ଜାତିଆଣ ଆକ୍ଷେପକୁ ନେଇ ଗୋଷ୍ଠୀ ସଂଘର୍ଷ; ୫ରୁ ଅଧିକ ଆହତ

ନିଆଳି: ପୂର୍ବ ଶତ୍ରୁତାକୁ ନେଇ ଗୋଷ୍ଠୀ ସଂଘର୍ଷ ହୋଇଛି। ଏହି ଘଟଣାରେ ଗୋଟିଏ ପକ୍ଷର ୫ରୁ ଅଧିକ ଲୋକ ଆହତ ହୋଇଛନ୍ତି। କଟକ ଜିଲ୍ଲା ନିଆଳି ଥାନା ଅଧୀନ ସଡାଂଷ ପଞ୍ଚାୟତ ସରାକୋର ଗାଁରେ ଏହି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ବିଲରେ ଠେଙ୍ଗା ବାଡି ଧରି ଦୁଇ ଗୋଷ୍ଠୀ ପରସ୍ପର ଉପରେ ଆକ୍ରମଣ କରୁଥିବା ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି।

ସୂଚନା ଅନୁସାରେ ଶନିବାର ନିଆଳି ଥାନାରେ ସରାକୋର ଗାଁର କିଛି ବ୍ୟକ୍ତିଙ୍କ ନାଁରେ ତିଲୋତମା କାଣ୍ଡି ଏତଲା ଦେଇଥିଲେ। ତାଙ୍କୁ ଜାତିଆଣ ଆକ୍ଷେପ କରିବା ସହ ଗାଳି ଗୁଲଜ କରିଥିବା ସେ ଏତଲାରେ ଦର୍ଶାଇଥିଲେ। ଆଜି ସକାଳେ ତିଲୋତମା କାଣ୍ଡିଙ୍କ ପରିବାର ଲୋକେ ବିଲକୁ ମୁଗ ବୁଣିବାକୁ ଯାଇଥିଲେ। ଏହି ସମୟରେ ଅନ୍ୟ ଗୋଷ୍ଠୀ ସଂଘବଦ୍ଧ ହୋଇ ବିଲରେ ପହଂଚି ତିଲୋତମାଙ୍କ ପରିବାରକୁ ଆକ୍ରମଣ କରିଥିଲେ। ଅନ୍ୟପଟେ ପାଲଟା ଆକ୍ରମଣ କରିଥିଲେ କାଣ୍ଡି ପରିବାର। ଏହି ସମୟରେ ବୟସ୍କ ବଟକାଣ୍ଡିଙ୍କ ପେଟରେ ଜଣେ ଲୁହାରଡ ଭୁସି ଦେଇଥିଲେ। ଗୋଷ୍ଠୀ ସଂଘର୍ଷରେ ୫ରୁ ଅଧିକ ଆହତ ହୋଇଛନ୍ତି। ତୁରନ୍ତ ଆହତଙ୍କୁ ନିଆଳି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ସମସ୍ତଙ୍କ ଚିକିତ୍ସା କରାଯାଇଛି। ଡାକ୍ତର ଅସ୍ତ୍ରୋପଚାର କରି ପେଟରୁ ବଟ କାଣ୍ଡିଙ୍କ ପେଟରୁ ଲୁହାରଡ ବାହାର କରିଛନ୍ତି। ନିଆଳି ଥାନାରେ ଲିଖିତ ଅଭିଯୋଗ କରିବା ପର ପୁଲିସ ତଦନ୍ତ ଆରମ୍ଭ କରିଛି।

Spread the love