ଭାରତ ରତ୍ନ ତଥା ଭାରତର ପୂର୍ବତନ ରାଷ୍ଟ୍ରପତି ଡକ୍ଟର ଏପିଜେ ଅବଦୁଲ କଲାମଙ୍କ ଜନ୍ମ ବାର୍ଷିକୀ

ଆଜି ହେଉଛି ଭାରତ ରତ୍ନ ତଥା ଭାରତର ପୂର୍ବତନ ରାଷ୍ଟ୍ରପତି ଡକ୍ଟର ଏପିଜେ ଅବଦୁଲ କଲାମଙ୍କ ଜନ୍ମ ବାର୍ଷିକୀ । ମିସାଇଲ ମ୍ୟାନ ଭାବେ ପରିଚିତ ଏପିଜେ ଅବଦୁଲ କଲାମଙ୍କ ଜନ୍ମ ଜୟନ୍ତୀକୁ ବିଶ୍ବ ଛାତ୍ର ଦିବସ ଭାବେ ପାଳନ କରାଯାଉଛି । ୨୦୧୦ ମସିହାରେ କଲାମଙ୍କ ଜନ୍ମ ଜୟନ୍ତୀକୁ ବିଶ୍ବ ଛାତ୍ର ଦିବସ ଭାବେ ପାଳନ କରିବାକୁ ନିଷ୍ପତ୍ତି ନେଇଥିଲା ମିଳିତ ଜାତିସଂଘ । ସେବେଠୁ ପ୍ରତି ବର୍ଷ ଅକ୍ଟୋବର ୧୫ ତାରିଖକୁ ବିଶ୍ବ ଛାତ୍ର ଦିବସ ଭାବେ ପାଳନ କରାଯାଉଛି । ୧୯୩୧ ମସିହା ଅକ୍ଟୋବର ୧୫ ତାରିଖରେ ତାମିଲନାଡୁର ରମେଶ୍ବରମରେ ଥିବା ଏକ ଛୋଟ ଗାଁରେ ଜନ୍ମଗ୍ରହଣ କରିଥିଲେ ଡକ୍ଟର ଏପିଜେ ଅବଦୁଲ କଲାମ ।

ପିଲାଦିନରୁ ପାଠ ପଢ଼ିବା ପାଇଁ ଅନେକ ସଂଘର୍ଷ କରିଥିଲେ । ଆର୍ଥିକ ସଙ୍କଟରେ ପାଠପଢ଼ା ପାଇଁ ଖବରକାଗଜ ମଧ୍ୟ ବିକ୍ରି କରୁଥିଲେ । ବହୁ ବାଧାବିଘ୍ନକୁ ପାର କରି ସେ ହୋଇପାରିଥିଲେ ଦେଶର ରାଷ୍ଟ୍ରପତି । ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଦେଶ ପାଇଁ ତାଙ୍କର ରହିଛି ଗୁରୁତ୍ବପୂର୍ଣ୍ଣ ଅବଦାନ । ଦେଶର ରାଷ୍ଟ୍ରପତି ହେବା ପୂର୍ବରୁ ସେ ଡି.ଆର୍.ଡି.ଓ ଏବଂ ଇସ୍ରୋରେ ଅନ୍ତରୀକ୍ଷ ଇଂଜିନିୟର ଥିଲେ। ବାଲିଷ୍ଟିକ ମିଶାଇଲ୍ ଓ ଲଞ୍ଚ ଭେହିକିଲ୍ ପ୍ରଯୁକ୍ତିବିଦ୍ୟାର ଆବିଷ୍କାର ପାଇଁ କଲାମଙ୍କୁ ଭାରତର ମିସାଇଲ୍ ମ୍ୟାନର ଆଖ୍ୟା ଦିଆଯାଇଥିଲା। କାଲାମ ତାଙ୍କ ଜୀବନ କାଳରେ ଅନେକ ପୁସ୍ତକ ମଧ୍ୟ ଲେଖିଛନ୍ତି। ମହାକାଶ ବିଜ୍ଞାନ ଏବଂ ପ୍ରତିରକ୍ଷା ବିଜ୍ଞାନରେ ଅତୁଳନୀୟ ଅବଦାନ ପାଇଁ ତାଙ୍କୁ ୧୯୯୭ ମସିହାରେ ଦେଶର ସର୍ବୋଚ୍ଚ ସମ୍ମାନ ‘ଭାରତ ରତ୍ନ’ରେ ସମ୍ମାନିତ କରାଯାଇଥିଲା ।

୧୯୮୧ରେ ଭାରତ ସରକାର ତାଙ୍କୁ ପଦ୍ମ ଭୂଷଣରେ ସମ୍ମାନିତ କରିଥିଲେ। ୧୯୯୦ରେ ତାଙ୍କୁ ପ୍ରଦାନ କରାଯାଇଥିଲା ପଦ୍ମ ବିଭୂଷଣ । ତାଙ୍କ ଦ୍ବିତୀୟ ଶ୍ରାଦ୍ଧବାର୍ଷିକୀ ଅବସରରେ ଓଡ଼ିଶାର ଧାମରାରେ ଥିବା ହ୍ବିଲର ଦ୍ବୀପକୁ ବିଧିବଦ୍ଧ ଭାବେ ଅବଦୁଲ କାଲାମ ଦ୍ବୀପ ଘୋଷଣା କରାଯାଇଥିଲା । ଜଣେ ବୈଜ୍ଞାନିକ ସହ ସେ ଥିଲେ ଜଣେ ମହାନ ଶିକ୍ଷକ । ତାଙ୍କର ଶିକ୍ଷା ଏବଂ ଭାଷଣ ସବୁବେଳେ ଛାତ୍ରମାନଙ୍କୁ ପ୍ରଭାବିତ କରିଥିଲା । ୨୭ ଜୁଲାଇ ୨୦୧୫ ମେଘାଳୟର ଶିଲଂରେ ଏକ ସଭାରେ ଭାଷଣ ଦେବା ସମୟରେ ହୃଦଘାତ ଯୋଗୁଁ ତାଙ୍କର ପରଲୋକ ହୋଇଥିଲା ।

Spread the love