ବିଜେପିର ଦାବି: ଚାଷୀଙ୍କୁ ପାଣି ଦିଅ, ନଚେତ ଜିଲ୍ଲାକୁ ମରୁଡ଼ି ଘୋଷଣା କର

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ବହୁ ଚାଷ ଜମିକୁ କେନାଲ ପାଣି ଦିଆଯାଉନଥିବା ନେଇ ଆଜି ବିଜେପି ପକ୍ଷରୁ ଏକ ଟିମ୍ ମାଲକାନଗିରି ଜିଲ୍ଲପାଳ ବିଶାଲ ସିଂକୁ ଭେଟିଛନ୍ତି। ଚାଷ ଜମିକୁ ପାଣି ଦିଆଯାଉ ନଚେତ ଜିଲ୍ଲାକୁ ମରୁଡି ଘୋଷଣା କରାଯାଉ ବୋଲି ଓଡିଶାର ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି।

ମାଲକାନଗିରି ଏକ ଚାଷୀ ବହୁଳ ଜିଲ୍ଲା ଅଟେ। ଏଠାରେ ଅଧିକାଂଶ ଲୋକ ଚାଷ କାର୍ଯ୍ୟ ଉପରେ ନିର୍ଭର କରିଥାନ୍ତି। ବର୍ତ୍ତମାନ ଧାନ କ୍ଷେତକୁ ପାଣିର ଆବଶ୍ୟକତା ଥିବା ବେଳେ କେନାଲ ପାଣି ଚାଷୀଙ୍କୁ ପ୍ରଦାନ କରାଯାଉନାହିଁ। ବର୍ଷା ଅଭାବ ଓ କେନାଲ ପାଣି ପାଇପାରୁନଥିବାରୁ ଧାନ ଗଛ ମରିବାରେ ଲାଗିଲାଣି। ପାଣି ପ୍ରଦାନ ନକଲେ ଧାନ ସମ୍ପୂର୍ଣ୍ଣ ଭାବରେ ନଷ୍ଟ ହୋଇଯିବ। ଯଦ୍ବାରା ଚାଷୀମାନେ ନିଜର ରୋଜଗାର ଟଙ୍କାକୁ ହରାଇ ବସିବେ। ଋଣ ପରିଷୋଧ ଓ ପରିବାର ପରିଚାଳନା ପାଇଁ ଆର୍ଥିକ କ୍ଷେତ୍ରରେ ଅଭାବନୀୟ ପରିସ୍ଥିତି ଦେଖାଯିବ। ଏନେଇ ଜିଲ୍ଲାରେ ଥିବା ଚାଷ ଜମିକୁ ପର୍ଯ୍ୟାପ୍ତ ପରିମାଣରେ କେନାଲ ପାଣି ଯୋଗାଇ ଦେବା ପାଇଁ ଦାବି କରିଛନ୍ତି। ଆସନ୍ତା ୧୫ ଦିନ ମଧ୍ୟରେ ଚାଷ ଜମିକୁ ପାଣି ଦିଆଯାଇ ନ ପାରିଲେ ଜିଲ୍ଲାକୁ ମରୁଡି ଘୋଷଣା କରିବା ପାଇଁ ଦାବି କରିଛନ୍ତି। ଏଥିସହ ଚାଷୀଙ୍କୁ କ୍ଷତିପୂରଣ ଦେବା ପାଇଁ ବ୍ୟବସ୍ଥା ମଧ୍ୟ କରାଯାଉ ବୋଲି କହିଛନ୍ତି। ଦାବିପୂରଣ ନ ହେଲେ ଆସନ୍ତା ଦିନରେ ଚାଷୀମାନଙ୍କୁ ନେଇ ବିଜେପି କୃଷକ ମୋର୍ଚ୍ଚା ରାଜରାସ୍ତାକୁ ଓହ୍ଲାଇବା ପାଇଁ ଚେତାବନୀ ଦେଇଛନ୍ତି। ମାଲକାନଗିରି ବିଧାୟକ ଆଦିତ୍ୟ ମାଢ଼ୀ, ବିଜେପି ଜିଲ୍ଲା ସଭାପତି ନିମାଇଁ ଚନ୍ଦ୍ର ପାଲ, କୃଷକ ମୋର୍ଚ୍ଚା ସଭାପତି ବିଜୟ ବୈରାଗୀ, ସାଧାରଣ ସଂପାଦକ ମାଣିକ ଲାଲ ଚକ୍ରବର୍ତ୍ତୀ, ଗଙ୍ଗା ସୋଢ଼ି, ନରସିଂହ ମାଡକାମି, ମହିଳା ମୋର୍ଚ୍ଚା ସଭାପତି ଦେବୀ ମାଢି, ଯୁବ ସଭାପତି ଭବାନୀ ଶଙ୍କର ମୁଖାର୍ଜୀ, ମାଲକାନଗିରି ବ୍ଲକ ଉପାଧ୍ୟକ୍ଷ ନିରଞ୍ଜନ ହାଲଦାର, କୋଷାଧ୍ୟକ୍ଷ ସଞ୍ଜୟ ସରକାର, ମଣ୍ଡଳ ସଭାପତି ନାରାୟଣ ସରକାର ଓ ସୁଶୀଲ ମଣ୍ଡଳ, ହରବିଳାସ ମଣ୍ଡଳ, ଆଡମା ମାଢୀ, ରାଜ କିଶୋର ମଣ୍ଡଳ ଓ ନିହାର ରାୟଙ୍କ ସମେତ ବହୁ କର୍ମୀ ଉପସ୍ଥିତ ଥିଲେ।

Spread the love