ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ନିଆଗଲା ଦୁଇଟି ପ୍ରମୁଖ ନିଷ୍ପତ୍ତି: ମିନି ଅଙ୍ଗନବାଡି କେନ୍ଦ୍ର ହେବ ନିୟମିତ ଅଙ୍ଗନବାଡି

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟରେ ଥିବା ସମସ୍ତ ୭୫୭୯ଟି ମିନି ଅଙ୍ଗନବାଡି କେନ୍ଦ୍ରକୁ ନିୟମିତ ଅଙ୍ଗନବାଡି କେନ୍ଦ୍ର ଭାବେ ଉନ୍ନୀତ କରିବା ପ୍ରସ୍ତାବକୁ ଅନୁମୋଦନ ପ୍ରଦାନ କରିଛନ୍ତି । ଏହାଦ୍ବାରା ରାଜ୍ୟରେ ଶିଶୁ ଯତ୍ନ କାର୍ଯ୍ୟକ୍ରମ ଆହୁରି ବ୍ୟାପକ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ସୂଚନାଯୋଗ୍ୟ ଯେ ଅଙ୍ଗନବାଡି କେନ୍ଦ୍ରଗୁଡିକ ରାଜ୍ୟରେ କୋମଳମତି ଶିଶୁମାନଙ୍କର ଯତ୍ନ ଓ ପ୍ରାରମ୍ଭିକ ଶିକ୍ଷା ଲାଭ ନିମନ୍ତେ କାର୍ଯ୍ୟ କରୁଛି । ରାଜ୍ୟର ଏହି ୭୫୭୯ଟି ମିନି ଅଙ୍ଗନବାଡି କେନ୍ଦ୍ରର ଉନ୍ନତିକରଣ ପାଇଁ ୫୫ କୋଟି ୨୧ ଲକ୍ଷ ୩୦ ହଜାର ୧୫୦ ଟଙ୍କା ଖର୍ଚ୍ଚ ହେବ । ଏଥିରୁ ରାଜ୍ୟ ସରକାର ୩୬ କୋଟି ୪୦ ଲକ୍ଷ ୯୫ ହଜାର ୧୬୦ ଟଙ୍କା ବହନ କରୁଥିବା ବେଳେ କେନ୍ଦ୍ର ସରକାର ୧୮ କୋଟି ୮୦ ଲକ୍ଷ ୩୪ ହଜାର ୯୯୦ ଟଙ୍କା ବହନ କରୁଛନ୍ତି ।

ଅନୁଦାନ ଅର୍ଥରେ ମେଡିସିନ୍‌ କିଟ୍‌, ଆସବାବପତ୍ର ଓ ଅନ୍ୟାନ୍ୟ ଉପକରଣ ତଥା ପ୍ରଶାସନିକ ଖର୍ଚ୍ଚ ମଧ୍ୟ ଅନ୍ତର୍ଭୁକ୍ତ ରହିଛି | ସେହିପରି ମୁଖ୍ୟମନ୍ତ୍ରୀ ଆଜି ଦେବଗଡ ଜିଲ୍ଲା ବାରକୋଟ ଠାରେ ଗୋଟିଏ ଅତିରିକ୍ତ ସିଭିଲ୍ ଜଜ୍ (କନିଷ୍ଠ ଡିଭିଜନ୍) ତଥା ଜେଏମଏଫସି କୋର୍ଟ ପ୍ରତିଷ୍ଠାକୁ ଅନୁମୋଦନ ଦେଇଛନ୍ତି । ତ୍ୱରିତ ନ୍ୟାୟ ପ୍ରଦାନ କ୍ଷେତ୍ରରେ ଜିଲ୍ଲାବାସୀଙ୍କ ପାଇଁ ଏହି କୋର୍ଟ ଉପଯୋଗୀ ସାବ୍ୟସ୍ତ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକାଶ କରିଛନ୍ତି । ଏହି ନୂତନ କୋର୍ଟ ପାଇଁ ଆଇନ ବିଭାଗ ପକ୍ଷରୁ ଆବଶ୍ୟକୀୟ ୧୨ଟି ଗେଜେଟେଡ୍ ଓ ଅଣଗେଜେଟେଡ୍ ପଦବୀ ସୃଷ୍ଟି କରାଯାଇଛି। ବିଭିନ୍ନ କାରଣରୁ ପଡିରହିଥିବା ମାମଲାଗୁଡିକ ତୁରନ୍ତ ଫଇସଲା ନିମନ୍ତେ ଏହି ନୂତନ କୋର୍ଟ ସହାୟକ ହେବ।

Spread the love