ଆକାଂକ୍ଷୀ ବ୍ଲକ୍‌ଗୁଡିକ ପାଇଁ ସପ୍ତାହବ୍ୟାପୀ କାର୍ଯ୍ୟକ୍ରମ: ‘ସଂକଳ୍ପ ସପ୍ତାହ’ର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀର ଭାରତ ମଣ୍ଡପମ୍‌ଠାରେ ଦେଶର ଆକାଂକ୍ଷୀ ବ୍ଲକ୍‌ଗୁଡ଼ିକ ପାଇଁ ‘ସଂକଳ୍ପ ସପ୍ତାହ’ ନାମକ ଏକ ଅନନ୍ୟ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ଆକାଂକ୍ଷୀ ବ୍ଲକ୍ ପ୍ରୋଗ୍ରାମ ପୋର୍ଟାଲର ଶୁଭାରମ୍ଭ କରିବା ସହ ଏହି ଅବସରରେ ଆୟୋଜିତ ପ୍ରଦର୍ଶନୀକୁ ମଧ୍ୟ ସେ ଉଦ୍‌ଘାଟନ କରିଥିଲେ। ପ୍ରଧାନମନ୍ତ୍ରୀ ୩ ଜଣ ବ୍ଲକସ୍ତରୀୟ ଅଧିକାରୀଙ୍କ ସହ ମଧ୍ୟ ଆଲୋଚନା କରିଥିଲେ। ଉତ୍ତରପ୍ରଦେଶ ବରେଲିର ବାହେରୀର ସ୍କୁଲ ଶିକ୍ଷୟିତ୍ରୀ ରଞ୍ଜନା ଅଗ୍ରୱାଲଙ୍କ ସହ କଥାବାର୍ତ୍ତା କରି ପ୍ରଧାନମନ୍ତ୍ରୀ ତାଙ୍କ ବ୍ଲକ୍‌ରେ ଆୟୋଜିତ ଚିନ୍ତନ ଶିବିରର ସବୁଠାରୁ ପ୍ରଭାବଶାଳୀ ଚିନ୍ତାଧାରା ବିଷୟରେ ପଚାରି ବୁଝିଥିଲେ। ଶିକ୍ଷାର ଗୁଣାତ୍ମକ ମାନରେ ଉନ୍ନତି ଆଣିବା ପାଇଁ ସ୍ମାର୍ଟ ଶ୍ରେଣୀଗୃହ ଏବଂ ଟେକ୍ନୋଲୋଜିର ବ୍ୟବହାର ବିଷୟରେ ମଧ୍ୟ ସେ ଉଲ୍ଲେଖ କରିଥିଲେ। ଜମ୍ମୁ-କାଶ୍ମୀରର ପୁଞ୍ଚ ଅଧୀନ ମନକୋଟର ସହକାରୀ ପ୍ରାଣିଧନ ଚିକିତ୍ସକ ସାଜିଦ ଅହମଦ ଆଦିବାସୀ ପଶୁପାଳକଙ୍କ ସମସ୍ୟା ବିଷୟରେ କହିଥିଲେ। ଶ୍ରେଣୀଗୃହ ଜ୍ଞାନ ଏବଂ ଅଭିଜ୍ଞତା ମଧ୍ୟରେ ପାର୍ଥକ୍ୟ ବିଷୟରେ ପ୍ରଧାନମନ୍ତ୍ରୀ ପଚାରିଥିଲେ। ପ୍ରଧାନମନ୍ତ୍ରୀ ଏହି ଅଞ୍ଚଳର ଗୁର୍ଜରମାନଙ୍କ ସହିତ ତାଙ୍କର ଘନିଷ୍ଠତା ସମ୍ପର୍କରେ ବର୍ଣ୍ଣନା କରିଥିଲେ।

ମେଘାଳୟର ରେସୁବେଲପଡ଼ା, ଏନ୍‌ଜିଏଚ୍ (ଗାରୋ ଅଞ୍ଚଳ)ର କନିଷ୍ଠ ଗ୍ରାମ୍ୟ ଉନ୍ନୟନ ଅଧିକାରୀ ମିଖେନଚାର୍ଡ ସି ମୋମିନ୍‌ଙ୍କ ସହ ଆଲୋଚନା କରିବା ପରେ ପ୍ରଧାନମନ୍ତ୍ରୀ ଏହି ଅଞ୍ଚଳ ଅତ୍ୟଧିକ ଖରାପ ପାଗ ଯୋଗୁଁ ସମ୍ମୁଖୀନ ହେଉଥିବା ଅସୁବିଧାର ସମାଧାନ ବିଷୟରେ ପଚାରି ବୁଝିଥିଲେ। ଏହି ଅଞ୍ଚଳରେ ଉତ୍ପାଦିତ କାଜୁର ଉତ୍ପାଦନ ଓ ବିପଣନ ବିଷୟରେ ପ୍ରଧାନମନ୍ତ୍ରୀ ପଚାରିବାରୁ ଶ୍ରୀ ମୋମିନ୍ କହିଥିଲେ ଯେ ଏହି ଅଞ୍ଚଳରେ ଉତ୍ପାଦିତ କାଜୁ ସମଗ୍ର ଦେଶରେ ସର୍ବୋଚ୍ଚ ମାନର। ଏହାର ଉତ୍ପାଦନକୁ ପ୍ରୋତ୍ସାହିତ କରିବା ପାଇଁ ମନରେଗା ଏବଂ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ମାଧ୍ୟମ କରାଯାଉଛି। ଏହି ଅଞ୍ଚଳରେ ଅଧିକ କାଜୁ ପ୍ରକ୍ରିୟାକରଣ ୟୁନିଟ୍ ସ୍ଥାପନ କରିବାକୁ ଶ୍ରୀ ମୋମିନ୍ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ। ପ୍ରଧାନମନ୍ତ୍ରୀ ଆକାଂକ୍ଷୀ ବ୍ଲକ ଏବଂ ଜିଲ୍ଲା କାର୍ଯ୍ୟକ୍ରମରେ ଗ୍ରାମ ପଞ୍ଚାୟତର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ମଧ୍ୟ ଉଲ୍ଲେଖ କରିଥିଲେ। ଏହା ସରକାରଙ୍କ ଚିନ୍ତାଧାରାର ସଙ୍କେତ ଯେ ଜି-୨୦ ଶିଖର ସମ୍ମିଳନୀ ସ୍ଥଳରେ ଏଭଳି ଏକ ସମାବେଶ ହେଉଛି, ଯେଉଁଠାରେ ବିଶ୍ୱ ବ୍ୟାପାରର ଦିଗ ନିର୍ଦ୍ଧାରଣ କରୁଥିବା ଲୋକମାନେ ମାସକ ପୂର୍ବରୁ ଏକାଠି ହୋଇଥିଲେ। ତୃଣମୂଳ ସ୍ତରର ପରିବର୍ତ୍ତନକାରୀମାନଙ୍କୁ ସ୍ୱାଗତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ମୋ ପାଇଁ ଏହି ସମାବେଶ ଜି-୨୦ ସମ୍ମିଳନୀଠାରୁ କମ୍ ନୁହେଁ। ସ୍ୱାଧୀନ ଭାରତର ଶ୍ରେଷ୍ଠ ୧୦ଟି କାର୍ଯ୍ୟକ୍ରମ ମଧ୍ୟରୁ ଆକାଂକ୍ଷୀ ଜିଲ୍ଲା କାର୍ଯ୍ୟକ୍ରମ ସୁବର୍ଣ୍ଣ ଅକ୍ଷରରେ ସ୍ଥାନ ପାଇବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ଆକାଂକ୍ଷୀ ଜିଲ୍ଲା କାର୍ଯ୍ୟକ୍ରମ ୧୧୨ଟି ଜିଲ୍ଲାର ପ୍ରାୟ ୨୫ କୋଟି ଲୋକଙ୍କ ଜୀବନରେ ପରିବର୍ତ୍ତନ ଆଣିଛି। ଏହି କାର୍ଯ୍ୟକ୍ରମର ସଫଳତା ଆକାଂକ୍ଷୀ ବ୍ଲକ୍ କାର୍ଯ୍ୟକ୍ରମର ଆଧାର ପାଲଟିଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ଆକାଂକ୍ଷୀ ଜିଲ୍ଲା କାର୍ଯ୍ୟକ୍ରମର ୫ ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ ଏହି କାର୍ଯ୍ୟକ୍ରମର ତୃତୀୟ ପକ୍ଷ ମୂଲ୍ୟାୟନକୁ ନେଇ ଖୁସି ବ୍ୟକ୍ତ କରିଥିଲେ। ପ୍ରଧାନମନ୍ତ୍ରୀ ଏହି ଅବସରରେ ଉପସ୍ଥିତ ବିଭାଗୀୟ ସଚିବମାନଙ୍କୁ ଦୁଇଟି ନୂତନ ଦିଗ, ଯଥା ପ୍ରତ୍ୟେକ ରାଜ୍ୟର ଦ୍ରୁତ ବିକାଶ ଏବଂ ପଛୁଆ ଜିଲ୍ଲାଗୁଡ଼ିକୁ ସମ୍ଭାଳିବା ପାଇଁ କାର୍ଯ୍ୟ କରିବାକୁ ଅନୁରୋଧ କରିଥିଲେ। ଦେଶର ୧୦୦ଟି ବ୍ଲକ୍‌କୁ ଚିହ୍ନଟ କରିବାକୁ ସେ ସେମାନଙ୍କୁ ଆହ୍ୱାନ ଦେଇଥିଲେ, ଯାହା ନିଜ ନିଜ ବିଭାଗରେ ପଛରେ ରହିଛି ଏବଂ ଏହି ସ୍ଥିତିରେ ଉନ୍ନତି ଆଣିବା ଦିଗରେ କାର୍ଯ୍ୟ କରିବାକୁ ସେ ସେମାନଙ୍କୁ କହିଥିଲେ। ଚିହ୍ନଟ ହୋଇଥିବା ୧୦୦ଟି ବ୍ଲକ୍ ଦେଶର ହାରାହାରି ସ୍ତରଠାରୁ ଅଧିକ ହେବା ପରେ ବିକାଶର ସମସ୍ତ ମାନଦଣ୍ଡ ବଦଳିଯିବ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଥିଲେ। ଉନ୍ନତିର ଅବକାଶ ଥିବା ବ୍ଲକ୍‌ର ବିକାଶ ଉପରେ କେନ୍ଦ୍ରର ସମସ୍ତ ବିଭାଗ ଗୁରୁତ୍ୱ ଦେବାକୁ ସେ ପରାମର୍ଶ ଦେଇଥିଲେ। ରାଜ୍ୟ ସରକାରଙ୍କ ଭୂମିକା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ୧୦୦ଟି ଅତି ପଛୁଆ ଗ୍ରାମକୁ ଚିହ୍ନଟ କରିବା ଏବଂ ସେମାନଙ୍କୁ ଉନ୍ନତ କରିବା ପାଇଁ ଏକ ମଡେଲ ପ୍ରସ୍ତୁତ କରିବାକୁ ପରାମର୍ଶ ଦେଇଥିଲେ ଯାହାକୁ ପରବର୍ତ୍ତୀ ୧୦୦୦ ଗ୍ରାମର ବିକାଶ ପାଇଁ ଆହୁରି ଅନୁକରଣ କରାଯାଇପାରିବ।

୨୦୪୭ ସୁଦ୍ଧା ଭାରତକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବାର ପ୍ରୟାସ ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ବିକଶିତ ହେବାର ଅର୍ଥ ବିକଶିତ ମହାନଗର ଏବଂ ପଛୁଆ ଗ୍ରାମଗୁଡିକ ନୁହେଁ। ଆମେ ସେହି ମଡେଲକୁ ଅନୁସରଣ କରୁନାହୁଁ, ଆମେ ୧୪୦ କୋଟି ଲୋକଙ୍କ ସହିତ ଯିବାକୁ ଚାହୁଁଛୁ ବୋଲି ସେ କହିଥିଲେ। ପ୍ରଧାନମନ୍ତ୍ରୀ ପ୍ରତିନିଧିମାନଙ୍କୁ ୫ଟି ମାନଦଣ୍ଡ ଉପରେ ଧ୍ୟାନ ଦେବା ଏବଂ ଭଲ ଫଳାଫଳ ପାଇବା ପାଇଁ କହିଥିଲେ। ଏହାଦ୍ୱାରା ସେମାନଙ୍କର ଆତ୍ମବିଶ୍ୱାସ ବୃଦ୍ଧି ପାଇବ। ଧୀରେ ଧୀରେ ସମସ୍ୟାର ସମାଧାନ ହେଲେ ଏହି ବ୍ଲକ୍‌ ଅନ୍ୟମାନଙ୍କ ପାଇଁ ଆକାଂକ୍ଷାର ଉତ୍ସ ପାଲଟିବ ବୋଲି ସେ କହିଛନ୍ତି। ଆକାଂକ୍ଷୀ ଜିଲ୍ଲା ଥିବା ୧୧୨ଟି ଜିଲ୍ଲା ଏବେ ପ୍ରେରଣାଦାୟୀ ଜିଲ୍ଲା ପାଲଟିଛି। ମୁଁ ନିଶ୍ଚିତ ଯେ ବର୍ଷକ ମଧ୍ୟରେ ଅତି କମ୍‌ରେ ୧୦୦ଟି ଆକାଂକ୍ଷୀ ବ୍ଲକ୍ ପ୍ରେରଣାଦାୟୀ ବ୍ଲକ୍‌ରେ ପରିଣତ ହେବ ବୋଲି ମୋଦୀ କହିଥିଲେ।

Spread the love