କୌଣସି ଶକ୍ତି ମୋତେ ଅଟକାଇ ପାରିବ ନାହିଁ’ ; ଗିରଫ ହେବା ପରେ ଏଭଳି କହିଲେ ଚନ୍ଦ୍ରବାବୁ

ନୂଆଦିଲ୍ଲୀ: ଦକ୍ଷତା ବିକାଶ ଦୁର୍ନୀତି ମାମଲାରେ ‘ସିଆଇଡି’ ଆଜି ପ୍ରତ୍ୟୁଷରେ ଆନ୍ଧ୍ର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ‘ତେଲୁଗୁ ଦେଶମ୍‌ ପାର୍ଟି’ର ମୁଖ୍ୟ ଏନ୍‌. ଚନ୍ଦ୍ରବାବୁ ନାଇଡୁଙ୍କୁ ନନ୍ଦୟାଲାରେ ଗିରଫ କରିଥିଲା। ଗିରଫ ହେବାର ଅଳ୍ପ ସମୟ ପରେ ଚନ୍ଦ୍ରବାବୁ ନାଇଡୁ କହିଛନ୍ତି ଯେ ତେଲୁଗୁ ଲୋକଙ୍କ ସ୍ୱାର୍ଥ ରକ୍ଷା ପାଇଁ ସେ ନିଜ ଜୀବନକୁ ଉତ୍ସର୍ଗ କରିବାକୁ ପ୍ରସ୍ତୁତ ଅଛନ୍ତି ଏବଂ କେହି ତାଙ୍କୁ ଏଭଳି କରିବା ପାଇଁ ରୋକିପାରିବେ ନାହିଁ।

ଏକ୍ସ (ଟ୍ବିଟର)ରେ ପୋଷ୍ଟ କରି ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କହିଛନ୍ତି, ‘ମୁଁ ଗତ ୪୫ବର୍ଷ ଧରି ତେଲୁଗୁ ଲୋକଙ୍କ ସେବା କରିଆସୁଛି। ସେମାନଙ୍କ ସ୍ୱାର୍ଥ ରକ୍ଷା ପାଇଁ ମୁଁ ମୋ ଜୀବନକୁ ଉତ୍ସର୍ଗ କରିବାକୁ ପ୍ରସ୍ତୁତ। ଏହି ପୃଥିବୀରେ କୌଣସି ଶକ୍ତି ନାହିଁ ଯାହା ମୋତେ ତେଲୁଗୁ ଲୋକ, ଆନ୍ଧ୍ରପ୍ରଦେଶ ଏବଂ ମାତୃଭୂମିର ସେବା କରିବାକୁ ଅଟକାଇ ପାରିବ।’

ଗିରଫ ସମୟରେ ଚନ୍ଦ୍ରବାବୁ ନାଇଡୁ ନିଜ ରାଜ୍ୟର ଲୋକ ଏବଂ ତାଙ୍କ ଦଳର ସମର୍ଥକମାନଙ୍କୁ ଧର୍ଯ୍ୟ ଧରିବାକୁ କହିଥିଲେ। ସେ କହିଥିଲେ ଯେ, ‘ଶେଷରେ ସତ୍ୟ ଏବଂ ଧର୍ମ ଜିତିବ। ସେମାନେ ମୋ ସହ ଯାହା ବି କରନ୍ତୁ, ହେଲେ ମୁଁ ଲୋକଙ୍କ ପାଇଁ ଆଗକୁ ବଢ଼ିବି।

ଅନ୍ୟପକ୍ଷରେ ଚନ୍ଦ୍ରବାବୁ ନାଇଡୁ ଗିରଫ ହେବା ପରେ ଟିଡିପି ସମର୍ଥକମାନେ ଏକ ବିରୋଧ ପ୍ରଦର୍ଶନ କରିଥିଲେ। ତିରୁପତିସ୍ଥିତ ଅନ୍ନପୂର୍ଣ୍ଣା ସାରୁକୁଲୁ କେନ୍ଦ୍ରରେ ନିଆଁ ଲଗାଇ ସେମାନେ ପ୍ରଦର୍ଶନ କରିଥିଲେ। ଏଥିସହିତ ହାଇଦ୍ରାବାଦର କେବିଆର ପାର୍କରେ ଦଳୀୟ ପତାକା ଉତ୍ତୋଳନ କରି ମହିଳା ସମର୍ଥକମାନେ ବିରୋଧ କରିଥିବା ଦେଖାଯାଇଥିଲା।

Spread the love