ଯୁକ୍ତ ୨ ବୋର୍ଡ ପରୀକ୍ଷା: ପ୍ରକାଶ ପାଇଲା କୋଶ୍ଚିନ ବ୍ୟାଙ୍କ

ଭୁବନେଶ୍ବର: ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସ୍‌ଇ) ଯୁକ୍ତ ଦୁଇ ବୋର୍ଡ ପରୀକ୍ଷାର୍ଥୀଙ୍କ ପାଇଁ ଖୁସି ଖବର ଆଣିଛି। ପ୍ରଥମ ଥର ଲାଗି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କୋଶ୍ଚିନ ବ୍ୟାଙ୍କ୍ ପ୍ରକାଶ କରିଛି। ପରୀକ୍ଷାର୍ଥୀମାନେ କୋଶ୍ଚିନ ବ୍ୟାଙ୍କ ପ୍ରଶ୍ନ ନେଇ ପରୀକ୍ଷା ପାଇଁ ପ୍ରସ୍ତୁତି କରିପାରିବେ। ସୂଚନାଯୋଗ୍ୟ, ସିବିଏସ୍‌ଇ ଓ ଆଇସିଏସ୍‌ଇ ବୋର୍ଡ ପକ୍ଷରୁ ପ୍ରତି ବର୍ଷ କୋଶ୍ଚିନ ବ୍ୟାଙ୍କ୍ ଜାରି କରାଯାଇଥାଏ, ଯାହାକି ପରୀକ୍ଷାର୍ଥୀଙ୍କ ପ୍ରସ୍ତୁତିରେ ସହାୟକ ହୋଇଥାଏ। ବୋର୍ଡର ୱେବସାଇଟ chseodisha.nic.in ରେ କୋଶ୍ଚିନ ବ୍ୟାଙ୍କ୍ ଉପଲବ୍ଧ ଅଛି। ପ୍ରଥମ ପର୍ଯ୍ୟାୟରେ ଫିଜିକ୍ସ (ପଦାର୍ଥ ବିଜ୍ଞାନ), କେମିଷ୍ଟ୍ରି (ରସାୟନ ବିଜ୍ଞାନ), ମାଥେମେଟିକ୍ସ (ଗଣିତ) ଓ ବାୟୋଲୋଜି (ଜୀବ ବିଜ୍ଞାନ) ବିଷୟର ପ୍ରଶ୍ନ ଉପଲବ୍ଧ ହୋଇଛି। ପରବର୍ତ୍ତୀ ପର୍ଯ୍ୟାୟରେ ଅନ୍ୟ ବିଷୟର ପ୍ରଶ୍ନ ଅପ୍‌ଲୋଡ କରାଯିବ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି। କୋଶ୍ଚିନ ବ୍ୟାଙ୍କ୍ ନେଇ ପିଲାମାନଙ୍କୁ ସଚେତନ କରିବାକୁ ସବୁ ଯୁକ୍ତ ଦୁଇ କଲେଜ୍ ଅଧ୍ୟକ୍ଷଙ୍କୁ ସିଏଚଏସଇ ପକ୍ଷରୁ ଚିଠି ହୋଇଛି।

Spread the love