ଏସ୍‌ଟି ମୋର୍ଚ୍ଚା ପଦାଧିକାରୀ ବୈଠକ ଅନୁଷ୍ଠିତ

ଭୁବନେଶ୍ୱର,ତା.୦୪/୧୦: ମୋଦି ସରକାରଙ୍କ ୯ ବର୍ଷ ଶାସନରେ ଅନୁସୂଚିତ ଜନଜାତିବର୍ଗଙ୍କ ସାମୁହିକ ବିକାଶ ପାଇଁ ଅନେକ ଯୋଜନାର ସଫଳ କାର୍ଯ୍ୟାନ୍ୱୟନ ହୋଇଛି । ଆଦିବାସୀମାନଙ୍କ ସାମାଜିକ, ଅର୍ଥନୈତିକ, ଶିକ୍ଷାଗତ ତଥା ସାଂସ୍କୃତିକ ବିକାଶକୁ ସୁନିଶ୍ଚିତ କରିବା ପାଇଁ ସମ୍ବିଧାନରେ ଅନେକ ବ୍ୟବସ୍ଥା ରହିଛି । ରାଜ୍ୟର ୨୨ଟି ଆଇଟିଡିଏକୁ କେନ୍ଦ୍ର ସରକାର ପର୍ଯ୍ୟାପ୍ତ ପରିମାଣର ଟଙ୍କା ଦେଉଥିବାବେଳେ ରାଜ୍ୟ ସରକାର ଖର୍ଚ୍ଚ କରିବାରେ ବିଫଳ ହୋଇଛନ୍ତି । ଓଆରଭି ଓ ପେସା ଆଇନକୁ କାର୍ଯ୍ୟକାରୀ ନକରିବାରୁ ଜନଜାତିବର୍ଗଙ୍କ ସାମାଜିକ, ନ୍ୟାୟିକ ଅଧିକାର କ୍ଷୁର୍ଣ୍ଣ ହେଉଛି । ନିୟମିତ ଭାବେ ଟିଏସି କମିଟି ବୈଠକ ନହେବା କାରଣରୁ ସାମ୍ବିଧାନିକ ଅଧିକାରରୁ ବଂଚିତ ହେଉଥିବାବେଳେ ଡିଏମଏଫ୍ ଫଣ୍ଡରେ ବ୍ୟାପକ ଭ୍ରଷ୍ଟାଚାର କାରଣରୁ ଆର୍ଥିକ ଅଭିବୃଦ୍ଧିରେ ବାଧା ସୃଷ୍ଟି ହେଉଛି । ଖଣିଖାଦାନ ଅଂଚଳରେ ବେଆଇନ ଭାବେ ବେଦଖଲ କରାଯାଉଛି । ଆଦିବାସୀବହୁଳ ଅଂଚଳରେ ଶିକ୍ଷକ ଓ ଡାକ୍ତର ଅଭାବ କାରଣରୁ ଶିକ୍ଷା ଓ ସ୍ୱାସ୍ଥ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଛି । ବାସ୍ତବରେ ‘ଆଦିବାସୀ ବିରୋଧୀ ନବୀନ ସରକାର’ । ରାଜ୍ୟ ସରକାରଙ୍କ ଆଦିବାସୀମାରଣ ନୀତି କାରଣରୁ ରାଜ୍ୟରେ ବସବାସ କରୁଥିବା ଆଦିବାସୀମାନେ ସେମାନଙ୍କ ମୈାଳିକ ସୁବିଧା ସୁଯୋଗ ପାଇବାରୁ ବଂଚିତ ହେଉଛନ୍ତି । ଆଗାମୀ ଦିନରେ ରାଜ୍ୟବ୍ୟାପୀ ଆନ୍ଦୋଳନ ଓ ବିକ୍ଷୋଭ ପ୍ରଦର୍ଶନ କରାଯିବ । ଏ ସମସ୍ତ ପ୍ରମୁଖ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇ ଆଗାମୀ ରଣନୀତି ପ୍ରସ୍ତୁତ ସକାଶେ ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ଏସଟି ମୋର୍ଚ୍ଚା ରାଜ୍ୟ ପଦାଧିକାରୀ ବୈଠକ ଅନୁଷ୍ଠିତ ହୋଇଯାଇଛି ।
ମୋର୍ଚ୍ଚାର ରାଜ୍ୟ ସଭାପତି ବିଧାୟକ ନିତ୍ୟାନନ୍ଦ ଗଣ୍ଡଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଯୋଗ ଦେଇ ପୂର୍ବତନ ଆଦିବାସୀ କଲ୍ୟାଣ ମନ୍ତ୍ରୀ ତଥା ସାଂସଦ ଶ୍ରୀ ଜୁଏଲ ଓରାମ କହିଛନ୍ତି ଯେ, ରାଜ୍ୟରେ ଅନୁସୁଚିତ ଜାତି ଓ ଜନଜାତିଙ୍କ ବିରୋଧରେ ଅତ୍ୟାଚାର ବୃଦ୍ଧି ପାଇବା ସହିତ ସେମାନେ ହିଂସା ଓ ଦ୍ୱେଷର ଶିକାର ହେଉଛନ୍ତି । ଆଦିବାସୀଙ୍କ ସ୍ୱାର୍ଥ ପାଇଁ ମୁହଁ ଖୋଲିଲେ ସରକାରୀ ବାବୁ ଏବଂ କର୍ମଚାରୀଙ୍କ ଜରିଆରେ ରାଜ୍ୟ ସରକାର ଆଦିବାସୀ ବର୍ଗକୁ ପ୍ରତିନିଧିତ୍ୱ କରୁଥିବା ଜନପ୍ରତିନିଧିମାନଙ୍କୁ ବେଇଜ୍ଜତ କରିବା ସହ ହତ୍ୟା କରୁଛନ୍ତି । ରାଉରକେଲାଠାରେ କାର୍ଯ୍ୟରତ ସହକାରୀ ଜିଲ୍ଲାପାଳ ସସ୍ମିତା ମିଞ୍ଜିଙ୍କ ସନ୍ଦେହଜନକ ମୃତ୍ୟୁର କାରଣ ସ୍ପଷ୍ଟ କରିବାରେ ରାଜ୍ୟ ସରକାର ବିଫଳ ହୋଇଛନ୍ତି । ୬ଫୁଟ ପାଣିରେ ଜଣେ ଆଦିବାସୀ ମହିଳାଙ୍କ ମୃତ୍ୟୁ ଓଡ଼ିଶାବାସୀଙ୍କୁ ଆଶ୍ଚର୍ଯ୍ୟ କରିଛି ଏବଂ ବହୁ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ତାଙ୍କ ଉପରେ କେଉଁମାନେ ମାନସିକ ଚାପ ଦେଉଥିଲେ ? ଜିଲ୍ଲା ପ୍ରଶାସନ ସବୁ ଜାଣିଥିଲେ ସୁଦ୍ଧା କାହିଁକି ପଦକ୍ଷେପ ନେଲେ ନାହିଁ ? ସସ୍ମିତା କାହିଁକି ସରକାରୀ ବାସଭବନରେ ନରହି ହୋଟେଲରେ ରହୁଥିଲେ? ସସ୍ମିତାଙ୍କ ସୁରକ୍ଷା ଦାୟୀତ୍ୱରେ ଥିବା ପୋଲିସ ଏଏସ୍‌ଆଇ ଆଲିସା ଲୁଗୁନଙ୍କ ମୃତ୍ୟୁ ପଛର ରହସ୍ୟ କଣ ? ତାଙ୍କୁ ମଧ୍ୟ ହତ୍ୟା କରାଯାଇ ନାହିଁ ତ ? ଏଭଳି ଅନେକ ପ୍ରଶ୍ନ ସାଧାରଣରେ ବହୁ ସନ୍ଦେହ ସୃଷ୍ଟି କରିଛି । ହତ୍ୟାର ତଦନ୍ତ ଠିକ୍‌ଭାବେ କାହିଁକି କରାଯାଉ ନାହିଁ । ସିବିଆଇ ତଦନ୍ତ ହେଉ । ଦୋଷୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଉ । ଏହି ଦାବୀ ନେଇ ଆସନ୍ତା କାଲି ସୁନ୍ଦରଗଡ ବନ୍ଦ ଡାକରା ଦିଆଯାଇଛି ବୋଲି ଶ୍ରୀ ଓରାମ କହିଛନ୍ତି ।
ଏହି ବୈଠକରେ ରାଜ୍ୟ ସାଧାରଣ ସଂପାଦକ ମାନସ କୁମାର ମହାନ୍ତି, ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ, ବିଧାୟକ ପ୍ରକାଶ ସୋରେନ, ଭବାନୀ ଭୋଇ, ଇ.ଗଣାଷରାମ ଖୁଂଟିଆ, ଡା.ବୁଧନ ମୁର୍ମୁ, ଆଦିତ୍ୟ ମାଢୀ, ମୋର୍ଚ୍ଚାର ରାଜ୍ୟ ଉପ ସଭାପତି ଫାଗୁ ହାଁସଦା, ମମିତା ନାୟକ, ସାଧାରଣ ସଂପାଦକ କୈଳାଶ ନାୟକ, ରାମଚନ୍ଦ୍ର ହାଁସଦା, ସଂପାଦକ ବିହାରୀ ମାଝୀ, ବାସନ୍ତି ମାଝୀ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love