ବାହାନଗା ଟ୍ରେନ୍‌ ଦୁର୍ଘଟଣାରେ ଶବ ପରିଚାଳନା କ୍ଷେତ୍ରରେ ପାରଦର୍ଶିତା ପାଇଁ ଏମ୍‌ସ ଭୁବନେଶ୍ୱରକୁ ସମ୍ମାନିତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ବାଲେଶ୍ବର ଜିଲ୍ଲା‌ ଅନ୍ତର୍ଗତ ବାହାନଗାରେ ହୋଇଥିବା ଦୁର୍ଭାଗ୍ୟଜନକ ଟ୍ରେନ୍‌ ଦୁର୍ଘଟଣାରେ ମୃତ ଶରୀର ପରିଚାଳନା ‌‌କ୍ଷେତ୍ରରେ ଏମ୍‌ସ ଭୁବନେଶ୍ୱରର ପ୍ରତିବଦ୍ଧତା, ଉତ୍ସର୍ଗୀକୃତ ମନୋଭାବ ଏବଂ ନିରନ୍ତର ପ୍ରୟାସ ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଜାତୀୟ ଅନୁଷ୍ଠାନକୁ ସମ୍ମାନିତ କରିଛନ୍ତି। ଗତକାଲି ଲୋକ ସେବା ଭବନରେ ଆୟୋଜିତ ଏକ ସ୍ବତନ୍ତ୍ର ରାଜ୍ୟସ୍ତରୀୟ ସମାରୋହରେ ରାଜ୍ୟ ସରକାର ବାହାନଗା ଟ୍ରେନ୍‌ ଦୁର୍ଘଟଣାର ପୀଡ଼ିତଙ୍କ ଶବ ସଂରକ୍ଷଣ ତଥା ପରିଚାଳନାରେ ଏମ୍‌ସ ଭୁବନେଶ୍ୱରର ଅନନ୍ୟ ଉଦ୍ୟମକୁ ପ୍ରଶଂସା କରିବା ସହିତ ଏହାକୁ ମର୍ଯ୍ୟାଦା ପ୍ରଦାନ କରିଛନ୍ତି।

ଏଭଳି ସମ୍ମାନ ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି ଏମ୍‌ସ ଭୁବନେଶ୍ୱର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ବାସ। ଏଭଳି ମର୍ମନ୍ତୁଦ ଟ୍ରେନ୍‌ ଦୁର୍ଘଟଣାରେ ୨୯୬ ଜଣଙ୍କର ମୃତ୍ୟୁ ଘଟିଛି। ତେବେ ଏମ୍‌ସ ଭୁବନେଶ୍ୱରକୁ ଶବ ପରିଚାଳନା ଭଳି ଏକ ଗୁରୁଦାୟିତ୍ବ ପ୍ରଦାନ କରାଯାଇଥିଲା। ଦୁଇଟି ପର୍ଯ୍ୟାୟରେ ଏମ୍‌ସକୁ ଆସିଥିଲା ମୋଟ ୧୬୨ ମୃତଦେହ। ସମସ୍ତ ମୃତଶରୀରଗୁଡ଼ିକୁ ସଂରକ୍ଷିତ କରି ରଖିବା ଏବଂ ସଠିକ୍‌ ଭାବେ ଚିହ୍ନଟ କରି ସେମାନଙ୍କର ସମ୍ପର୍କୀୟମାନଙ୍କୁ ହସ୍ତାନ୍ତର କରିବା ଏକ ଆହ୍ବାନ ଥିବା ପ୍ରକାଶ କରିଛନ୍ତି କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ବିଶ୍ବାସ। ମେଡିକାଲ୍‌ ଇତିହାସରେ ଏତେସଂଖ୍ୟକ ଶବକୁ ସଂରକ୍ଷିତ କରି ରଖିବା ପ୍ରଥମ ଘଟଣା ଥିଲା। ତେବେ ଏହି ଅପ୍ରତ୍ୟାଶିତ ଆହ୍ବାନକୁ ଗ୍ରହଣ କରିବା ସହିତ ପ୍ରାୟ ଦେଢ଼ଶହ ଡାକ୍ତର, ପାରାମେଡିକାଲ୍‌ କର୍ମଚାରୀ ଏବଂ ଆଟେଣ୍ଡାଣ୍ଟ୍‌ଙ୍କ ନିଷ୍ଠାପର ଉଦ୍ୟମ ଏବଂ ଦିନରାତି ପରିଶ୍ରମ ଏଭଳି ଗୁରୁତ୍ବପୂର୍ଣ୍ଣ ଦାୟିତ୍ବକୁ ସଫଳତାର ସହିତ ପୂରଣ କରିବାରେ ସହାୟକ ହୋଇଥିବା କହିଛନ୍ତି ଡ. ବିଶ୍ବାସ। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ନିରନ୍ତର ସହଯୋଗ ଏବଂ ସହାୟତା ବଳରେ ଏମ୍‌ସ ଭୁବନେଶ୍ୱର ସମସ୍ତ ମରଶରୀରଗୁଡ଼ିକୁ ଅତ୍ୟାଧୁନିକ ବୈଜ୍ଞାନିକ ପଦ୍ଧତିରେ ସଂରକ୍ଷିତ କରି ରଖିବା ସହିତ ଆଧାର କାର୍ଡ ଏବଂ ଡିଏନ୍‌ଏ ରିପୋର୍ଟ ବିଶ୍ଳେଷଣ ସହାୟତାରେ ସଠିକ୍‌ ଚିହ୍ନଟ କରିପାରିଛି।

ଗତକାଲି ଅନୁଷ୍ଠିତ କାର୍ଯ୍ୟକ୍ରମରେ ଏମ୍‌ସ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ବିଶ୍ବାସଙ୍କ ସମେତ ମେଡିକାଲ୍‌ ଅଧୀକ୍ଷକ ଡ. ଦିଲ୍ଲୀପ କୁମାର ପରିଡ଼ା, ଆନାଟୋମି ବିଭାଗ ମୁଖ୍ୟ ଡ. ମନୀଷା ଗାଏକୱାଡ, ଏଫ୍‌ଏମ୍‌ଟି ବିଭାଗ ଅତିରିକ୍ତ ପ୍ରଫେସର୍‌ ଡ. ସୁଦୀପ୍ତ ସିଂ, ଭାରପ୍ରାପ୍ତ ଡିଡିଏ ରଶ୍ମି ରଞ୍ଜନ ସେଠୀ ପ୍ରମୁଖ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ସମ୍ମାନୀତ ହୋଇଥିଲେ।

ଉଲ୍ଲେଖଯୋଗ୍ୟ ଯେ ଏମ୍‌ସ ଭୁବନେଶ୍ୱରକୁ ଦୁଇଟି ପର୍ଯ୍ୟାୟରେ ବାହାନାଗା ଟ୍ରେନ୍ ଦୁର୍ଘଟଣାର ୧୬୨ ମୃତଦେହ ଆସିଥିଲା। ପଶ୍ଚିମବଙ୍ଗ, ଓଡ଼ିଶା, ବିହାର, ଝାଡଖଣ୍ଡ, ଛତିଶଗଡ, ତାମିଲନାଡୁ, କେରଳ ଆଦି ରାଜ୍ୟରୁ ଥିବା ଏହି ମରଶରୀରଗୁଡ଼ିକୁ ଦୀର୍ଘଦିନ ପର୍ଯ୍ୟନ୍ତ ସଂରକ୍ଷିତ କରି ରଖିବା ସହିତ ସଠିକ୍‌ ଚିହ୍ନଟ କରି ସେମାନଙ୍କ ସମ୍ପର୍କୀୟଙ୍କୁ ହସ୍ତାନ୍ତର କରାଯାଇଛି। ଆଜିସୁଦ୍ଧା ୧୩୩ଟି ମୃତଦେହ ସେମାନଙ୍କର ପରିବାରକୁ ହସ୍ତାନ୍ତର କରାଯାଇସାରିଥିବାବେଳେ ଆଉ ୨୯ଟି ମୃତଦେହକୁ ସଂରକ୍ଷିତ କରି ରଖାଯାଇଛି।

Spread the love