ଦିଲ୍ଲୀରେ ବାୟୁ ମାନ ‘ସାଂଘାତିକ’: ବିଷ ବଳୟରୁ ନିସ୍ତାର ମିଳୁନି, ବିଭିନ୍ନ ଅଞ୍ଚଳରେ ଏକ୍ୟୁଆଇ ୪୫୦ ଉପରେ

ଦିଲ୍ଲୀରେ ବାୟୁର ମାନ ସାଂଘାତିକ ଶ୍ରେଣୀରେ ରହିଛି। ସମଗ୍ର ଦିଲ୍ଲୀ ଏକ ଧୂଆଁର ଚଦର ତଳେ ରହିଥିବା ବେଳେ ଏଭଳି ସ୍ଥିତି ଆହୁରି କିଛିଦିନ ଲାଗି ରହିବ ବୋଲି ଜଣାପଡ଼ିଛି। ଗୋଟିଏ ପଟେ ବିଷ ବଳୟରେ ଦିଲ୍ଲୀ ବାସିନ୍ଦା କଲବଲ ହେଉଥିବା ବେଳେ ଅନ୍ୟପଟେ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ନିଆଯାଉଥିବା ପଦକ୍ଷେପ ଆଦୌ ପ୍ରଭାବଶାଳୀ ହେଉନଥିବାରୁ ଚିନ୍ତା ବଢ଼ିଛି। ଲଗାତାର ଚତୁର୍ଥ ଦିନରେ ଦିଲ୍ଲୀ ସହର ବହଳ ଧୂଆଁ ମିଶ୍ରିତ କୁହୁଡ଼ି ଦ୍ବାରା ଆଚ୍ଛାଦିତ ହୋଇ ରହିଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଅନୁଯାୟୀ ଦିଲ୍ଲୀରେ ସାମଗ୍ରିକ ଏକ୍ୟୁଆଇ ୩୪୬ ରହିଥିବା ବେଳେ କିଛି ଅଂଚଳରେ ଏହା ୪୫୦ ଉପରେ ରହିଛି। ଦିଲ୍ଲୀର ଲୋଧି ରୋଡ୍, ଜାହାଙ୍ଗିରପୁରୀ, ଆର୍‌କେ ପୁରମ ଏବଂ ଇନ୍ଦିରା ଗାନ୍ଧି ଅନ୍ତର୍ଜାତୀୟ ବିମାନ ବନ୍ଦର ଅଞ୍ଚଳରେ ବାୟୁର ମାନ ଅତି ସାଂଘାତିକ ରହିଛି। ଉକ୍ତ ସ୍ଥାନମାନଙ୍କରେ ଏକ୍ୟୁଆଇ ଯଥାକ୍ରମେ ୪୩୮,୪୯୧,୪୮୬ ଏବଂ ୪୭୩ ଅଛି। ବାୟୁର ମାନ ସୁଧାରିବା ପାଇଁ ଏମ୍‌ସିଡି (ଦିଲ୍ଲୀ ପୌର ନିଗମ) କେତେକ ଜରୁରୀ ପଦକ୍ଷେପ ଗ୍ରହଣ କରିଛି।। ଉତ୍ତରପ୍ରଦେଶର ନଏଡ଼ାର ସେକ୍ଟର ୬୧, ସେକ୍ଟର ୧ ଏବଂ ସେକ୍ଟର ୧୧୬ରେ ଏକ୍ୟୁଆଇ ଅତି ସାଂଘାତିକ ଶ୍ରେଣୀରେ ରହିଛି। କେବଳ ଦିଲ୍ଲୀ ନୁହେଁ ସମଗ୍ର ଉତ୍ତର ଭାରତରେ ପରିସ୍ଥିତି ଅତି ଜଟିଳ ରହିଛି।

ଦିଲ୍ଲୀ ପରିବେଶ ମନ୍ତ୍ରୀ ଗୋପାଳ ରାୟ କହିଛନ୍ତି, ସବୁ ସରକାର ଏକାଠି କାମ କରିବାର ଆବଶ୍ୟକତା ରହିଛି। ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ମନ୍ତ୍ରୀ ରାୟ ଲୋକମାନଙ୍କୁ ସର୍ବସାଧାରଣ ପରିବହନ ବ୍ୟବସ୍ଥା ବ୍ୟବହାର କରିବାପାଇଁ ଅନୁରୋଧ କରିଛନ୍ତି। ବୁଧବାର ୪୦୦ରୁ ଅଧିକ ଏକ୍ୟୁଆଇ ଥିବା ଅଞ୍ଚଳରେ ନିର୍ମାଣ କାର୍ଯ୍ୟ ଉପରେ ୫ ଦିନ ପାଇଁ ପ୍ରତିବନ୍ଧକ ଲଗାଯାଇଛି। ଯାନବାହନ ପ୍ରଦୂଷଣ ହ୍ରାସ କରିବା ପାଇଁ ସରକାର ‘ରେଡ୍ ଲାଇଟ୍ ଅନ୍ ଗାଡି ଅଫ୍’ ଅଭିଯାନ ଆରମ୍ଭ କରିଛନ୍ତି ଏବଂ ସର୍ବସାଧାରଣ ପରିବହନ ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ୧,୦୦୦ ଘରୋଇ ସିଏନ୍‌ଜି ବସ୍ ଭଡ଼ାରେ ନେବେ ବୋଲି କହିଛନ୍ତି। ପ୍ରଦୂଷଣ ପାଇଁ ଦିଲ୍ଲୀରେ ପ୍ରାଥମିକ ବିଦ୍ୟାଳୟଗୁଡ଼ିକ ବନ୍ଦ ରଖାଯାଇଛି।

ସାଂଘାତିକ ପ୍ରଦୂଷଣ ପାଇଁ ଦିଲ୍ଲୀରେ ସ୍ବାସ୍ଥ୍ୟ ସମସ୍ୟା ବୃଦ୍ଧି ପାଇଛି। ଆପୋଲୋ ହସ୍ପିଟାଲର ଡାକ୍ତର ନିଖିଲ ମୋଦୀ କହିଛନ୍ତି, ଏବେ ପ୍ରଦୂଷଣ ବୃଦ୍ଧି ଯୋଗୁଁ ଶ୍ବାସଜନିତ ସମସ୍ୟା ଥିବା ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଅଧିକରୁ ଅଧିକ ଲୋକ ଥଣ୍ଡା କାଶ ଏବଂ ଶ୍ବାସ ସମସ୍ୟାରେ ପୀଡ଼ିତ। ସବୁ ବୟସ ବର୍ଗର ଲୋକ ଏଥିଯୋଗୁଁ ପ୍ରଭାବିତ। ଏବେ ମାସ୍କ ପିନ୍ଧିବାର ସମୟ ଆସିଛି ଏବଂ କେବଳ ଦରକାର ପଡ଼ିଲେ ହିଁ ବାହାରକୁ ଯିବାର ଆବଶ୍ୟକତା ରହିଛି ବୋଲି ଦିଲ୍ଲୀ ପରିବେଶନ ମନ୍ତ୍ରୀ କହିଛନ୍ତି। ଦିଲ୍ଲୀ ପ୍ରଦୂଷଣ ବୃଦ୍ଧି ପାଇଁ କେନ୍ଦ୍ରକୁ ଦାୟୀ କରି କେନ୍ଦ୍ର ପରିବେଶ ମନ୍ତ୍ରୀ କୁଆଡ଼େ ଗଲେ ବୋଲି ଗୋପାଳ ରାୟ ପ୍ରଶ୍ନ କରିଛନ୍ତି। ରାୟ କହିଛନ୍ତି, ପଡ଼ୋଶୀ ରାଜ୍ୟ ଯୋଗୁଁ ବି ଦିଲ୍ଲୀରେ ପ୍ରଦୂଷଣ ବଢ଼ୁଛି।

ଦେଶର ୧୦ ସର୍ବାଧିକ ପ୍ରଦୂଷିତ ସହର

ନୂଆଦିଲ୍ଲୀ: ଏକ୍ୟୁଆଇ (ବାୟୁ ମାନ ସୂଚକାଙ୍କ) ୪୦୧ରୁ ୫୦୦ ମଧ୍ୟରେ ରହିବା ବିପଜ୍ଜନକ। ଏକ୍ୟୁଆଇ ୩୦୧-୪୦୦ ମଧ୍ୟରେ ରହିବା ସାଂଘାତିକ ଏବଂ ୨୦୧ରୁ ୩୦୦ ମଧ୍ୟରେ ରହିବା ଅସ୍ବାସ୍ଥ୍ୟକର। ଏବେ ଦିଲ୍ଲୀ ସମେତ ଦେଶବ୍ୟାପୀ ଏକ୍ୟୁଆଇ ସ୍ତର ମଧ୍ୟ ଖରାପ ରହିଛି। ଦେଶରେ ଏବେ ପିଏମ୍‌ ୨.୫ ସ୍ତର ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ନିର୍ଦ୍ଧାରିତ ସୀମାଠାରୁ ୬.୩ ଗୁଣା ଅଧିକ। ଏକ୍ୟୁଆ‌ଇ ଡଟ୍‌ ଇନ୍‌ର ତଥ୍ୟ ଅନୁଯାୟୀ ଆଜି ପୂର୍ବାହ୍ନ ୧୧.୧୫ ସମୟରେ ନୂଆଦିଲ୍ଲୀରେ ହାରାହାରି ଏକ୍ୟୁଆଇ ୪୧୧ ରହିଥିଲା। ଏହା ଦେଶର ସର୍ବାଧିକ ପ୍ରଦୂଷିତ ସହର ତାଲିକାର ସବୁଠୁ ଆଗରେ। ଦିଲ୍ଲୀ ପଛକୁ ଫରିଦାବାଦରେ ଏକ୍ୟୁଆଇ ସ୍ତର ୩୫୪, ଗାଜିଆବାଦରେ ୩୪୪, ହିସାରରେ ୪୨, ଗୁରୁଗ୍ରାମରେ ୩୧୧, ନଏଡ଼ାରେ ଏକ୍ୟୁଆଇ ସ୍ତର ୩୦୧, ରୋହତକରେ ୨୯୨, ସୋନିପତରେ ୨୬୦, ଭିୱାନିରେ ୨୫୩ ଏବଂ ମିରଟରେ ଏକ୍ୟୁଆଇ ୨୨୦ ରହିଛି। ଦେଶର ୧୦ ସର୍ବାଧିକ ପ୍ରଦୂଷିତ ସହରଗୁଡ଼ିକ ଉତ୍ତରପ୍ରଦେଶ, ହରିୟାଣା ଏବଂ ନୂଆଦିଲ୍ଲୀରେ ରହିଛି।

Spread the love