ରାଜ୍ୟରେ ୩୯% ପଛୁଆବର୍ଗ: ଏବେବି ଶିକ୍ଷା ଓ ସାମାଜିକ କ୍ଷେତ୍ରରେ ଅନେକ ପଛୁଆ

ଭୁବନେଶ୍ବର: ରାଜ୍ୟରେ ୫୩,୯୬,୧୩୨ଟି ଘରେ ୧କୋଟି ୯୪ଲକ୍ଷ ୮୮ହଜାର ୬୭୧ଜଣ ପଛୁଆବର୍ଗର ଲୋକ ଅଛନ୍ତି। ୨୦୧୧ ଜନଗଣନା ଅନୁଯାୟୀ ରାଜ୍ୟର ମୋଟ୍ ଜନସଂଖ୍ୟା ୪କୋଟି ୧୯ଲକ୍ଷ ୫୦ହଜାର ୯୫୧ ଜଣ ଥିବାବେଳେ ୨୦୨୩ରେ ଓଡ଼ିଶାର ଜନସଂଖ୍ୟା ୪କୋଟି ୯୫ଲକ୍ଷ ୬୫ହଜାର ୪୫ଜଣ ହୋଇଥିବା ଆକଳନ କରାଯାଇଛି। ଏହା ଅନୁଯାୟୀ ରାଜ୍ୟର ମୋଟ୍ ଜନସଂଖ୍ୟାର ୩୯.୩୧% ପଛୁଆବର୍ଗର ଲୋକ ଅଛନ୍ତି। ଓଡ଼ିଶା ରାଜ୍ୟ ପଛୁଆବର୍ଗ ଆୟୋଗଙ୍କ ପକ୍ଷରୁ ରାଜ୍ୟ ସରକାରଙ୍କୁ ଯେଉଁ ସର୍ଭେ ରିପୋର୍ଟ ଦିଆଯାଇଛି ସେଥିରେ ଏହି ତଥ୍ୟ ଦିଆଯାଇଛି। ବିହାର ସରକାର ଜାତିଭିତ୍ତିକ ଗଣନା ରିପୋର୍ଟ ପ୍ରକାଶ କରିବା ପରେ ଓଡ଼ିଶା ସରକାର କେବେ ଓବିସି ସର୍ଭେ ରିପୋର୍ଟ ପ୍ରକାଶ କରିବେ ସେନେଇ ବିଭିନ୍ନ ମହଲରେ ପ୍ରଶ୍ନ ଉଠୁଛି। ଏପରିକି ବିଭିନ୍ନ ରାଜନୈତିକ ଦଳ ଦାବି କରିଛନ୍ତି ଯେ ରାଜ୍ୟ ସରକାର ତୁରନ୍ତ ପଛୁଆବର୍ଗ ସର୍ଭେ ରିପୋର୍ଟ ପ୍ରକାଶ କରି ତୁରନ୍ତ ୨୭% ସଂରକ୍ଷଣ ଦିଅନ୍ତୁ।

ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ପଛୁଆବର୍ଗରେ ୯୮,୫୮,୫୫୩ଜଣ ପୁରୁଷ, ୯୬,୦୧,୮୨୫ଜଣ ମହିଳା ଏବଂ ୨୭,୨୯୩ଜଣ କିନ୍ନର ଅଛନ୍ତି। ମୋଟ୍ ଜନସଂଖ୍ୟାର ୩୯.୩୧% ପଛୁଆବର୍ଗର ହୋଇଥିବାବେଳେ ଅଧିକାଂଶଙ୍କ ସ୍ଥିତି ଦୟନୀୟ ଅଛି। ୩୭.୬% ଲୋକ ପ୍ରାଥମିକ ଶିକ୍ଷା ହାସଲ କରିଛନ୍ତି। ଯେତେବେଳେ କି ୨.୮% ବିଭିନ୍ନ ସରକାରୀ କ୍ଷେତ୍ରରେ ନିଯୁକ୍ତି ପାଇଛନ୍ତି। ‌େସହିପରି ଏହି ସର୍ଭେରୁ ଜଣାପଡ଼ିଛି ଯେ ରାଜ୍ୟର ସବୁ ଜିଲ୍ଲାରେ ସମାନ ସଂଖ୍ୟକ ପଛୁଆବର୍ଗର ଲୋକ ନାହାନ୍ତି। ୩୦ଟି ଜିଲ୍ଲାରୁ ୧୧ଟି ଜିଲ୍ଲା ଯଥା ଗଜପତି, ଝାରସୁଗୁଡ଼ା, କନ୍ଧମାଳ, କେନ୍ଦୁଝର, କୋରାପୁଟ, ମାଲକାନଗିରି, ମୟୂରଭଞ୍ଜ, ନବରଙ୍ଗପୁର, ରାୟଗଡ଼ା, ସମ୍ବଲପୁର ଓ ସୁନ୍ଦରଗଡ଼ରେ ମୋଟ୍‌ ଜନସଂଖ୍ୟାର ୧୫ରୁ ୩୦% ପଛୁଆବର୍ଗର ଲୋକ ଅଛନ୍ତି। ଏହି ଜିଲ୍ଲାଗୁଡ଼ିକ ମୁଖ୍ୟତଃ ଆଦିବାସୀବହୁଳ ଅଞ୍ଚଳ।

 ଜିଲ୍ଲା ଯଥା ଅନୁଗୁଳ, ବାଲେଶ୍ବର, ବରଗଡ଼, କଟକ, ଦେବଗଡ଼, ଯାଜପୁର, କଳାହାଣ୍ଡି ଏବଂ ଖୋର୍ଦ୍ଧାରେ ମୋଟ୍ ଜନସଂଖ୍ୟାର ୩୦ରୁ ୪୫% ଲୋକ ପଛୁଆବର୍ଗର। ହେଲେ ବାକି ୧୧ଟି ଜିଲ୍ଲା ଯଥା ବଲାଙ୍ଗୀର, ଭଦ୍ରକ, ବୌଦ୍ଧ, ଢେଙ୍କାନାଳ, ଗଞ୍ଜାମ, ଜଗତସିଂହପୁର, କେନ୍ଦ୍ରାପଡ଼ା, ନୟାଗଡ଼, ନୂଆପଡ଼ା, ପୁରୀ ଓ ସୁବର୍ଣ୍ଣପୁରରେ ମୋଟ୍‌ ଜନସଂଖ୍ୟାର ୪୫%ରୁ ଅଧିକ ପଛୁଆବର୍ଗର ଲୋକ ଅଛନ୍ତି। ଯେତେବେଳେ କି ପୁରୀ, ନୟାଗଡ଼, କେନ୍ଦ୍ରାପଡ଼ା, ଜଗତସିଂହପୁର, ‌ବୌଦ୍ଧ ଓ ଗଞ୍ଜାମ ଭଳି ୬ଟି ଜିଲ୍ଲାରେ ଅଧାରୁ ଅଧିକ ଲୋକ (୫୦%ରୁ ଅଧିକ) ପଛୁଆବର୍ଗର। ନୟାଗଡ଼ ଜିଲ୍ଲାରେ ରାଜ୍ୟର ସବୁଠୁ ଅଧିକ ୫୮% ପଛୁଆବର୍ଗର ଲୋକ ଥିବାବେଳେ କେନ୍ଦ୍ରାପଡ଼ା‌େର ଦ୍ବିତୀୟ ସର୍ବାଧିକ ୫୬% ଲୋକ ପଛୁଆବର୍ଗର। କମିସନଙ୍କ ସର୍ଭେରୁ ଜଣାପଡ଼ିଛି ଯେ ୩୬.୬୭% ଜିଲ୍ଲାରେ ସବୁଠୁ ଅଧିକ, ୩୬.୬୭% ଜିଲ୍ଲାରେ ଅଧିକ ଏବଂ ୨୬.୨୭% ଜିଲ୍ଲାରେ ମଧ୍ୟମ ଧରଣର ପଛୁଆବର୍ଗର ଲୋକ ବସବାସ କରୁଛନ୍ତି।

ଏହି ସର୍ଭେ ପଛୁଆବର୍ଗର ଶିକ୍ଷା ଓ ସାମାଜିକ ସ୍ଥିତି ଜାଣିବାକୁ ହୋଇଥିବାବେଳେ ଏଥିରୁ ଜଣାପଡ଼ିଛି ଯେ ଏବେ ବି ଏହି ବର୍ଗର ଲୋକମାନେ ଶିକ୍ଷା କ୍ଷେତ୍ରରେ ବହୁତ ପଛୁଆ। ଉଚ୍ଚଶିକ୍ଷା ଏବଂ ଦକ୍ଷତା‌ ଶିକ୍ଷାରେ ସେମାନଙ୍କ ଉପସ୍ଥିତି ଏବେବି ନଗଣ୍ୟ। ସରକାରଙ୍କ ତରଫରୁ ଶିକ୍ଷା କ୍ଷେତ୍ରରେ ବିଭିନ୍ନ ଯୋଜନା ଆରମ୍ଭ ହୋଇଥିବାବେଳେ ରାଜ୍ୟରେ ଶୈକ୍ଷିକ ବାତାବରଣ ବଢ଼ିଛି କିନ୍ତୁ ପଛୁଆବର୍ଗଙ୍କର ଶିକ୍ଷା କ୍ଷେତ୍ରରେ ଅବନତି ‌ଘଟିଛି। ଯେଉଁଥିପାଇଁ ନିଯୁକ୍ତି ସୁଯୋଗ ଏମାନଙ୍କର କମିଛି।

ସେହିପରି ମାତ୍ର ୨.୮% ସରକାରୀ ଚାକିରି କରିଥିବାବେଳେ ୧.୩% ବୃତ୍ତିଗତ ଚାକିରି କରିଛନ୍ତି। ଅନ୍ୟାନ୍ୟ କ୍ଷେତ୍ରରେ ୨୫.୨% ନିୟୋଜିତ ହୋଇଛନ୍ତି। ୧୯.୩% ନିଜ ଜମିରେ ଚାଷ କରୁଛନ୍ତି। ଏହି ସର୍ଭେ ଦର୍ଶାଇଛି ଯେ ଏବେବି ପଛୁଆବର୍ଗର ଲୋକ ଶିକ୍ଷା ଏବଂ ସାମାଜିକ କ୍ଷେତ୍ରରେ ପଛୁଆ ଅଛନ୍ତି। ସେମାନଙ୍କ ଉନ୍ନତି ହାର ବହୁତ କମ୍‌। ଏପରିକି ସେମାନେ ବହୁ ସାମାଜିକ ସୁବିଧା ପାଇବାରୁ ସେମାନେ ବଞ୍ଚିତ ହେଉଛନ୍ତି। ତେଣୁ ଏସ୍‌ଇବିସି ‌େଲାକଙ୍କୁ ସ୍ବତନ୍ତ୍ର ସହାୟତା ଦରକାର। ଯାହାଦ୍ବାରା ସେମାନଙ୍କର ସାମାଜିକ ଓ ଅର୍ଥନୈତିକ ଉନ୍ନତି ହୋଇପାରିବ। ଅପରପକ୍ଷେ ରାଜ୍ୟ ଓବିସି ମଞ୍ଚର ସଭାପତି ଶଙ୍କର କୁମାର ପାତ୍ର କହିଛନ୍ତି ଯେ ଓଡ଼ିଶାରେ ଓବିସିମାନେ ଶିକ୍ଷା, ସରକାରୀ ଚାକିରି, ପଞ୍ଚାୟତିରାଜ, ମ୍ୟୁନିସପାଲଟିରେ ସଂରକ୍ଷଣ ପାଉନାହାନ୍ତି। ରାଜ୍ୟ ସରକାରଙ୍କ ପାଖରେ ୨ଟି ପଛୁଆବର୍ଗର ତାଲିକା ଅଛି। ଗୋଟିଏ ଓବିସି ଓ ଅନ୍ୟଟି ଏସ୍‌ଇବିସି। ଓବିସିଙ୍କୁ କେବଳ ସାର୍ଟିଫିକେଟ ଦିଆଯାଏ। ଏସ୍‌ଇବିସି, ଓବିସି ସହ ଖଣ୍ଡାୟତ, ମହାନ୍ତି, ବଣିଆ (ମାରବାଡ଼ି, ପୋଦାର) ଆଦିଙ୍କୁ ମିଶାଇ କେବଳ ଚାକିରିରେ ୧୧.୨୫% ସଂରକ୍ଷଣ ଦିଆଯାଉଛି। ଫଲରେ ଅଣଓବିସିମାନେ ଓବିସି ସଂରକ୍ଷଣକୁ ହଡ଼ପ କରିନେଉଛନ୍ତି। ଓଡ଼ିଶାରେ ଓବିସି କମିସନ ନାହିଁ କି ଓବିସି ସର୍ଭେ ହୋଇନି। କେବଳ ପଛୁଆବର୍ଗ ସର୍ଭେ ହୋଇଛି। ଅପରପକ୍ଷେ ତାମିଲନାଡ଼ୁରେ ପଛୁଆବର୍ଗଙ୍କୁ ୫୦%, ଏସ୍‌ସିଙ୍କୁ ୧୮%, ଏସ୍‌ଟିଙ୍କୁ ୧% ଏହିଭଳି ମୋଟ୍ ୬୯% ସଂରକ୍ଷଣ ଦିଆଯାଉଛି। କେନ୍ଦ୍ର ସରକାର ତଥା ସୁପ୍ରିମକୋର୍ଟ ଇଡବ୍ଲୁଏସ୍‌ଙ୍କୁ ୧୦% ସଂରକ୍ଷଣ ଦେବା ପରେ ୫୦% ସଂରକ୍ଷଣ ସୀମା ଟପିଯାଉଛି। ତେଣୁ ଓଡ଼ିଶାରେ ଓବିସିଙ୍କୁ ସ୍ବତନ୍ତ୍ର ରୂ‌େପ ସବୁ କ୍ଷେତ୍ରରେ ୨୭% ବା ସମାନୁପାତିକ ସଂରକ୍ଷଣ ଦେବାକୁ ଓଡ଼ିଶା ସରକାର ଆଇନ ପ୍ରଣୟନ କରନ୍ତୁ ବୋଲି ଶ୍ରୀ ପାତ୍ର ଦାବି କରିଛନ୍ତି।

Spread the love