ବୈଠକରେ ଯୋଗ ଦେଲା ନାହିଁ ଘରୋଇ ବସ ମାଲିକ ସଂଘ

ଭୁବନେଶ୍ୱର: ତୁଟୁନି ଲକ୍ଷ୍ମୀ ଓ ଘରୋଇ ବସ୍ ବିବାଦ | ଆଜି ରାଜ୍ୟ ସରକାରଙ୍କ ସହ ହେବାକୁ ଥିବା ବୈଠକ ହୋଇପାରିନାହିଁ | ମିଳିଥିବା ସୂଚନା ମୁତାବକ ଆଜି ପରିବହନ ବିଭାଗ ଅଧିକାରୀଙ୍କ ସହ ଘରୋଇ ବସ୍ ମାଲିକ ସଂଘର ବୈଠକ ହେବାର ଥିଲା | ତେବେ ସଂଘର ମୂଳ ଦାବିକୁ ବାଦ୍ ଦେଇ ବୈଠକ ଡାକିବାରୁ ବୈଠକରେ ଯୋଗ ଦେଲାନାହିଁ ଘରୋଇ ବସ ମାଲିକ ସଂଘ | ପ୍ରତିବାଦରେ ଆସନ୍ତାକାଲି ଘରୋଇ ବସ୍ ମାଲିକ ସଂଘର ସାଧାରଣ ପରିଷଦ ବୈଠକ ହେବାକୁ ଯାଉଛି | ଆଉ ବୈଠକରେ ପୁଣି ଘରୋଇ ବସ୍ ଧର୍ମଘଟ ପାଇଁ ସଂଘ ନିଷ୍ପତ୍ତି ନେଇପାରେ | ରାଜ୍ୟ ଘରୋଇ ବସ୍ ମାଲିକ ସଂଘ ସଂପାଦକ ଦେବେନ୍ଦ୍ର ସାହୁ ଏହି ସୂଚନା ଦେଇଛନ୍ତି |

ଲକ୍ଷ୍ମୀ ଯୋଜନାକୁ ବିରୋଧ କରି ପ୍ରଥମେ ବସ ମାଲିକ ସଂଘ ଅକ୍ଟୋବର ୧୦ରୁ ସାରା ରାଜ୍ୟରେ ବସ୍‌ ଧର୍ମଘଟ ପାଇଁ ଘୋଷଣା କରିଥିଲା | ଏହାପରେ ବିଧାୟକ ପ୍ରଣବ ପ୍ରକାଶ ଦାସ, କ୍ରୁଟ୍‌ ପରିଚାଳନା ନିର୍ଦ୍ଦେଶକ ଅରୁଣ ବୋଥ୍ରା, ପରିବହନ କମିସନର ଅମିତାଭ ଠାକୁରଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି‌.କେ ପାଣ୍ଡିଆନଙ୍କ ସହ ଭିଡ଼ିଓ କନଫରେନ୍ସିଂରେ ଆଲୋଚନା କରିଥିଲେ। ଏହାପରେ ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ ଧର୍ମଘଟକୁ ସ୍ଥଗିତ ରଖାଯାଇଥିଲା | ତେବେ ଆଜି ପୁଣିଥରେ ବୈଠକ ବସିବାକୁ ଥିବାବେଳେ ଏଥିରେ ଘରୋଇ ବସ ମାଲିକ ସଂଘ ଯୋଗ ଦେଇନାହିଁ |

Spread the love