ରାସ୍ତା ସମସ୍ୟାକୁ ନେଇ ପଞ୍ଚାୟତରେ ସରପଞ୍ଚଙ୍କୁ ତାଲା ପକାଇଲେ ଗ୍ରାମବାସୀ

ରାଇରଙ୍ଗପୁର/ଝରାଡ଼ିହି: ମୟୂରଭଞ୍ଜ ଜିଲ୍ଲା ବହଳଦା ବ୍ଲକ ଅନ୍ତର୍ଗତ ବଡ଼ପଳସା ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ମଧ୍ୟରେ ମହିଳା ସରପଞ୍ଚଙ୍କୁ ରାସ୍ତା ସମସ୍ୟା ନେଇ ଦୀର୍ଘ ୫ ଘଣ୍ଟା ଧରି କାର୍ଯ୍ୟାଳୟ ଭିତରେ ତାଲା ପକାଇ ରଖିଲେ ପଞ୍ଚାୟତବାସୀ। ସୂଚନା ଅନୁସାରେ ବଡ଼ପଳସା ଗ୍ରାମପଞ୍ଚାୟତ ଅଧିନରେ ଥିବା ବିଭିନ୍ନ ଗାଁଗୁଡ଼ିକର ରାସ୍ତା ଦୀର୍ଘ ବର୍ଷ ଧରି ଶୋଚନୀୟ ଅବସ୍ଥାରେ ପଡିରହିଛି। ଫଳରେ ପ୍ରତ୍ୟେକ ଦିନ ବିପଦପୂର୍ଣ୍ଣ ରାସ୍ତାରେ ପଞ୍ଚାୟତବାସୀ ଗମନାଗମନ କରୁଛନ୍ତି। ଏ ସମ୍ପର୍କରେ ପଞ୍ଚାୟତବାସୀ ବାରମ୍ବାର ଅଭିଯୋଗ କରି ଆସୁଥିଲେ ସୁଦ୍ଧା ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ସୁଫଳ ମିଳି ପାରିନାହିଁ।

ତେବେ ଏହି ରାସ୍ତା ସମସ୍ୟା ଉପରେ ସ୍ଥାନୀୟ ଜନପ୍ରତିନିଧି, ବ୍ଲକ ପ୍ରଶାସନ ଓ ଉପଖଣ୍ଡ ପ୍ରଶାସନର ଦୃଷ୍ଟି ପଡ଼ି ପାରୁନାହିଁ। ଏନେଇ ପଞ୍ଚାୟତବାସୀ ଅତିଷ୍ଠ ହେବା ପରେ  ପାଖାପାଖି ୫ ଘଣ୍ଟା କାଳ ବଡ଼ପଳସା ଗ୍ରାମପଞ୍ଚାୟତର ସରପଞ୍ଚ ଗୀତାରାଣୀ ହେମ୍ବ୍ରମଙ୍କୁ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ଭିତରେ ତାଲା ପକାଇ ଦେଇଥିଲେ। ତେବେ ଖବର ପାଇ ତିରିଂ ଥାନା ପୁଲିସ ଘଟଣାସ୍ଥଳକୁ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବାକୁ ଚେଷ୍ଟା କରି ବିଫଳ ହେବାପରେ ରାଇରଙ୍ଗପୁର ଏସଡିପିଓ, ବହଳଦା ତହସିଲଦାର ଓ ବହଳଦା ଅତିରିକ୍ତ ବିଡିଓ ଘଟଣାସ୍ଥଳକୁ ପହଞ୍ଚି ଉତ୍ୟକ୍ତ ଲୋକଙ୍କ ସହିତ ବୁଝାସୁଝା କରି ସମସ୍ୟାର ସମାଧାନ କରିବାକୁ ପ୍ରତିଶ୍ରୁତି ଦେବାପରେ ଲୋକେ ପଞ୍ଚାୟତ କାର୍ଯ୍ୟାଳୟରୁ ତାଲା ଖୋଲି ସରପଞ୍ଚ ଶ୍ରୀମତୀ ହେମ୍ବ୍ରମଙ୍କୁ ଛାଡ଼ିଥିଲେ।

Spread the love