ରାଜ୍ୟରେ ଓବିସି ଏବଂ ଏସିବିସି ବର୍ଗଙ୍କୁ କେବେ ମିଳିବ ସଂରକ୍ଷଣ? : ଲେଖାଶ୍ରୀ

ରାଜ୍ୟସରକାର ପୁଣି ଥରେ ଜନଗଣନାରେ ଓବିସି ଏବଂ ଏସିବିସି ଜାତିଭିତିକ ଗଣନାକୁ ସର୍ବାଧିକ ଗୁରୁତ୍ୱ ଦେବା କହିବା ଅତ୍ୟନ୍ତ ହାସ୍ୟାସ୍ପଦ ଘଟଣା । କାରଣ ଆଜି ପର୍ଯ୍ୟନ୍ତ ରାଜ୍ୟସରକାର ଓବିସି ଏବଂ ଏସିବିସି ମାନଙ୍କୁ ଶିକ୍ଷା  କ୍ଷେତ୍ରରେ ନାମଲେଖା ପ୍ରସଙ୍ଗ କିମ୍ବା ଚାକିରୀ କ୍ଷେତ୍ରରେ ସଂରକ୍ଷଣ ଲାଗୁ କରିପାରିଲେ ନାହିଁ ବୋଲି ବିଜେପି ରାଜ୍ୟ ସଂପାଦକ ଡ. ଲେଖାଶ୍ରୀ ସାମନ୍ତସିଂହାର ଅଭିଯୋଗ କରିଛନ୍ତି ।
ଡ.ସାମନ୍ତସିଂହାର କହିଛନ୍ତି ଯେ, ଓବିସି ମାନଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା ସେମାନଙ୍କର ସାମ୍ବିଧାନିକ ଅଧିକାର । କିନ୍ତୁ   ରାଜ୍ୟସରକାର ଓବିସି ମାନଙ୍କୁ ମୌଳିକ ଅଧିକାରରୁ ବଂଚିତ ରଖିଛନ୍ତି । କେନ୍ଦ୍ର ସରକାର ଶିକ୍ଷାକ୍ଷେତ୍ରରେ ନାମଲେଖା ଏବଂ ସରକାରୀ ନିଯୁକ୍ତି କ୍ଷେତ୍ରରେ ୨୭ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ରଖିଛନ୍ତି । ସମସ୍ତ ରାଜ୍ୟ ଏହି ନିୟମକୁ ପାଳନ କରୁଥିବାବେଳେ ଓଡିଶା ସରକାର ଏହାକୁ ଆଜି ପର୍ଯ୍ୟନ୍ତ ଲାଗୁ କରିପାରିଲେ ନାହି l ରାଜ୍ୟରେ ଗୋପାଳ, ଚଷା, ବଢେଇ, କୁମ୍ଭାର ଆଦି ଅନେକ ଜାତିର ଲୋକ ଥିବା ସତ୍ୱେ ରାଜ୍ୟସରକାର ସେମାନଙ୍କ ପ୍ରତି
ଅବହେଳା ପ୍ରଦର୍ଶନ କରିଚାଲିଛନ୍ତି । ତାଙ୍କର ସାମ୍ବିଧାନିକ ମୌଳିକ ଅଧିକାର ଭାରତ ସରକାର ଦେବା ପରେ ରାଜ୍ୟ ସରକାର ସକ୍ରାରତ୍ମକ ନିଷ୍ପତି ନେଇପାରିନାହଁନ୍ତି । ରାଜ୍ୟସରକାର ଏଥିପାଇଁ ଉତରଦାୟୀ । ରାଜ୍ୟ ସରକାର ନ୍ୟାୟିକ ପ୍ରକ୍ରିୟାର ଆଳ ଦେଖାଇ ଏସିବିସି ଏବଂ ଓବିସି ବର୍ଗଙ୍କ ଅଧିକାର ପ୍ରଦାନ ନକରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । କେବେ ଏବି ଦୁଇ ବର୍ଗର ଲୋକମାନଙ୍କୁ ସଂରକ୍ଷଣ ଯୋଗାଇଦେବେ ତାହା ରାଜ୍ୟ ସରକାର ତୁରନ୍ତ ସ୍ପଷ୍ଟ କରନ୍ତୁ ବୋଲି ଡ. ସାମନ୍ତସିଂହାର ଦାବି କରିଛନ୍ତି ।

Spread the love