ଓଡିଶାରେ ସ୍ଥିର ସରକାର ଚାଲିଛି କିନ୍ତୁ ବିକାଶ ବିଳମ୍ବିତ ହେଇଛି : ଅନିଲ ବିଶ୍ୱାଳ

ଭୁବନେଶ୍ୱର,ତା.୧୯/୧୦: ଆଜି ସାରା ଦେଶରେ ୧୫ଟି ସହରରେ ମେଟ୍ରୋ ରେଳ ଚାଲିସାରିଲାଣି । ସେହିଭଳି ଆଉ ୭ଟି ସହରରେ ନୂଆ ମେଟ୍ରୋ ରେଳ ପ୍ରକଳ୍ପ ନିର୍ମାଣଧୀନ ଅଛି । ଗରିବଙ୍କ ରାଜ୍ୟ ବିହାରରେ ମଧ୍ୟ ମେଟ୍ରୋ ରେଳ ଚାଲିଲାଣି । ଦେଶର ୨୨ଟି ସହର ଏବେ ମେଟ୍ରୋ ରେଳ ସୁବିଧା ପାଇସାରିଲା ପରେ ଏବେ ଓଡିଶା ସରକାରଙ୍କର ମେଟ୍ରୋ ରେଳ ପ୍ରକଳ୍ପ କଥା ମନେପଡିଛି । ପ୍ରାୟ ସମସ୍ତ ବଡ ବଡ ରାଜ୍ୟରେ ମେଟ୍ରୋ ରେଳ ଚାଲିଲାଣି କିନ୍ତୁ ଓଡିଶା ସରକାର ଡିପିଆର, ବିଜ୍ଞାପନରେ ଅଟକି ଯାଇଛନ୍ତି । ବିଜୁ ଜନତା ଦଳ ଶାସନରେ ଓଡିଶା ସବୁଠୁ ପଛରେ ପଡିଛି । ଓଡିଶାରେ ଏକ ସ୍ଥିର ସରକାର ଚାଲିଛି କିନ୍ତୁ ଆମର ବିକାଶ ବିଳମ୍ବିତ ହୋଇଛି । ୨୦୧୭ରେ କେନ୍ଦ୍ରରେ ନରେନ୍ଦ୍ର ମୋଦିଙ୍କ ସରକାର ମେଟ୍ରୋ ଟ୍ରେନ ପଲିସି ଆଣିଥିଲେ । ସେଥିରେ କେନ୍ଦ୍ର ସରକାର ୫୦ ପ୍ରତିଶତ ଅର୍ଥ ସମସ୍ତ ପ୍ରକଳ୍ଗକୁ ଦେବାର ବ୍ୟବସ୍ଥା କରିଛନ୍ତି । ସେହିଭଳି କେନ୍ଦ୍ର ସରକାରଙ୍କର ଦିଲ୍ଲୀ ମେଟ୍ରୋ ରେଳ ନିଗମକୁ ଦାୟୀତ୍ୱ ଦିଆଯାଇଛି ଦେଶରେ ସବୁ ବଡ ସହରରେ ମେଟ୍ରୋ ପ୍ରକଳ୍ପ କ୍ରିୟାନ୍ୱୟନ ପାଇଁ କିନ୍ତୁ ଓଡିଶା ସରକାରଙ୍କ ହୀନ ରାଜନୀତି ଓ ଉଦ୍ୟମର ଅଭାବ ପାଇଁ ଓଡିଶା ଲୋକେ ସେମାନଙ୍କର ଅଧୀକାରରୁ ବଂଚିତ ହେଉଛନ୍ତି ବୋଲି ଆଜି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୁଖପାତ୍ର ଅନିଲ ବିଶ୍ୱାଳ କହିଛନ୍ତି ।

ଶ୍ରୀ ବିଶ୍ୱାଳ କହିଛନ୍ତି ଯେ, ଏପ୍ରିଲ ୧ ତାରିଖ ପବିତ୍ର ଉତ୍କଳ ଦିବସ ଦିନ ମୁଖ୍ୟମନ୍ତ୍ରୀ ମେଟ୍ରୋ ରେଳ ପ୍ରକଳ୍ପର ଅନୁମୋଦନ କରିଥିଲେ ବୋଲି ଖବର ପ୍ରକାଶ ପାଇଥିଲା । ହେଲେ ସୂଚନା ଅଧୀକାର ଆଇନରେ ମିଳିଥିବା ତଥ୍ୟ ଅନୁସାରେ ମୁଖ୍ୟମନ୍ତ୍ରୀ ସେହି ଘୋଷଣା କରିବା ପୂର୍ବରୁ କୌଣସି ବୈଠକ ବା କୌଣସି ଆଲୋଚନା ସରକାରୀ ସ୍ତରରେ କରିନଥିଲେ । ଏମିତି ବିନା ଆଲୋଚନା, ବିନା ବୈଠକରେ ହଠାତ୍ ଘୋଷଣା କରିବାରେ ମୁଖ୍ୟମନ୍ତ୍ରୀ ବୋଧହୁଏ ବିଶ୍ୱରେ ଏକମାତ୍ର ଶାସନମୁଖ୍ୟ । ଉତ୍କଳ ଦିବସ ଦିନ ଓଡିଶା ଲୋକଙ୍କୁ “ଏପ୍ରିଲ ଫୁଲ” କରାଇବାର ପ୍ରୟାସ କରିଥିଲେ କି ମୁଖ୍ୟମନ୍ତ୍ରୀ ? ପ୍ରତିଶୃତି ଦେବାରେ ଓ ପ୍ରତାରଣା କରିବାରେ ଉଭୟରେ ମୁଖ୍ୟମନ୍ତ୍ରୀ ରେକର୍ଡ କରିଛନ୍ତି । କୁଆଡେ ଗଲା ଆଜକୁ ୧୦ ବର୍ଷ ତଳେ ଘୋଷଣା ହୋଇଥିବା ଜାଗମରା–ଖଣ୍ଡଗିରି ୨୦୦ ଫୁଟିଆ ରାସ୍ତା ? କେବେ ସରିବ ୧୩ ବର୍ଷ ହେଲାଣି ଚାଲୁଥିବା ଜୟଦେବ ବିହାର- ନନ୍ଦନ କାନନ ରାସ୍ତା ପ୍ରଶସ୍ତିକରଣ ଏବଂ ଦୁଇ ପଟରେ ପ୍ରସ୍ତାବିତ ସର୍ପୋଟ ରୋଡର କାମ ? କେବେ ଭୁବନେଶ୍ୱର ସହର ଜଳମଗ୍ନ ସମସ୍ୟାରୁ ମୁକ୍ତି ପାଇବ । ଏସବୁ ଦେଖିଲେ ଲାଗୁଛି ସତରେ କ’ଣ ମେଟ୍ରୋ ରେଳ ପ୍ରକଳ୍ପ କାମ ସରିବ ନା ଏହା କେବଳ ବିଜୁ ଜନତା ଦଳର ସୋସିଆଲ ମିଡିଆ ପେଜରେ ହୋଇଥିବା ରଙ୍ଗ ରଙ୍ଗିଆ ଆନିମେଟଡ ଭିଡିଓ ପାଖରେ ଅଟକିଯିବ ।
କେନ୍ଦ୍ର ସରକାରଙ୍କ ସହଭାଗିତାରେ ମେଟ୍ରୋ ରେଳ ପ୍ରକଳ୍ପ ନିର୍ମାଣ ହେବାକୁ ଯାଉଥିବା ବେଳେ ଏହାକୁ ମିଛରେ କୁହାଯାଉଛି ଯେ, ଏହା ରାଜ୍ୟ ସରକାରଙ୍କ ନିଜସ୍ୱ ବଜେଟ୍‌ରେ ହେଉଛି ବୋଲି । ଠିକ ଯେମିତି କୋଭିଡ ସମୟରେ ନିଜ ଅର୍ଥରେ ଗ୍ଲୋବାଲ ଟେଣ୍ଡର ଘୋଷଣା କରି ଭ୍ୟାକ୍ସିନ ଦେବୁ ବୋଲି କହିଥିଲେ, ହେଲେ ଗୋଟିଏ ଛୁଂଚି ମଧ୍ୟ କିଣିପାରିଲେ ନାହିଁ । ସମସ୍ତ କୋଭିଡ ଟିକା କେନ୍ଦ୍ର ସରକାର ଯୋଗାଇଲେ । ୨୦୧୮ରେ ମୁଖ୍ୟମନ୍ତ୍ରୀ ନିଜେ କହିଥିଲେ ମହାନଦୀରେ ୨୯ଟା ବନ୍ଧ ବାନ୍ଧିବୁ ବୋଲି ହେଲେ ଗୋଟିଏ ମଧ୍ୟ କରିପାରିଲେ ନାହିଁ । ୨୦୧୩ରେ ସବୁ ବ୍ଲକରେ ଶୀତଳ ଭଣ୍ଡାର ସ୍ଥାପନା କରିବା କଥା ସରକାର ଘୋଷଣା କରିଥିଲେ ହେଲେ କରିପାରିଲେ ନାହିଁ । କେବଳ ନିର୍ବାଚନ ପୂର୍ବରୁ ଏଭଳି ଘୋଷଣା ହୁଏ, ନିର୍ବାଚନ ପରେ ଭୁଲିଯାଆନ୍ତି ବୋଲି ଶ୍ରୀ ବିଶ୍ୱାଳ କହିଛନ୍ତି ।
ମଧ୍ୟପ୍ରଦେଶରେ ଶିବରାଜ ସିଂ ଚୌହାନ ୨୦୦୫ରେ ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇଥିଲେ । ଆଜି ମଧ୍ୟପ୍ରଦେଶରେ ଦୁଇଟି ସହରରେ ମେଟ୍ରୋ ରେଳ ଚାଲିଲାଣି । ନରେନ୍ଦ୍ର ମୋଦି ୨୦୦୧ରେ ଗୁଜୁରାଟର ମୁଖ୍ୟମନ୍ତ୍ରୀ ହୋଇଥିଲେ । ସେଠାରେ ଏବେ ୩ଟି ସହରରେ ମେଟ୍ରୋ ରେଳ ଚାଲିଲାଣି । ନବୀନ ବାବୁ ନିଜେ ୨୦୦୦ ମସିହାରେ ମୁଖ୍ୟମନ୍ତ୍ରୀ ହେଲେ । ନବୀନ ବାବୁ ସବୁଠୁ ଆଗ ମୁଖ୍ୟମନ୍ତ୍ରୀ ହୋଇଥିଲେ କିନ୍ତୁ ବିକାଶର ଦୌଡରେ ସବୁଠୁ ପଛରେ ପଡିଗଲେ । କେନ୍ଦ୍ରରେ ନରେନ୍ଦ୍ର ମୋଦିଙ୍କ ସରକାର ୨୦୧୪ରେ ଆସିବା ଆଗରୁ ଦେଶରେ ମାତ୍ର ୫ଟି ସହରରେ ମେଟ୍ରୋ ଚାଲୁଥିଲା । ଆଜି ମାତ୍ର ୯ ବର୍ଷ ଭିତରେ ଏବେ ଏହା ୧୫ଟି ସହରରେ ପହିଂଚିଲାଣି । ସେହିଭଳି ଆଉ ୭ଟି ଅନ୍ୟ ସହରରେ ନୂଆ ମେଟ୍ରୋ ରେଳ ପ୍ରକଳ୍ପ ନିର୍ମାଣଧୀନ ଅଛି । ୨୦୧୪ରେ ଦେଶରେ ମେଟ୍ରୋ ଲାଇନ ଥିଲା ୨୨୯ କିମି । ଏବେ ଏହା ୮୪୫ କିମି ପାର କରିସାରିଲାଣି । ଏହା ସହିତ ଆହୁରି ୧୦୦୦ କିମିର ମେଟ୍ରୋ ରେଳ ପ୍ରକଳ୍ପ ଦେଶରେ ନିର୍ମାଣଧୀନ ଅଛି, କିନ୍ତୁ ଓଡିଶା ଏହି ଲାଭ ନେଇପାରୁନାହିଁ । କାରଣ ନବୀନ ବାବୁଙ୍କୁ ନରେନ୍ଦ୍ର ମୋଦି କାଳେ ନାଁ ନେଇଯିବେ ସେହି ଡର ଘାରିଛି । ଏହା ଡାର୍ଟି ପଲିଟିକସର ଲକ୍ଷଣ ବୋଲି ଶ୍ରୀ ବିଶ୍ୱାଳ କହିଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଗଣମାଧ୍ୟମ ସହପ୍ରମୁଖ ସୁଜିତ କୁମାର ଦାସ୍ ଉପସ୍ଥିତ ଥିଲେ ।

Spread the love