ସ୍ବାମୀ-ସ୍ତ୍ରୀଙ୍କ କଳି: ୩ ବର୍ଷୀୟ ଝିଅର ତଣ୍ଟି କାଟିଲା ନିଶାଗ୍ରସ୍ତ ବାପା

ବାଲିଅନ୍ତା: ସ୍ବାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ହୋଇଥିବା କଳି ଉଗ୍ରରୂପ ନେଇଛି। ଉଭୟଙ୍କ କଳିର ଚାପ ନିଷ୍ପାପ ଶିଶୁକନ୍ୟା ଉପରେ ପଡ଼ିଛି। ନିଶାଗସ୍ତ ବାପା ୩ ବର୍ଷ ବୟସର କୁନିଝିଅର ତଣ୍ଟି କାଟିଛି। ଗୁରୁତର ଅବସ୍ଥାରେ ଶିଶୁକନ୍ୟାକୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ରାଜଧାନୀ ଭୁବନେଶ୍ବର ଉପକଣ୍ଠ ବାଲିଅନ୍ତା ନିକଟରେ ଆଜି ଅପରାହ୍‌ଣରେ ଏହି ଅଭାବନୀୟ ଘଟଣା ଘଟିଛି।

ବାଲିଅନ୍ତା ଥାନା ଅନ୍ତର୍ଗତ ବାଳକାଟି ଫାଣ୍ଡି ଅଧୀନ ସାଇଫନ ଛକ ନିକଟ ଶକ୍ତି ଇଟାଭାଟିରେ ବିଭିନ୍ନ ଜିଲ୍ଲାର ଶ୍ରମିକମାନେ କାମ କରନ୍ତି। ବାହାର ଜିଲ୍ଲାରୁ ଆସିଥିବା ଶ୍ରମିକମାନେ ଏହି ଅଞ୍ଚଳରେ ଥିବା ବସ୍ତିରେ ରୁହନ୍ତି। ଏହି କ୍ରମରେ ମୟୂରଭଂଜ ଜିଲ୍ଲାରୁ ଅଭିଯୁକ୍ତ ରୋହିଆ ସିଂହ (୩୦) ଆସିଥିଲେ। ସେ ସପରିବାର ସହିତ ଏଠାରେ ରହୁଥିଲେ। ଆଜି ଅପରାହ୍‌ଣ ପ୍ରାୟ ସାଢ଼େ ୧୨ଟାରେ ସ୍ତ୍ରୀଙ୍କ ସହିତ ରୋହିଆର ପାରିବାରିକ କଳି ହୋଇଥିଲା। ରୋହିଆ ମଦ ପିଇଥିଲା। ଏହି କାରଣରୁ ସେ ହିତାହିତ ଜ୍ଞାନ ଭୁଲି ଯାଇଥିଲା। ରାଗରେ ଜର୍ଜରିତ ହୋଇ ଏକ ବ୍ଲେଡରେ ୩ ବର୍ଷୀୟ ଝିଅର ତଣ୍ଟିକୁ କାଟି‌ ଦେଇଥିଲା। ବାପାର ଦ୍ବାରା ଆକ୍ରମଣର ଶିକାର ହେଲା ପରେ କୁନିଝିଅଟି ରକ୍ତ ଜୁଡୁବୁଡ଼ୁ ହୋଇ ତଳେ ପଡ଼ିଯାଇଥିଲା।

ସ୍ଥାନୀୟ ଲୋକଙ୍କ ଠାରୁ ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଥିଲା। ଗୁରୁତର ଝିଅକୁ ପ୍ରଥମେ ଉଦ୍ଧାର କରି ବାଳ‌କାଟି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲା। ମାତ୍ର ତାର ଅବସ୍ଥା ସଂକଟାପନ୍ନ ଥିବାରୁ ଡାକ୍ତର କଟକ ବଡ଼ଡାକ୍ତରଖାନାକୁ ସ୍ଥାନାନ୍ତରିତ କରିଥିଲେ। ପୁଲିସ ଅଭିଯୁକ୍ତ ବାପାକୁ ରଖି ଅଟକ ରଖି ପଚରାଉଚ କରିଛି।

Spread the love