ସୁସ୍ଥ ହୋଇ ଘରକୁ ଫେରିଲେ ପ୍ରଖ୍ୟାତ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକ

ଭୁବନେଶ୍ୱର: ପ୍ରଖ୍ୟାତ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଭୁବନେଶ୍ବରର ଏକ ଘରୋଇ ହସପିଟାଲରୁ ଚିକିତ୍ସିତ ହୋଇ ସେ ସୁସ୍ଥ ହୋଇଛନ୍ତି। ପ୍ରଣବ ଡେଙ୍ଗୁରେ ଆକ୍ରାନ୍ତ ହୋଇ ଘରୋଇ ହସପିଟାଲରେ ଚିକିତ୍ସିତ ହେଉଥିଲେ ବୋଲି ତାଙ୍କ ପତ୍ନୀ ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଏକ ପ୍ରତିନିଧି ଦଳ ବିଶିଷ୍ଟ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକଙ୍କୁ ସାକ୍ଷାତ କରି ଚିକିତ୍ସା ସହାୟତା ପାଇଁ ପରିବାର ସଦସ୍ୟଙ୍କୁ ଏକ ଲକ୍ଷ ଟଙ୍କାର ଏକ ଚେକ ପ୍ରଦାନ କରିଥିଲେ। ପ୍ରତିନିଧି ଦଳରେ ଓଡିଆ ଚଳଚ୍ଚିତ୍ର ଉନ୍ନୟନ ନିଗମ ଅଧ୍ୟକ୍ଷ ସତ୍ୟବ୍ରତ ତ୍ରିପାଠୀ, ସଂସ୍କୃତି ନିର୍ଦ୍ଦେଶକ ଦିଲୀପ ରାଉତରାଏ, ବିଭାଗୀୟ ଯୁଗ୍ମ ନିର୍ଦ୍ଦେଶକ ସୁବୋଧ ଆଚାର୍ଯ୍ୟ, ଓଡିଶା ସଙ୍ଗୀତ ନାଟକ ଏକାଡେମୀ ସଚିବ ପ୍ରବୋଧ ରଥ ସାମିଲ ଥିଲେ। ଉଲ୍ଲେଖଯୋଗ୍ୟ, ୧୯୩୮ ମସିହା ଜାନୁଆରି ୨୦ ତାରିଖରେ କଟକ ବକ୍ସିବଜାର ଯାଚକ ଲେନରେ ଜନ୍ମ ଗ୍ରହଣ କରିଥିବା ପ୍ରଣବ ୧୯୪୮ରେ ସେ ଶିଶୁ ସଂସାରରେ ଗାଇବା ଆରମ୍ଭ କରନ୍ତି। ପରେ ଦିଲ୍ଲୀରେ ଆକାଶବାଣୀ ପକ୍ଷରୁ ଏକ ସଂଗୀତ ପ୍ରତିଯୋଗିତାରେ ବି ପ୍ରଥମ ସ୍ଥାନ ଅଧିକାର କରିବାରୁ ବିନା ଅଡିସନରେ ସେ ଆକାଶବାଣୀରେ ଗାଇବାର ସୁଯୋଗ ପାଇଲେ। ପିଲାବେଳୁ ବାପାଙ୍କ ‘ଜୀବନ ଚମ୍ପୁ’ ଏବଂ ଅନ୍ୟ ସଂଗୀତ ବହି ପଢ଼ିଥିବା ବେଳେ ସୁକୀର୍ତ୍ତି ପଟ୍ଟନାୟକଙ୍କଠାରୁ ଗୀତ ଶିଖି ଆଗକୁ ବଢ଼ିଥିଲେ। ପରେ ‘କେ ଏଲ୍ ସାଇଗଲଙ୍କ ଗୀତ ଶୁଣିବାକୁ ସେ ଭଲ ପାଉଥିବାରୁ ତାଙ୍କୁ ପ୍ରଥମ ଗୁରୁ ଭାବେ ଗ୍ରହଣ କରିଥିଲେ। ତାଙ୍କର ଶାସ୍ତ୍ରୀୟ ସଂଗୀତ ଗୁରୁ ଥିଲେ ପଣ୍ଡିତ କୁଣ୍ଡଳ ଆଦିନାରାୟଣ ରାଓ। ଏହା ପରେ ବାଳକୃଷ୍ଣ ଦାଶ, ଭୁବନେଶ୍ୱର ମିଶ୍ର, ଶାନ୍ତନୁ ମହାପାତ୍ର ଓ ଗୁରୁକୃଷ୍ଣ ଗୋସ୍ୱାମୀ ପ୍ରଣବଙ୍କ ସଂଗୀତ ସାମ୍ରାଜ୍ୟକୁ ଆଗେଇ ନେଇଥିଲେ।

୧୯୫୮ରେ ମୁକ୍ତିପ୍ରାପ୍ତ ମା’ ଚଳଚ୍ଚିତ୍ରରେ ପ୍ରଣବ ପଟ୍ଟନାୟକ ପ୍ରଚ୍ଛଦପଟ୍ଟ ଗାୟକ ଭାବେ କ୍ୟାରିଅର୍ ଆରମ୍ଭ କରିଥିଲେ। ଏହାପରେ ସେ ଯାଯାବର, ବତୀଘର, ଶେଷ ଶ୍ରାବଣ, ଚିହ୍ନା ଅଚିହ୍ନା, ଆରତୀ, ସଂସାର, ପରିବାର, କୁଳଚନ୍ଦ୍ରମା, ଲକ୍ଷେ ଶିବ ପୂଜି ପାଇଚି ପୁଅ, ଅଲିଭା ଦାଗ, ସମର୍ପଣ, ସିନ୍ଦୂରବିନ୍ଦୁ, ରାମାୟଣ, ଝିଅଟି ସୀତା ପରି  ଓ ମମତା ଆଦି ସମେତ ବହୁ ଓଡ଼ିଆ ଚଳଚ୍ଚିତ୍ରରେ କଣ୍ଠଦାନ କରିଥିଲେ। ପ୍ରଣବ ଗାଇଥିବା ଇନ୍ଦ୍ରଧନୁର ସପ୍ତରଙ୍ଗ.., କେଉଁ ନାମ ଧରି , ଯଉବନରୁ ଅପରାଧ, ‘ସୀମାହୀନ ଦରିଆ.., ହାଏ ସେ ହରିଣୀ ଆଖି…, ରେ ଆତ୍ମନ୍, ନ କର ନକର ମନ, ମା ତୁମେ ଜଗତର ସାହାଭରସା, ମାଝିରେ ଶେଷ ଶ୍ରାବଣ, ଯାରେ ମାଝି ଯା..  ଓ  ତୁନି ତୁନି କଥା ଲାଗେ ଭାରି ମିଠା… ଆଦି ଆଜି ବି ବେଶ୍ ଲୋକପ୍ରିୟ।

Spread the love