ଚନ୍ଦ୍ରଯାନ-୩କୁ ଚନ୍ଦ୍ରର ପାର୍କିଙ୍ଗ୍‌ କକ୍ଷପଥକୁ ନେଲା ‘ଇସ୍ରୋ’; ଲ୍ୟାଣ୍ଡ୍‌ର ଓ ରୋଭର୍‌ ପୃଥକ୍‌ ପାଇଁ ପ୍ରସ୍ତୁତି ଆରମ୍ଭ

ବେଙ୍ଗାଲୁରୁ: ଆଜି ଚନ୍ଦ୍ରଯାନ-୩କୁ ସଫଳତାର ସହିତ ଚନ୍ଦ୍ର ଶେଷ ତଥା ପାର୍କିଙ୍ଗ୍‌ କକ୍ଷପଥକୁ ନିଆଯାଇଥିବା କଥା ଟୁଇଟ୍‌ କରି ‘ଭାରତୀୟ ମହାକାଶ ଗବେଷଣା ସଂସ୍ଥାନ’ (ଇସ୍ରୋ) ସୂଚନା ଦେଇଛି। ଏବେ ଚନ୍ଦ୍ରଯାନ-୩ରେ ଥିବା ‘ଲ୍ୟାଣ୍ଡର୍‌’ ଓ ‘ରୋଭର୍‌’କୁ ‘ପ୍ରୋପଲ୍‌ସନ୍‌ ମୋଡ୍ୟୁଲ୍‌’ରୁ ପୃଥକ୍‌ କରି କକ୍ଷପଥକୁ ଆହୁରି ନିମ୍ନତର କରି ନିୟନ୍ତ୍ରିତ ଅବତରଣ ବା ‘ସଫ୍ଟ୍‌ ଲ୍ୟାଣ୍ଡିଙ୍ଗ୍‌’ ପାଇଁ ପ୍ରସ୍ତୁତି ଚାଲିଛି। ଆଜି ‘ଏକ୍ସ୍‌’ କରି (ଟୁଇଟ୍‌) ‘ଇସ୍ରୋ’ ଲେଖିଛି: ପୂର୍ବ ନିର୍ଦ୍ଧାରିତ ଲକ୍ଷ୍ୟ ଅନୁଯାୟୀ, ଆଜି ସ୍ବଳ୍ପ ସମୟ ପାଇଁ ଆବଶ୍ୟକ ହୋଇଥିବା ସଫଳ ‘ଫାଇରିଙ୍ଗ୍‌’ ଚନ୍ଦ୍ରଯାନ-୩କୁ ୧୫୩ କିଲୋମିଟର୍‌ X ୧୬୩ କିଲୋମିଟର୍‌ କକ୍ଷପଥକୁ ନେଇଛି। ଅର୍ଥାତ୍‌ ଚନ୍ଦ୍ରଠାରୁ ୧୫୩ x ୧୬୩ କିଲୋମିଟର୍‌ ଦୂର କକ୍ଷପଥରେ ଚନ୍ଦ୍ରଯାନ-୩ ଚନ୍ଦ୍ର ଏବେ ପ୍ରଦକ୍ଷିଣ ଆରମ୍ଭ କରିଛି। କିନ୍ତୁ, ଏହା ନୂଆ କକ୍ଷପଥରେ ଥାଇ ଏପର୍ଯ୍ୟନ୍ତ ଚନ୍ଦ୍ରର ସମ୍ପୂର୍ଣ୍ଣ ପରିକ୍ରମଣ କରିନାହିଁ।

ଏଥି ସହିତ ଶେଷ ହୋଇଛି ଚନ୍ଦ୍ରାବତରଣ ନିମନ୍ତେ ଚନ୍ଦ୍ରଯାନ-୩ର ୫ମ ତଥା ଶେଷ କକ୍ଷପଥ ପ୍ରବେଶ। ଆସନ୍ତାକାଲି ଚନ୍ଦ୍ରଯାନରେ ଥିବା ‘ଲ୍ୟାଣ୍ଡର୍‌’ ଓ ‘ରୋଭର୍‌’କୁ ‘ପ୍ରୋପଲ୍‌ସନ୍‌ ମୋଡ୍ୟୁଲ୍‌’ରୁ ପୃଥକ୍‌ କରାଯିବାକୁ ଯୋଜନା କରାଯାଇଛି। ସୂଚନାଯୋଗ୍ୟ, ଜୁଲାଇ ୧୪ରେ ଚନ୍ଦ୍ର ଅଭିମୁଖେ ଉତ୍‌କ୍ଷେପଣ କରାଯାଇଥିବା ‘ଚନ୍ଦ୍ରଯାନ-୩’ ଅଗଷ୍ଟ ୫ ତାରିଖ ଦିନ ସଫଳତାର ସହିତ ଚନ୍ଦ୍ରର କକ୍ଷପଥରେ ପ୍ରବେଶ କରିଥିଲା। ପରେ ପରେ ଅର୍ଥାତ ଅଗଷ୍ଟ ୬, ୯ ଓ ୧୪ରେ ଏହା ଚନ୍ଦ୍ର ପୃଷ୍ଠ ଆଡ଼କୁ ଯିବା ଲାଗି ଆଉ ୪ଟି କକ୍ଷ ପଥରେ ପ୍ରବେଶ କରିଥିଲା।

Spread the love