ପ୍ରଧାନମନ୍ତ୍ରୀ ମୋଦୀଙ୍କ ୭୨୦୦ ହୀରାଖଚିତ ପ୍ରତିକୃତି ବନାଇଲେ ସୁରତର କଳାକାର

ସୁରତ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲୋକପ୍ରିୟତା ଦେଶବିଦେଶରେ ବୃଦ୍ଧି ପାଉଥିବା ବେଳେ ସୁରତ, ଗୁଜରାଟର ଜଣେ ଆର୍କିଟେକ୍ଟ ତାଙ୍କର ଏକ ପ୍ରତିକୃତି ତିଆରି କରିଛନ୍ତି, ଯେଉଁଥିରେ ସେ ୭୨୦୦ ହୀରା ବ୍ୟବହାର କରିଛନ୍ତି। ଆସନ୍ତା ସେପ୍ଟେମ୍ବର ୧୭ରେ ମୋଦୀଙ୍କ ୭୩ତମ ଜନ୍ମଦିବସରେ ତାଙ୍କୁ ଉପହାର ଦେବା ପାଇଁ ଏହି ଯୁବ କଳାକାର ଲକ୍ଷ୍ୟ ରଖିଛନ୍ତି।ସୁରତ ବାସିନ୍ଦା ବିପୁଲ ଜେପିୱାଲା ନାମକ ଏହି କଳାକାର ଜଣେ ଆର୍କିଟେକ୍ଟ ଏବଂ ଇଂଜିନିୟର ମଧ୍ୟ। ଏଥି ସହ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଜଣେ ଉଚ୍ଚ ପ୍ରଶଂସକ। ଗୃହର ଡିଜାଇନ କରିବା ତାଙ୍କର ପେସା ହୋଇଥିବା ବେଳେ ଚିତ୍ର ଆଙ୍କିବା ତାଙ୍କର ଏକ ନିଶା। ଏହି ବିରଳ ପ୍ରତିକୃତିଟି ପ୍ରସ୍ତୁତ କରିବା ପାଇଁ ତାଙ୍କୁ ସାଢ଼େ ତିନିମାସ ସମୟ ଲାଗିଥିଲା। ପ୍ରଧାନମନ୍ତ୍ରୀ ମୋଦୀ ରାଷ୍ଟ୍ରୀୟ ଅତିଥି ଭାବେ ଆମେରିକା ଗସ୍ତ କରିବା ସମୟରେ ଆମେରିକାର ପ୍ରଥମ ମହିଳାଙ୍କୁ ହୀରା ଉପହାର ଦେଉଥିବା ଦେଖି ସେ ମୋଦୀଙ୍କୁ ତାଙ୍କ ଜନ୍ମଦିନରେ ତାଙ୍କର ଏକ ହୀରାଖଚିତ ପ୍ରତିକୃତି ଉପହାର ଦେବାକୁ ମନସ୍ଥ କରିଥିଲେ। ୭୨୦୦ ହୀରାଖଚିତ ଏହି ପ୍ରତିକୃତିର ମୂଲ୍ୟ କେତେ ବୋଲି ପ୍ରଶ୍ନର ଉତ୍ତରରେ ବିପୁଲ ଜେପିୱାଲା କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦୀଙ୍କ ତୁଳନାରେ ଏହି ମୂଲ୍ୟ କିଛି ନୁହେଁ।

Spread the love