେ ନାହିଁ ବୋଲି ମଙ୍ଗଳବାର ଦିନ ପ୍ରଧାନମନ୍ତ୍ରୀ ମୋଦୀ କହିଥିବା କଥା ବିଶେଷସୂତ୍ରରୁ ସଂଗ୍ରହ କରି ‘ଇଣ୍ଡିଆ ଟୁଡେ’ ରିପୋର୍ଟ କରିଛି। ଗତ ମାସରେ ଅଜିତ ପାୱାର୍‌ ଓ ଦଳର ଅନ୍ୟ ୮ଜଣ ବିଧାୟକ ‘ନ୍ୟାସ୍‌ନାଲିଷ୍ଟ୍‌ କଂଗ୍ରେସ ପାର୍ଟି’ରୁ (ଏନ୍‌ସିପି) ପୃଥକ୍‌ ହୋଇ ଶିବସେନା ବିଦ୍ରୋହୀ ଏକନାଥ ସିନ୍ଦେଙ୍କ ନେତୃତ୍ବାଧୀନ ମହାରା‌ଷ୍ଟ୍ର ସରକାରରେ ଯୋଗ ଦେବା ସମୟରେ ମଧ୍ୟ ପ୍ରଧାନମନ୍ତ୍ରୀ ଉପରୋକ୍ତ କଥା କହିଥିଲେ ବୋଲି ଉକ୍ତ ରିପୋର୍ଟରେ ଉଲ୍ଲେଖ ଅଛି। ଚଳିତ ମାସ ପ୍ରାରମ୍ଭରେ ପୁଣେରେ ‘ତିଲକ ନ୍ୟାସ୍‌ନାଲ୍‌ ଆୱାର୍ଡ’ ଉତ୍ସବରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହିତ ଶରଦ ପାୱାର୍‌ ମଞ୍ଚାସୀନ ହୋଇଥିଲେ।

ସେତେବେଳେ ଏ କଥାକୁ ନେଇ ବିରୋଧୀ ଦଳମାନେ ନାନା କଳ୍ପନାଜଳ୍ପନା ଆରମ୍ଭ କରିଥିଲେ। କାରଣ ଗତ ମାସରେ ‘ଇଣ୍ଡିଆ’ ଗ୍ରୁପିଙ୍ଗ୍‌ ଘୋଷିତ ହୋଇସାରିଥିଲା ଓ ‘ଏନ୍‌ସିପି’ ମଧ୍ୟ ତା’ର ସଦସ୍ୟ ହୋଇଥିଲା। ମହାରା‌ଷ୍ଟ୍ରର ‘ନ୍ୟାସ୍‌ନାଲ୍‌ ଡେମୋକ୍ରାଟିକ୍‌ ଆଲିଏନ୍‌ସ୍‌’ (ଏନ୍‌ଡିଏ) ସାଂସଦମାନଙ୍କ ସହିତ ବୈଠକ ବେଳେ ପ୍ରଧାନମନ୍ତ୍ରୀ ମଧ୍ୟ କହିଥିଲେ ଯେ, ପରିବାରବାଦ କାରଣରୁ  କଂଗ୍ରେସ ଓ ଶରଦ ପାୱାର ଅନେକ ପ୍ରତିଭାବାନ ବ୍ୟକ୍ତିଙ୍କୁ ପ୍ରୋତ୍ସାହିତ କରି ନ ଥିଲେ। ଉଦ୍ଧବ ଠାକ୍‌ରେ ଗୋଷ୍ଠୀର ‘ଶିବସେନା’କୁ ସମାଲୋଚନା କରି ପ୍ରଧାନମନ୍ତ୍ରୀ କହିଥିଲେ, ‘ବିଜେପି’ ତାଙ୍କ ସହିତ ମେଣ୍ଟ ଭାଙ୍ଗିନାହିଁ। ଅକାରଣରେ ବିବାଦ ସୃଷ୍ଟି କରାଯାଇଥିଲା। ଗୋଟିଏ ପଟେ କ୍ଷମତାରେ ରହିବାକୁ ଆଶା। ଆରପଟେ ସମାଲୋଚନା କରିବାକୁ ମନ। ଏ ଦୁଇଟି କଥା ଏକତ୍ର ହେବା ସମ୍ଭବପର ନୁହେଁ।

 

ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ପି. ଭି. ନରସିଂହ ରାଓଙ୍କ ଅମଳରେ ଜୁନ୍‌ ୧୯୯୧ରୁ ମାର୍ଚ ୧୯୯୩ ପର୍ଯ୍ୟନ୍ତ ଶରଦ ପାୱାର୍‌ ଭାରତର ପ୍ରତିରକ୍ଷା ମନ୍ତ୍ରୀ ଥିଲେ। ସୋନିଆ ଗାନ୍ଧୀ ବିଦେଶିନୀ ବୋଲି କହି ସେ ୧୯୯୯ରେ କଂଗ୍ରସ ପରିତ୍ୟାଗ କରି ‘ଏନ୍‌ସିପି’ ଗଠନ କରିଥିଲେ। ପରେ ଅବଶ୍ୟ ସେ କଂଗ୍ରେସ ନେତୃତ୍ବାଧୀନ ‘ଉପା’ ସରକାରରେ ଯୋଗ ଦେଇ ୨୦୧୪ ଲୋକସଭା ନିର୍ବାଚନ ପର୍ଯ୍ୟନ୍ତ କେନ୍ଦ୍ର କୃଷିମନ୍ତ୍ରୀ ହୋଇଥିଲେ।

 

Spread the love