“ମୋ ଜଙ୍ଗଲ ଜମି ଯୋଜନା” ନାଁରେ ମୁଖ୍ୟମନ୍ତ୍ରୀ ଓଡ଼ିଶାର ଆଦିବାସୀମାନଙ୍କୁ ଭୂଆଁ ବୁଲାଉଛନ୍ତି : ନିତ୍ୟାନନ୍ଦ ଗଣ୍ଡ
ଭୁବନେଶ୍ୱର, ତା ୦୯/୦୮: ରାଜ୍ୟ ସମୁଦାୟ ଜନସଂଖ୍ୟାର ୨୩ ପ୍ରତିଶତ ହେଉଛନ୍ତି ଜନଜାତି ସଂପ୍ରଦାୟର । ଜନଜାତିଙ୍କ ସର୍ବାଙ୍ଗୀନ ବିକାଶ ପାଇଁ ବହୁ କଲ୍ୟାଣକାରୀ ଯୋଜନା ରହିଛି । କିନ୍ତୁ ଓଡ଼ିଶାରେ ସେହି ଯୋଜନା ସବୁ କେବଳ କାଗଜ ପତ୍ରରେ ଚାଲିଛି । ୨୦୦୮ ମସିହାରୁ ଜଙ୍ଗଲ ଜମି ଅଧିକାର ଆଇନ ଓଡ଼ିଶାରେ ଲାଗୁ ହେଲାଣି । କିନ୍ତୁ ଓଡ଼ିଶାରେ ୧୫ବର୍ଷ ପରେ ବି ମାତ୍ର ସାଢ଼େ ତିନି ଲକ୍ଷ ପରିବାରକୁ ଜଙ୍ଗଲ ଜମି ପଟ୍ଟା ମିଳିଛି ବୋଲି ଆଜି ରାଜ୍ୟ ସରକାର ଘୋଷଣା କରିବା ଦର୍ଶାଉଛି ଯେ, ଆହୁରି ଲକ୍ଷ ଲକ୍ଷ ପରିବାର ଏବେ ବି ଜଙ୍ଗଲ ଜମି ଅଧିକାରରୁ ବଂଚିତ ହୋଇ ଅଛନ୍ତି । ମୁଖ୍ୟମନ୍ତ୍ରୀ ୨୦୧୨ରେ “ଟ୍ରାଇବାଲ ଆଡଭାଇଜରୀ କାଉନସିଲ”ର ଏକ ବୈଠକରେ ଘୋଷଣା କରିଥିଲେ ଯେ, ୨୦୧୬ ସୁଦ୍ଧା ଓଡ଼ିଶାର ସମସ୍ତ ଭୂମିହୀନ ଆଦିବାସୀମାନଙ୍କୁ ସରକାର ଜମି ଅଧିକାର ଦେବେ । ହେଲେ କୁଆଡେ ଗଲା ସେ ପ୍ରତିଶ୍ରୁତି । କାହିଁକି ଆଜିବି ଲକ୍ଷ ଲକ୍ଷ ଆଦିବାସୀ ପରିବାର ଭୂମିହୀନ ହୋଇ ଅଛନ୍ତି, ଜମି ପଟ୍ଟା ପାଇ ନାହାନ୍ତି ତାହାର ଉତର ରାଜ୍ୟ ସରକାର ଦିଅନ୍ତୁ । ଆଜି ମୁଖ୍ୟମନ୍ତ୍ରୀ ଲୋକାର୍ପଣ କରୁଥିବା “ମୋ ଜଙ୍ଗଲ ଜମି ଯୋଜନା”ରେ କିଛି ନୂତନତ୍ୱ ନାହିଁ ବରଂ ଏହା ଆଦିବାସୀଙ୍କ ପ୍ରତି ବିଜୁ ଜନତା ଦଳ ସରକାରର ଦେଇଥିବା ପ୍ରତିଶ୍ରୁତିକୁ ପୂରଣ ନକରିପାରିବାର ଏକ ପ୍ରମାଣ ପତ୍ର ବୋଲି ବିଧାୟକ ତଥା ଜନଜାତି ମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି ।
ମାତ୍ର ୫୩ଟି ଆଦିବାସୀ ଜଙ୍ଗଲୀ ଗ୍ରାମକୁ ରାଜସ୍ୱ ଗ୍ରାମରେ ପରିବର୍ତନ କରିବା ଦର୍ଶାଉଛି ଯେ, ସରକାର ସେ ପ୍ରସଙ୍ଗରେ ମଧ୍ୟ ବିଫଳ ହୋଇଛନ୍ତି । ରାଜ୍ୟରେ ଆହୁରି ୫୦୦ରୁ ଅଧିକ ଜଙ୍ଗଲ ଗ୍ରାମ ଅଛି ଯାହାକୁ ରାଜସ୍ୱ ଗ୍ରାମର ମାନ୍ୟତା ଦେବା ପାଇଁ ବାରମ୍ବାର ଦାବି ହେଉଛି କିନ୍ତୁ ସରକାର ତାହାକୁ ପୂରଣ କରୁନାହାନ୍ତି । ରାଜ୍ୟରେ ମାତ୍ର ୭,୮୧୩ଟି ସତ୍ୱ ଗୋଷ୍ଠୀଗତ ଜଙ୍ଗଲ ଅଧିକାର ଦିଆଯାଇଛି ବୋଲି ସରକାର ବିଜ୍ଞାପନରେ ପ୍ରକାଶ କରିଛନ୍ତି । ଯାହା ଆବଂଟିତ ହେବାକୁ ଥିବା ଗୋଷ୍ଠୀଗତ ଜଙ୍ଗଲ ଅଧିକାର ସଂଖ୍ୟାର ମାତ୍ର ୫ପ୍ରତିଶତ । ଏଥିରୁ ଜଣାପଡୁଛି, ଏ ସରକାର କେତେ ଚିନ୍ତିତ ଆଦିବାସୀମାନଙ୍କ ବିକାଶ ପାଇଁ । ସ୍ୱତନ୍ତ୍ର ବିକାଶ ପରିଷଦ(ଏସଡିସି) ନାଁରେ କେବଳ ବିଜୁ ଜନତା ଦଳର ଲୋକମାନକୁ ଥଇଥାନ କରି ନିର୍ବାଚନ ପୂର୍ବ ବର୍ଷରେ ସରକାରୀ ଅର୍ଥକୁ ନିଜର ରାଜନୈତିକ ଦଳୀୟ କାମରେ ଲଗାଇବା ପାଇଁ ନବୀନ ବାବୁ ଏଭଳି ନାଟକ କରୁଛନ୍ତି ବୋଲି ଶ୍ରୀ ଗଣ୍ଡ କହିଛନ୍ତି ।
ଶ୍ରୀ ଗଣ୍ଡ କହିଛନ୍ତି ଯେ, ୨୩ ବର୍ଷ ଶାସନ କରିଥିବା ବିଜେଡି ସରକାରଙ୍କ ସ୍ଥାଣୁତା, ଅପାରଗତା ପାଇଁ ରାଜ୍ୟର ମୋଟ ୨୩ ପ୍ରତିଶତ ଅନୁସୂଚିତ ଜନଜାତି ଦିନକୁ ଦିନ ପଛେଇବାରେ ଲାଗିଛନ୍ତି । ରାଜ୍ୟର ଆଦିବାସୀଙ୍କ ପାଇଁ ରାଜ୍ୟ ସରକାରଙ୍କ କୌଣସି ଦରଦ ନାହିଁ । ଗତ ପଂଚାୟତ ଓ ପୌର ନିର୍ବାଚନରେ ଷଡଯନ୍ତ୍ର କରି ଆଦିବାସୀବର୍ଗଙ୍କୁ ସେମାନଙ୍କ ସାମାଜିକ ଓ ସାମ୍ବିଧାନିକ ଅଧିକାରରୁ ବଂଚିତ ରଖିଥିଲେ । ଆଦିବାସୀମାନଙ୍କ ଐତିହ୍ୟ, ପରମ୍ପରା ଓ ବିକାଶ କିଭଳି ହେବ ସେନେଇ ଟିଏସି ବୈଠକ ହୋଇଥାଏ ଏବଂ ଏହାର ଏକ ବିସ୍ତୃତ ରିପୋର୍ଟ ମାନ୍ୟବର ରାଷ୍ଟ୍ରପତି ଓ ରାଜ୍ୟପାଳଙ୍କୁ ପ୍ରଦାନ କରାଯାଇଥାଏ ।
ଦୀର୍ଘ ୫ ବର୍ଷ ଅନ୍ତରରେ ଆଗାମୀ ୨୦୨୪ ନିର୍ବାଚନକୁ ଲକ୍ଷ୍ୟ କରି ମୁଖ୍ୟମନ୍ତ୍ରୀ ବାଧ୍ୟ ବାଧ୍ୟକତାରେ ଜୁଲାଇ ୧୨ ତାରିଖରେ ଟିଏସି ବୈଠକ କରିଥିଲେ । ଭର୍ଚୁଆଲ ମୋଡରେ ଯୋଗ ଦେଇ ନିଜ ବକ୍ତବ୍ୟ ରଖିବା ପରେ ମୁଖ୍ୟମନ୍ତ୍ରୀ ବୈଠକ ମଝିରୁ ଉଭାନ ହୋଇଯାଇଥିଲେ । ଆଦିବାସୀଙ୍କ ବିକାଶକୁ ନେଇ ବହୁ ପ୍ରସଙ୍ଗ ଆଲୋଚନା ବି ହୋଇପାରିଲା ନାହିଁ । ମୁଖ୍ୟମନ୍ତ୍ରୀ ଆଦିବାସୀମାନଙ୍କ ବିକାଶ ପାଇଁ କେତେ ତତ୍ପର, ତାହା ଗତ ଜୁଲାଇ ୧୨ତାରିଖରେ ଟିଏସି ବୈଠକରୁ ସ୍ପଷ୍ଟ ହୋଇଥିଲା । ରାଜ୍ୟର ଜନଜାତିଙ୍କ ପ୍ରତି ରାଜ୍ୟ ସରକାର କେଉଁ ଭଳି ଅନ୍ୟାୟ କରୁଛନ୍ତି ତାହା ମଧ୍ୟ ସ୍ପଷ୍ଟ ହୋଇଛି । ଆଦିବାସୀଙ୍କ ପ୍ରତି ମୁଖ୍ୟମନ୍ତ୍ରୀଙ୍କ ସମୟ ନାହିଁ, ଏହା ତାଙ୍କ ପ୍ରତି ବଡ ଅପମାନ ବୋଲି ଶ୍ରୀ ଗଣ୍ଡ କହିଛନ୍ତି ।
ଆଦିବାସୀଙ୍କ ଉନ୍ନତି ନୁହଁ ବରଂ ଶାସକ ଦଳ କର୍ମୀମାନଙ୍କୁ ଥଇଥାନ କରିବା ପାଇଁ ନୀତିନିୟମକୁ ଖିଲାପ କରାଯାଇ ଏସଡିସି ଗଠନ ହୋଇଛି । ୨୦୧୭ ନିର୍ବାଚନ ପାଇଁ ଗଠନ ହୋଇଥିବା ଏସଡିସି ୨୦୧୯ ନିର୍ବାଚନ ସରିବା ପରେ ଏହା ଅକାମି ହୋଇଯାଇଥିଲା । ପୁନଃର୍ବାର ୨୦୨୪ ନିର୍ବାଚନକୁ ଆଖିଆଗରେ ରଖି ପୁଣି ଥରେ ଏସଡିସି ଗଠନ କରିଛନ୍ତି ରାଜ୍ୟ ସରକାର । ଏସଡିସି ଏକ ରାଜନୈତିକ ଥଇଥାନ କେନ୍ଦ୍ର ପାଲଟିଛି ଏବଂ ଏଥିରେ ଆଦିବାସୀମାନଙ୍କର କୌଣସି ବିକାଶ ସମ୍ଭବ ନୁହେଁ ବୋଲି ଶ୍ରୀ ଗଣ୍ଡ କହିଛନ୍ତି ।
ଏମଏମଡିଆର ଆଇନ-୧୯୫୭ରେ ପ୍ରଣୋଦିତ ଆଇନକୁ ମୋଦିଜୀ ୨୦୧୫ରେ ପୁନଃର୍ବାର ‘ପ୍ରଧାନମନ୍ତ୍ରୀ ଖଣିଜ କ୍ଷେତ୍ର କଲ୍ୟାଣ ଯୋଜନା’ ରେ ପାଣ୍ଠି ଗଠନ କରାଯାଇ ସେହି ଅଚଂଳର ସର୍ବଙ୍ଗୀନ ଉନ୍ନତି ପାଇଁ ଖର୍ଚ୍ଚ କରାଯିବା ମୂଳ ଲକ୍ଷ୍ୟକୁ ପୁରଣ କରିବାରେ ବିଫଳ ହେଲେ ରାଜ୍ୟ ସରକାର । ବ୍ୟାପକ ଦୁର୍ନୀତି ଓ ଦଳୀୟ ନେତାଙ୍କ ସ୍ୱାର୍ଥ ହାସଲ ପାଇଁ ବ୍ୟବହାର କରାଗଲା । ପଂଚଦଶ ଅର୍ଥ କମିଶନଙ୍କ ସୁପାରିକ୍ରମେ ଆସୁଥିବା ଅନୁଦାନ ଅର୍ଥକୁ ଆଦିବାସୀମାନଙ୍କ କଲ୍ୟାଣ ପାଇଁ ଖର୍ଚ୍ଚ କରାଯାଉନାହିଁ । ରାଜ୍ୟ ସରକାର ଗ୍ରାମସଭାକୁ କୋଣଠେସା କରିଦେଇ ଆଦିବାସୀମାନଙ୍କୁ ପ୍ରତାରଣା କରୁଛନ୍ତି ବୋଲି ଶ୍ରୀ ଗଣ୍ଡ କହିଛନ୍ତି ।
‘ଗ୍ରାମ ପଂଚାୟତ ସଂପ୍ରସାରଣ ଅଧିନିୟମ (ପେସା)-୧୯୯୬’ ଅଧିନିୟମାନୁଯାୟୀ ଅନୁସୁଚୀତ କ୍ଷେତ୍ରରେ ନିର୍ବାଚିତ ପ୍ରତିନିଧିଙ୍କ ସ୍ୱତନ୍ତ୍ର କ୍ଷମତା ରହିଛି । କିନ୍ତୁ ଶାସକ ବିଜେଡି ଓଡିଶାରେ ଏହି ନିୟମକୁ ସଂପୂର୍ଣ୍ଣ ଜଳାଞ୍ଜଳୀ ଦେବା ସହ ଆଦିବାସୀ ବିକାଶ ପରିଷଦରେ ନିଜ ଦଳୀୟ ନେତାଙ୍କୁ ଥଇଥାନ କରି ହୀନ ରାଜନୀତି କରୁଛି । ଜନଜାତିଙ୍କୁ ସାମ୍ବିଧାନିକ ଅଧିକାର ଯୋଗାଇ ଦେବା ପାଇଁ ପ୍ରଣୟନ ହୋଇଥିବା ପେସା ଆଇନକୁ ରାଜ୍ୟ ସରକାର ଜାଣିଶୁଣି କାର୍ଯ୍ୟକାରୀ ନକରି ସମସ୍ତ କ୍ଷମତା ନିଜେ ଜାବୁଡି ଧରିବା ଉଦ୍ଦେଶ୍ୟରେ ସ୍ଥାନୀୟ ଜିଲ୍ଲାପାଳ ଓ ପ୍ରଶାସନ ହାତରେ ନ୍ୟସ୍ତ କରିଛନ୍ତି । ବାରମ୍ବାର ଦାବି ସତ୍ୱେ ଆଦିବାସୀଙ୍କ ସ୍ୱାର୍ଥ ପାଇଁ ଉଦ୍ଦିଷ୍ଟ ପେସା ଆଇନକୁ କାର୍ଯ୍ୟକାରୀ କରିବାରେ ରାଜ୍ୟ ସରକାର କାହିଁକି କୁଣ୍ଠାବୋଧ କରୁଛନ୍ତି ବୋଲି ଶ୍ରୀ ଗଣ୍ଡ ପ୍ରଶ୍ନ କରିଛନ୍ତି ।