ବାଣୀବିହାର ନାକ୍‌ ଗ୍ରେଡ୍‌ କେବେ? ମାସେ ପୂରିବ, ଫଳ ବାହାରୁନି

ଭୁବନେଶ୍ବର: ଉତ୍କଳ ବିଶ୍ବବିଦ୍ୟାଳୟକୁ ନ୍ୟାସନାଲ ଆସେସ୍‌ମେଣ୍ଟ ଆଣ୍ଡ ଆକ୍ରିଡେସନ୍ କାଉନସିଲ୍ (ନାକ୍) ଟିମ୍‌ ଗସ୍ତ କରି ଫେରିବାକୁ ୩ ସପ୍ତାହ ବିତିଲାଣି। ଭିତ୍ତିଭୂମି, ସୁରକ୍ଷା, ଶୈକ୍ଷିକ ବାତାବରଣ, ‌ଗବେଷଣା ପରି ୭ଟି ମାନଦଣ୍ଡ ଆଧାରରେ ନାକ୍‌ ଟିମ୍‌ ସେପ୍ଟେମ୍ବର ୨୬ରୁ ୨୮ ପର୍ଯ୍ୟନ୍ତ ୩ ଦିନ ଧରି ଯାଞ୍ଚ କରିଥିଲେ। ଯେହେତୁ ୫ ମାସ ପୂର୍ବରୁ ନାକ୍‌ର ଏକ ଟିମ୍‌ ଗସ୍ତ କରି ଯାଇଥିଲେ, ତେଣୁ ମୂଲ୍ୟାୟନରେ ବିଶେଷ ସମସ୍ୟା ହେବନି ବୋଲି ଅନୁମାନ କରାଯାଉଥିଲା। ମାନ୍ୟତା ଶୀଘ୍ର ମିଳିବା ନେଇ ସମସ୍ତେ ଆଶାବାଦୀ ମଧ୍ୟ ଥିଲେ। ପୁଣି ସେପ୍ଟେମ୍ବର ୨୭ରେ ସମ୍ବଲପୁର ବିଶ୍ବବିଦ୍ୟାଳୟକୁ ଗସ୍ତ କରିଥିବା ନାକ୍‌ ଟିମ୍‌ ଇତିମଧ୍ୟରେ ଗ୍ରେଡ୍‌ ପ୍ରକାଶ କରିସାରିଛି। ସମ୍ପୃକ୍ତ ବିଶ୍ବବିଦ୍ୟାଳୟ ପୂର୍ବଥର ପରି ‘ଏ’ ଗ୍ରେଡ୍‌ ବଜାୟ ରଖିବାରେ ସକ୍ଷମ ହୋଇଛି। ଗତ ମାସ ୧୨ରୁ ୧୫ ତାରିଖ ମଧ୍ୟରେ ଫକୀର ମୋହନ ବିଶ୍ବବିଦ୍ୟାଳୟ ଗସ୍ତ କରିଥିବା ନାକ୍‌ ଟିମ୍‌ ଫେରିବାର ୭ ଦିନ ମଧ୍ୟରେ ଗ୍ରେଡ୍‌ ପ୍ରକାଶ କରିଥିଲା। ଭଲ ଗ୍ରେଡ୍‌ ମଧ୍ୟ ମିଳିଛି। ତେବେ ଉତ୍କଳ ବିଶ୍ବବିଦ୍ୟାଳୟ କ୍ଷେତ୍ରରେ ଏତେ ବିଳମ୍ବକୁ ନେଇ ବିଭିନ୍ନ ପ୍ରକାର ଦ୍ବନ୍ଦ୍ବ ସୃଷ୍ଟି ହୋଇଛି। ଆଶଙ୍କା ବି ପ୍ରକାଶ ପାଇଛି।

ପ୍ରଫେସର ପରିମଲ ବ୍ୟାସଙ୍କ ଅଧ୍ୟକ୍ଷତାରେ ଉତ୍କଳ ବିଶ୍ବବିଦ୍ୟାଳୟ ଗସ୍ତ କରିଥିବା ପ୍ରତିନିଧି ଦଳରେ ପ୍ରଫେସର ଜୟଶ୍ରୀ ଶିବାନନ୍ଦ, ପ୍ରଫେସର ଅନିତା ରାଓ ରବିୱାଡା, ପ୍ରଫେସର ଜଗଦୀଶ ପ୍ରସାଦ ସଦସ୍ୟ ଓ ପ୍ରଫେସର ଅମ୍ରିକ୍ ସିଂ ଆଲୱାଲିଆ ଥିଲେ। ୩ଦିନ ମଧ୍ୟରେ ସେମାନେ ବିଭିନ୍ନ ବିଭାଗ ବୁଲିବା ସହ ଲାଇବ୍ରେରି, ଲାବରେଟୋରି, କ୍ରୀଡ଼ା ଭିତ୍ତିଭୂମି ଆଦି ବୁଲି ଦେଖିଥିଲେ। ଏପ୍ରିଲ ମାସରେ ପ୍ରଫେସର୍ ଜଗତଭୂଷଣ ନଡ୍ଡା, ପ୍ରଫେସର ସଞ୍ଜୟ କୁମାର, ପ୍ରଫେସର୍ ରେଣୁ ଭରଦ୍ବାଜ, ପ୍ରଫେସର ଦେବାଶିଷ ଭଟ୍ଟାଚାର୍ଯ୍ୟ ଓ ପ୍ରତିଭା ସିଂଙ୍କୁ ନେଇ ଗଠିତ ନାକ୍‌ ଟିମ୍‌ର ଗସ୍ତ ସମୟରେ ବିଶ୍ବବିଦ୍ୟାଳୟର ଭିତ୍ତିଭୂମି ଯାହା ଥିଲା, ଏହା ଭିତରେ କିଛିଟା ପରିବର୍ତ୍ତନ ହୋଇଥିଲା। ଭିତ୍ତିଭୂମିରେ ଉନ୍ନତି ହୋଇଥିବାରୁ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ମଧ୍ୟ ଭଲ ଗ୍ରେଡ୍‌ ଆଶାରେ ରହିଥିଲେ। ଇତିମଧ୍ୟରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ବିଶ୍ବବିଦ୍ୟାଳୟ ଗସ୍ତ କରି ଫେରିଥିବାରୁ ଭଲ ଗ୍ରେଡ୍‌ ମିଳିବା ନେଇ ମଧ୍ୟ କର୍ତ୍ତୃପକ୍ଷ ଆଶାବାଦୀ ରହିବା ସ୍ବାଭାବିକ। ତା’ସତ୍ତ୍ବେ ଗ୍ରେଡ୍‌ ପ୍ରକାଶରେ ବିଳମ୍ବ ହେଉଥିବାରୁ ଏବେ ବିଭିନ୍ନ କଳ୍ପନାଜଳ୍ପନା ଆରମ୍ଭ ହୋଇଛି।

ସୂଚନାଯୋଗ୍ୟ ଯେ ୨୦୧୬ ମସିହାରେ ୩.୫୩ ସ୍କୋର ସହ ଉତ୍କଳ ବିଶ୍ବବିଦ୍ୟାଳୟକୁ ‘ଏ+’ ଗ୍ରେଡ୍ ମାନ୍ୟତା ମିଳିଥିଲା। ଏଥର ‘ଏ++’ ଆଶାରେ କର୍ତ୍ତୃପକ୍ଷ ରହିଥିଲେ ମଧ୍ୟ ନିରାଶ ହେବାକୁ ପଡ଼ିଥିଲା। ଏପ୍ରିଲରେ ଆସିଥିବା ନାକ୍‌ ଟିମ୍‌ ଅନୁଧ୍ୟାନ କରିବା ପରେ ବିଶ୍ବବିଦ୍ୟାଳୟକୁ ୩.୧୬ ସ୍କୋର ସହ ‘ଏ’ ଗ୍ରେଡ୍‌ ପ୍ରଦାନ କରିଥିଲେ। ଉକ୍ତ ସ୍କୋରରେ ଅସନ୍ତୋଷ ପ୍ରକାଶ କରି ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ପୁନଃଯାଞ୍ଚ ପାଇଁ ଆବେଦନ କରିଥିଲେ। ଯେଉଁଥିପାଇଁ ସେପ୍ଟେମ୍ବର ୨୬ରୁ ୨୮ ପର୍ଯ୍ୟନ୍ତ ନାକ୍‌ ଟିମ୍‌ ଗସ୍ତ କରି ରିପୋର୍ଟ ଦେଇଛନ୍ତି। ଏତେସବୁ ପରେ କାହିଁକି ଗ୍ରେଡ୍‌ ପ୍ରକାଶ କରାଯାଉ ନାହିଁ, ତାହାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। ଗୋଟିଏ ସ୍ତରରେ ଅନୁମାନ କରାଯାଉଛି ଯେ ଗ୍ରେଡ୍‌ ପ୍ରଦାନରେ ସମସ୍ୟା ସୃଷ୍ଟି ହୋଇଛି। ଏଥର ଗସ୍ତ କରିଥିବା ଟିମ୍‌ ଯଦି ବିଶ୍ବବିଦ୍ୟାଳୟକୁ ଅଧିକ ଗ୍ରେଡ୍‌ ଦେଉଛି, ତେବେ ନାକ୍‌ର ସ୍ବଚ୍ଛତା ନେଇ ପ୍ରଶ୍ନ ଉଠିବ। କାରଣ ପୂର୍ବରୁ ଯେଉଁ ଟିମ୍‌ ଆସିଥିଲା ତାହାର ରିପୋର୍ଟ ଭୁଲ୍‌ ବୋଲି ପ୍ରମାଣିତ ହେବ। ବର୍ତ୍ତମାନ ଗସ୍ତ କରି ଫେରିଥିବା ଟିମ୍‌ ଯଦି ବିଶ୍ବବିଦ୍ୟାଳୟକୁ କମ୍‌ କିମ୍ବା ସମାନ ସ୍କୋର ଦେଉଛନ୍ତି, ତାହାହେଲେ ବିଶ୍ବବିଦ୍ୟାଳୟର ପୁନଃଯାଞ୍ଚ ଆବେଦନର କୌଣସି ମୂଲ୍ୟ ରହିବ ନାହିଁ। ‌ଏସବୁ ଦ୍ବନ୍ଦ୍ବ ଗ୍ରେଡ୍‌ ପ୍ରକାଶକୁ ବିଳମ୍ବିତ କରୁ ଥାଇପାରେ।

ସେପଟେ ତୃତୀୟ ସାଇକିଲ୍‌ରେ ଉତ୍କଳ ବିଶ୍ବବିଦ୍ୟାଳୟକୁ କୌଣସି ଗ୍ରେଡ୍‌ ପ୍ରଦାନ କରାଯାଇ ନ ଥିବା ନାକ୍‌ ୱେବସାଇଟ୍‌ରେ ଉଲ୍ଲେଖ ହୋଇଛି। ୨୦୧୬ରେ ବିଶ୍ବବିଦ୍ୟାଳୟକୁ ମିଳିଥିବା ‘ଏ+’ ଗ୍ରେଡ୍‌ ସମ୍ପର୍କରେ ଉଲ୍ଲେଖ ହୋଇଛି। ଏପ୍ରିଲ ମାସରେ ନାକ୍‌ ଟିମ୍‌ ଦେଇଥିବା ‘ଏ’ ଗ୍ରେଡ୍‌ ସମ୍ପର୍କରେ ଆଜି ପର୍ଯ୍ୟନ୍ତ ଦର୍ଶାଯାଇ ନାହିଁ। ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ମଧ୍ୟ ନିଜ ୱେବସାଇଟ୍‌ରେ କୌଣସି ପରିବର୍ତ୍ତନ କରି ନାହାନ୍ତି। ପୂର୍ବଭଳି ସେଥିରେ ବିଶ୍ବବିଦ୍ୟାଳୟକୁ ‘ଏ+’ ଗ୍ରେଡ୍‌ ମାନ୍ୟତା ମିଳିଥିବା ଦର୍ଶାଯାଉଛି। ଗ୍ରେଡ୍‌ ପ୍ରକାଶରେ ବିଳମ୍ବ ହେଉଥିବାରୁ କର୍ତ୍ତୃପକ୍ଷଙ୍କଠାରୁ ଆରମ୍ଭ କରି ଛାତ୍ରଛାତ୍ରୀଙ୍କ ପର୍ଯ୍ୟନ୍ତ ସମସ୍ତେ ଏବେ ଚିନ୍ତାରେ। ଯଦି ଗ୍ରେଡ୍‌ରେ ଉନ୍ନତି ନ ଆସୁଛି, ତାହା ହେଲେ ବିଶ୍ବବିଦ୍ୟାଳୟକୁ ନିନ୍ଦା ଅପବାଦ ମୁଣ୍ଡାଇବାକୁ ପଡ଼ିବ ବୋଲି ସେମାନେ ଆଶଙ୍କା ପ୍ରକାଶ କରିଛନ୍ତି।

Spread the love