ବିଷାକ୍ତ ରାଜଧାନୀ ପବନ: ବ୍ୟା‌ପୁଛି ଥଣ୍ଡା, କାଶ ଓ ଛିଙ୍କ ରୋଗ

ଭୁବନେଶ୍ବର: ଶୀତ ପଡ଼ିନି। ଦିନର ତାପମାତ୍ରା ୩୫ ଡିଗ୍ରି ପାଖାପାଖି ରହୁଛି। ରାତିର ତାପମାତ୍ରା ସ୍ବାଭାବିକଠାରୁ ୪ ଡିଗ୍ରି ଅଧିକ। ତା’ସ‌ତ୍ତ୍ବେ ରାତିରେ ରାଜଧାନୀ ଆକାଶରେ କୁହୁଡ଼ିର ଭ୍ରମ ସୃଷ୍ଟି ହେଉଛି। କେଉଁଠି ଅଧିକ ଦେଖିବାକୁ ମିଳୁଛି, ଆଉ କେଉଁଠି କମ୍‌। ଶିଳ୍ପାଞ୍ଚଳରେ ଏହାର ପରିମାଣ ଏତେ ରହୁଛି ଯେ ଅଧିକ ଦୂର ପର୍ଯ୍ୟନ୍ତ ରାସ୍ତା ଦୃଶ୍ୟମାନ ହେଉ ନାହିଁ। ଶୀତ ଆସି ନ ଥିବା ବେଳେ ରାତିରେ ଆକାଶରେ ଧୂଳିକଣା ଦେଖିବାକୁ ମିଳୁଛି। ଏଥିସହିତ ଏବେ ଘରେ ଘରେ ଥଣ୍ଡା, କାଶ ଓ ଛିଙ୍କ ବ୍ୟାପୁଛି। ଦୀର୍ଘଦିନ ଧରି ଥଣ୍ଡା ଲାଗି ରହୁଥିବାରୁ ଲୋକେ ଏହାକୁ ସାଧାରଣ ଭାବି ଚିକିତ୍ସା କରୁନାହାନ୍ତି, ଯାହାକି ଏବେ ବିପଦ ବଢ଼ାଇଲାଣି। ଅନୁସନ୍ଧାନରୁ ଜଣାପଡ଼ିଛି ଯେ ଏବେ ରାଜଧାନୀର ବାୟୁ ଅସ୍ବାସ୍ଥ୍ୟକର ହୋଇପଡ଼ିଛି।

ସହରବାସୀ ଯେତିକି ଅମ୍ଳଜାନ ନେଉ ନାହାନ୍ତି ତା’ଠାରୁ ଅଧିକ ସଲ୍‌ଫର୍‌ ଡାଇଅକ୍ସାଇଡ୍, ନାଇଟ୍ରୋଜେନ୍‌ ଡାଇଅକ୍ସାଇଡ୍, ଓଜୋନ୍, କାର୍ବନ ମନୋକ୍ସାଇଡ୍, କାର୍ବନ ଡାଇଅକ୍ସାଇଡ୍ ଏବଂ ବିଷାକ୍ତ ଧୂଳିକଣାକୁ ନେଉଛନ୍ତି। ଯାହାକି କମ୍ ଦିନରେ ହୃଦ୍‌ଘାତ, ଶ୍ବାସକ୍ରିୟା ଜନିତ ରୋଗ, ଫୁସ୍‌ଫୁସ୍‌ କର୍କଟ, ଯକ୍ଷ୍ମା, ଆଜ୍‌ମାରେ ରାଜଧାନୀବାସୀଙ୍କୁ ଘାଣ୍ଟି ଦେଇପାରେ। ବାୟୁ ପ୍ରଦୂଷଣ ଏବେ ଗଳିକନ୍ଦିରେ କାୟା ମେଲାଉଛି ଓ ହଜାର ହଜାର ଲୋକଙ୍କ ଜୀବନ ପ୍ରତି ବିପଦ ଆଣୁଛି। କିନ୍ତୁ ଏହାର ପ୍ରତିକାର ନେଇ ସମସ୍ତେ ଏବେ ଉପାୟଶୂନ୍ୟ ପାଲଟିଛନ୍ତି। ସାଧାରଣତଃ ବାୟୁ ଗୁଣବତ୍ତା ସୂଚକାଙ୍କ(ଏକ୍ୟୁଆଇ) ୫୦ କିମ୍ବା ଏହା ତଳକୁ ରହିଲେ ତାହାକୁ ଭଲ(ଗୁଡ୍‌) ବୋଲି ବିବେଚନା କରାଯାଏ। ସେହିପରି ଏହି ସୂଚକାଙ୍କ ୫୧ରୁ ୧୦୦ ମଧ୍ୟରେ ରହିଲେ ସନ୍ତୋଷଜନକ, ୧୦୧ରୁ ୨୦୦ ମଧ୍ୟରେ ରହିଲେ ମଧ୍ୟମ ଧରଣର, ୨୦୧ରୁ ୩୦୦ ମଧ୍ୟରେ ରହିଲେ ସାଂଘାତିକ, ୩୦୧-୪୦୦ ମଧ୍ୟରେ ରହିଲେ ଅତି ସାଂଘାତିକ ବୋଲି ଧରାଯାଏ। ଏହା ଉପରକୁ ଅର୍ଥାତ୍‌ ୪୦୧-୫୦୦ ମଧ୍ୟରେ ରହିଲେ, ମଣିଷ ଓ ଜୀବଜଗତ ତିଷ୍ଠିବା ଅସମ୍ଭବ ହୋଇପଡ଼ିବ। ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ତଥ୍ୟ ଦେଖିଲେ ଗତ ୫ ଦିନ ହେବ ଭୁବନେଶ୍ବରର ଏକ୍ୟୁଆଇ ୧୧୦ ଉପରେ ରହୁଛି। ଘରୋଇ ସଂସ୍ଥାଙ୍କ ତଥ୍ୟ କହୁଛି ୧୪ ତାରିଖରେ ରାଜଧାନୀର ଏକ୍ୟୁଆଇ(ୟୁଏସ୍‌) ୧୫୦ ଛୁଇଁଥିବା ବେଳେ ୧୫ ତାରିଖରେ ୧୪୫, ୧୬ ତାରିଖରେ ୧୩୫ ଓ ଆଜି ୧୪୮ ରହିଥିଲା। ଆସନ୍ତା ୩ ଦିନ ପର୍ଯ୍ୟନ୍ତ ଏଭଳି ସ୍ଥିତି ଲାଗିରହିବ ବୋଲି ଆକଳନ କରାଯାଇଛି। ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକଙ୍କ କହିବାନୁଯାୟୀ, ଗତ ୧୩ ତାରିଖଠାରୁ ସହରର ଏକ୍ୟୁଆଇ ପାଖାପାଖି ୧୫୦ ରହୁଛି, ଯାହାକି ଅସ୍ବାସ୍ଥ୍ୟକର। ପିଏମ୍‌-୨.୫ କଥା ଦେଖିଲେ ପ୍ରତି କ୍ୟୁବିକ୍‌ ମିଟର ମାତ୍ରା ୫୪.୭ ମାଇକ୍ରୋ ଗ୍ରାମ୍‌ ରହିଥିଲା। ଯାହାକି ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ(ଡବ୍ଲୁଏଚ୍‌ଓ)ର ଗୁଣବତ୍ତା ନିୟମାବଳୀଠାରୁ ୧୧ ଗୁଣ ଅଧିକ। ଏହି ସମୟରେ ଉତ୍ତର ପୂର୍ବ ମୌସୁମୀ ବାୟୁ ସହ ବଙ୍ଗୋପସାଗରୀୟ ପବନ ବହିବା କଥା। ସାମୁଦ୍ରିକ ପବନ ବହିଲେ ଏହା ବାୟୁମଣ୍ଡପରେ ପ୍ରଦୂଷଣର ମାତ୍ରା କମ୍‌ କରିଥାଏ। ହେଲେ ଏବେ ଉତ୍ତର ପଶ୍ଚିମ ଭାରତରୁ ସ୍ବାଭାବିକ ପବନ ଆସୁଛି। ଯାହାଦ୍ବାରା ବାୟୁ ପ୍ରଦୂଷଣ ବଢ଼ିଛି। ଏଥିସହ ଭୁବନେଶ୍ବରରେ ବହୁ ପରିମାଣରେ ନିର୍ମାଣ କାର୍ଯ୍ୟ ଚାଲୁଥିବାରୁ ବାୟୁ ପ୍ରଦୂଷଣର ମାତ୍ରା ବୃଦ୍ଧି ପାଉଛି। ଦିନର ତାପମାତ୍ରା କମି ନ ଥିବା ବେଳେ ରାତିର ତାପମାତ୍ରା ସ୍ବାଭାବିକଠାରୁ ଅଧିକ ରହୁଛି। ରାତିରେ ଆକାଶରେ ଯେଉଁ କଣିକା ଦେଖାଯାଉଛି ତାହା କୁହୁଡ଼ି ନୁହେଁ। ବରଂ ଧୂଳିକଣା। ଏହି ସମୟରେ ଲୋକେ ସତର୍କତା ଅବଲମ୍ବନ କରନ୍ତୁ।

ପରିବେଶବିତ୍‌ ଜୟକୃଷ୍ଣ ପାଣିଗ୍ରାହୀ କହିଛନ୍ତି, ଯେ ଭୁବନେଶ୍ବରରେ ବାୟୁ ପ୍ରଦୂଷଣ ହେବାର ମୁଖ୍ୟ ଉତ୍ସ ହେଉଛି ଯାନବାହନ। ସହରରେ ଯେଉଁଭଳି ଭାବେ ଯାନବାହନ ବଢ଼ୁଛି ତାହା ବିପଦକୁ ଡାକି ଆଣୁଛି। ଟ୍ରାଫିକ୍‌ ଜାମ ଯେତିକି ହେଉଛି ବାୟୁ ପ୍ରଦୂଷଣ ସେହି ଅନୁଯାୟୀ ବଢ଼ୁଛି। ତେଣୁ ରାଜ୍ୟ ସରକାର ବୈଦ୍ୟୁତିକ ଯାନ(ଇଭି) ବ୍ୟବହାରକୁ ଅଧିକ ପୋତ୍ସାହନ ଦେବା ସହ ରାସ୍ତାରେ କିଭଳି ଅଧିକ ସଂଖ୍ୟକ ଇଭି ଚାଲିବ ସେନେଇ ଲୋକଙ୍କୁ ସଚେତନ କରିବା ଦରକାର। ସେହିପରି ନିର୍ମାଣ ଉତ୍ସ ଯଥା ରାସ୍ତା ଖୋଳାଯିବା, କୋଠା ନିର୍ମାଣ ପାଇଁ ରାସ୍ତା ଉପରେ ବାଲି, ଗୋଡି, ମାଟି ଜମା ହୋଇ ରହିବା ଦ୍ବାରା ତାହା ଉପରେ ଗାଡ଼ି ଚଢ଼ି ସୁକ୍ଷ୍ମ ଧୂଳିକଣା ବାୟୁ ପ୍ରଦୂଷଣର ଅନ୍ୟତମ କାରଣ ହେଉଛି। ତେଣୁ ନିର୍ମାଣ ଉତ୍ସକୁ ନିୟନ୍ତ୍ରଣ କରିବା ଦିଗରେ ପଦକ୍ଷେପ ନିଆଯିବା ଆବଶ୍ୟକ। ବାୟୁ ପ୍ରଦୂଷଣରେ ପିଏମ୍‌-୨.୫ ବହୁ ମାରାତ୍ମକ। ଏହାଦ୍ବାରା ବିଭିନ୍ନ ରୋଗ ବ୍ୟାପିବା ସହ ଶରୀରକୁ କ୍ଷତି ପହଞ୍ଚାଏ। ବ୍ୟବସାୟିକ ପ୍ରତିଷ୍ଠାନ ଓ ଲୋକଙ୍କ ଘରୁ ବାହାରୁଥିବା ବର୍ଜ୍ୟ ପଦାର୍ଥ ପଡ଼ି ରହିବା ଦ୍ବାରା ପ୍ରଦୂଷଣ ସୃଷ୍ଟି ହେଉଛି। ବର୍ତ୍ତମାନ ସମୟରେ ପବନର ଗତି ମନ୍ଥର ହୋଇଯାଇଥିବାରୁ ପ୍ରଦୂଷଣ ବାୟୁ ମଣ୍ଡପରେ ଜମି ରହୁଛି। ଯେହେତୁ ଆକାଶ ମେଘମୁକ୍ତ ରହୁଛି ଏବଂ ସୂର୍ଯ୍ୟକିରଣ ସିଧା ପଡ଼ୁଛି ତେଣୁ ‘ସ୍ମଗ୍‌ ଫଗ୍‌’ ସୃଷ୍ଟି ହେଉଥିବାରୁ ଧୂଆଳିଆ ପରିବେଶ ସୃଷ୍ଟି ହେଉଛି। ଏହା ସ୍ବାସ୍ଥ୍ୟ ପ୍ରତି ଅଧିକ କ୍ଷତିଗସ୍ତ। ଶ୍ବାସ, କାଶ ପରି ରୋଗ ବ୍ୟାପିବାର ପ୍ରମୁଖ ମାଧ୍ୟମ ସାଜିଛି।

Spread the love