ପ୍ରଶ୍ନକାଳ ଆରମ୍ଭରୁ ଗୃହରେ ହଟ୍ଟଗୋଳ: ଦିନ ୧୨ଟା ଯାଏ ବିଧାନସଭା ମୁଲତବୀ

ଭୁବନେଶ୍ବର: ଆଜି ବି ସ୍ବାଭାବିକ ହୋଇପାରିଲାନି ଗୃହ। ପ୍ରଶ୍ନକାଳ ଆରମ୍ଭରୁ ଗୃହରେ ହଟ୍ଟଗୋଳ ଦେଖିବାକୁ ମିଳିଥିଲା। ଗୃହରେ ପ୍ରଶ୍ନକୁ ରିଜେକ୍ଟ କରାଯାଉଥିବା ନେଇ ବିଜେପି ବିଧାୟକମାନେ ପାଟିତୁଣ୍ଡ କରିଥିଲେ। ତେଣେ ଏମଏସପି ପ୍ରସଙ୍ଗ ଉଠାଇ ଶାସକ ବିଜେଡିର ସଦସ୍ୟମାନେ ବି ହଟ୍ଟଗୋଳ କରିଥିଲେ। ଏହାଫଳରେ ଦିନ୧୨ଟା ଯାଏ ବିଧାନସଭାକୁ ମୁଲତବୀ ଘୋଷଣା କରିଲେ ବାଚସ୍ପତି ପ୍ରମିଳା ମଲ୍ଲିକ। ଏଣେ ଗୃହର ସୁପରିଚାଳନା ଲାଗି ସର୍ବଦଳୀୟ ବୈଠକ ଡାକିଲେ ବାଚସ୍ପତି।

ସୂଚନାଯୋଗ୍ୟ,  ବିଧାନସଭା ଗତକାଲି ହୁଲସ୍ତୁଲ ହୋଇଥିଲା। ୫-ଟି ସଚିବଙ୍କ ଗସ୍ତ ସଂକ୍ରାନ୍ତରେ ପଚରାଯାଇଥିବା ପ୍ରଶ୍ନର ଉତ୍ତର ମିଳୁ ନଥିବା ପ୍ରତିବାଦରେ ବିଜେପି ସଭ୍ୟମାନେ ଭୀଷଣ ହଟ୍ଟଗୋଳ କରିଥିଲେ। ଦିନତମାମ ଗୃହ ମଧ୍ୟ ଭାଗରେ ନାରାବାଜି କରିବାରୁ ଗୃହ କାର୍ଯ୍ୟ ହୋଇପାରି ନଥିଲା। ଗୃହ ଭିତରେ ଓ ବାହାରେ ଉଭୟ ବିଜେପି ଓ କଂଗ୍ରେସ ସରକାରଙ୍କୁ ଭର୍ତ୍ସନା କରିଥିଲେ। ଏପରିକି ମୁଖ୍ୟମନ୍ତ୍ରୀଙ୍କ ବିବୃତି ପରେ ବି ଗୃହର ପରିସ୍ଥିତି ସ୍ବାଭାବିକ ହୋଇପାରିନଥିଲା। ବାଚସ୍ପତିଙ୍କ ସର୍ବଦଳୀୟ ବୈଠକ ମଧ୍ୟ ବିଫଳ ହୋଇଥିଲା। ପ୍ରଶ୍ନକାଳ ଆରମ୍ଭ ହେଲା ମାତ୍ରେ ବିଜେପି ସଭ୍ୟମାନେ ଗୃହ ମଧ୍ୟ ଭାଗକୁ ମାଡ଼ି ଆସିଥିଲେ। ୫-ଟି ସଚିବଙ୍କ ଗସ୍ତ ସଂକ୍ରାନ୍ତରେ ପଚରାଯାଇଥିବା ପ୍ରଶ୍ନକୁ ଦେଖାଇବା ସହ କାହିଁକି ତାହାକୁ ତାଲିକାଭୁକ୍ତ କରାଗଲା ନାହିଁ ବୋଲି ପଚାରିଥିଲେ। ବାଚସ୍ପତି ଗୃହ କାର୍ଯ୍ୟ ଜାରି ରଖି ଏକ ପ୍ରଶ୍ନର ଉତ୍ତର ରଖିବାକୁ ଅର୍ଥ ମନ୍ତ୍ରୀଙ୍କୁ ଡାକିଥିଲେ। ବିଜେପି ସଭ୍ୟମାନେ ଆରମ୍ଭ କରିଦେଇଥିଲେ ନାରାବାଜି… ‘ଗଣତନ୍ତ୍ରର ହତ୍ୟା କରିବା ବନ୍ଦ କର’, ‘ସଚିବ ବଡ଼ ନା ମନ୍ତ୍ରୀ ବଡ଼, ମୁଖ୍ୟମନ୍ତ୍ରୀ ତୁମେ ଜବାବ ଦିଅ’। ଏହି ସମୟରେ ବିଜେଡି ସଭ୍ୟମାନେ ମଧ୍ୟ ନିଜ ନିଜ ଆସନରେ ଠିଆ ହୋଇପଡ଼ିଲେ। କେନ୍ଦ୍ରୀୟ ଅବହେଳା ବିଶେଷ କରି ଜାତୀୟ ରାଜପଥ ନିର୍ମାଣରେ ଅବହେଳା କଥା କହି ବିଜେପି ସଭ୍ୟମାନଙ୍କୁ ଟାର୍ଗେଟ୍ କରି ସ୍ଲୋଗାନ୍ ଦେଇଥିଲେ। ଫଳରେ ଗୃହର ପରିବେଶ ଅଶାନ୍ତ ହୋଇପଡ଼ିଥିଲା। ବାଚସ୍ପତି ଗୃହକୁ ପୂର୍ବାହ୍ନ ୧୧ଟା ୩୦ ପର୍ଯ୍ୟନ୍ତ ମୁଲତବୀ ରଖିଲେ। ୧୧ଟା ୩୦ରେ ଗୃହ କାର୍ଯ୍ୟ ଆରମ୍ଭ ହେଲା ମାତ୍ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିବୃତି ରଖିଥିଲେ। କିନ୍ତୁ ବିଜେପି ସଭ୍ୟମାନେ ହୋହଲ୍ଲା କରି ଗୃହ ମଧ୍ୟ ଭାଗକୁ ମାଡ଼ି ଆସିଲେ।

ମୁଖ୍ୟମନ୍ତ୍ରୀ କହିସାରିଲା ପରେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର କହିବା ପାଇଁ ଠିଆ ହେଲେ। ବାଚସ୍ପତି ତାଙ୍କୁ ସୁଯୋଗ ଦେଲେ। ଶ୍ରୀ ମିଶ୍ର କହିବା ଆରମ୍ଭ କଲା ବେଳେ ଶାସକ ଦଳ ସଭ୍ୟମାନେ ଠିଆ ହୋଇ ହୋହଲ୍ଲା କଲେ। ତାହାରି ଭିତରେ ଶ୍ରୀ ମିଶ୍ର କହିଥିଲେ, ଜଣେ ସଚିବ ସରକାରୀ ପଇସାରେ ଜିଲ୍ଲା ଗସ୍ତ କରୁଛନ୍ତି। ସେହି ଗସ୍ତ ଖର୍ଚ୍ଚ ସମ୍ପର୍କରେ ଜାଣିବାର ଅଧିକାର ଓଡ଼ିଶାବାସୀଙ୍କର ଅଛି। କିନ୍ତୁ ସରକାର ତଥ୍ୟ ଲୁଚାଉଛନ୍ତି। ଏ ସମ୍ପର୍କରେ ବିଧାନସଭାରେ ପ୍ରଶ୍ନ କଲେ ତାହାର ଉତ୍ତର ମିଳୁନି। କାହିଁକି ଉତ୍ତର ଦିଆଯିବନି, ତାହା ବି ବିଧାୟକଙ୍କୁ ଜଣାଯାଉ ନାହିଁ। ତେବେ ବିରୋଧୀ ଦଳ ନେତାଙ୍କ ବକ୍ତବ୍ୟ ସରି ନଥିଲା ବେଳେ ତାଙ୍କ ମାଇକ ବନ୍ଦ କରିଦିଆଯିବାରୁ ସେ କ୍ଷୋଭ ପ୍ରକାଶ କରିଥିଲେ। ଏହା ପରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଥିଲେ, ଉଭୟ କେନ୍ଦ୍ର ଓ ରାଜ୍ୟରେ ଗଣତନ୍ତ୍ର ନାହିଁ। ବିଧି ବ୍ୟବସ୍ଥାରେ ଗୃହ ପରିଚାଳିତ ହେଉ ନାହିଁ। ଗୃହରେ ଅଚଳାବସ୍ଥା ଚାଲିଥିଲା ବେଳେ ଜବରଦସ୍ତି ଗୃହ ଚଳାଯାଉଛି। ମୁଖ୍ୟମନ୍ତ୍ରୀ କ’ଣ ପଢ଼ିଲେ ତାହା ଶୁଣାଗଲା ନାହିଁ। ଗୃହରେ ପ୍ରଶ୍ନ ପଚାରିଲେ ଉତ୍ତର ମିଳୁନି। ମୁଲତବୀ ପ୍ରସ୍ତାବ ଆଲୋଚନା ପାଇଁ ଗ୍ରହଣ କରାଯାଉନି। ମୁଖ୍ୟମନ୍ତ୍ରୀ ଗୁମାସ୍ତାଙ୍କ ଦ୍ବାରା ଶାସନ କରାଉଛନ୍ତି। ଗୁମାସ୍ତାଙ୍କ ସଭାକୁ ଲୋକ ଆଣିବା ପାଇଁ ମନ୍ତ୍ରୀମାନଙ୍କୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ସେମାନେ ଟଙ୍କା ଦେଇ ଲୋକ ଆଣୁଛନ୍ତି। ଏହା ଦୁର୍ଭାଗ୍ୟଜନକ ଘଟଣା।

Spread the love