ସିକିମ୍ରେ ମୁଷଳ ଧାରାରେ ବର୍ଷା: ତୀସ୍ତା ନଦୀରେ ଆକସ୍ମିକ ବନ୍ୟା ଯୋଗୁଁ ୨୩ ଯବାନ ନିଖୋଜ
ଗାଙ୍ଗ୍ଟକ୍: ମଙ୍ଗଳବାର ରାତିରେ ସିକିମ୍ରେ ମୁଷଳ ଧାରାରେ ବର୍ଷା ହେବା ଯୋଗୁଁ ତୀସ୍ତା ନଦୀରେ ଆକସ୍ମିକ ବନ୍ୟା ଆସି ସେନାର ପ୍ରାୟ ୨୩ଜଣ ଯବାନ ନିଖୋଜ ହୋଇଯାଇଥିବା କଥା ପ୍ରତିରକ୍ଷା ବିଭାଗସୂତ୍ରରୁ ପ୍ରକାଶ। ନିଖୋଜ ଯବାନଙ୍କ ସନ୍ଧାନ ନେବା ପାଇଁ ବ୍ୟାପକ ତଲାସ ଆରମ୍ଭ କରାଯାଇଥିବା କଥା ସେନା କହିଛି। ଲାଚେନ୍ ଉପତ୍ୟକାରେ ଥିବା କେତେକ ପ୍ରତିଷ୍ଠାନ ବନ୍ୟା ଯୋଗୁଁ ପ୍ରଭାବିତ ହୋଇଥିବା କଥା ସେନାର ‘ଇଷ୍ଟର୍ଣ୍ଣ କମାଣ୍ଡ୍’ ଜାରି କରିଥିବା ବିବୃତିରେ କହିଛି। ବିବୃତିରେ ଉଲ୍ଲେଖ ଅଛି, ଚୁଙ୍ଗ୍ଥାଙ୍ଗ୍ ଜଳଭଣ୍ଡାରରୁ ଛଡ଼ା ଯାଇଥିବା ଜଳ ଯୋଗୁଁ ହଠାତ୍ ତଳମୁଣ୍ଡର ଜଳସ୍ତର ୧୫ରୁ ୨୦ ଫୁଟ୍ ପର୍ଯ୍ୟନ୍ତ ବଢ଼ିଗଲା। ଏଥିପାଇଁ ସିଙ୍ଗ୍ତାମ୍ ନିକଟ ବରଦଙ୍ଗ୍ରେ ‘ପାର୍କ’ କରାଯାଇଥିବା ସେନା ଗାଡ଼ି ପ୍ରଭାବିତ ହେଲା। ୨୩ଜଣ ଯବାନ ନିଖୋଜ ହୋଇଯାଇଥିବା ଏବଂ କେତେକ ଗାଡ଼ି କାଦୁଅରେ ପୋତି ହୋଇପଡ଼ିଥିବା ରିପୋର୍ଟ କରାଯାଇଛି। ତଲାସ ଅଭିଯାନ ଜାରି ରହିଛି।