ସିନେମା ଶିଳ୍ପ: ବର୍ଷକୁ ପାଇରେସି କ୍ଷତି ୨୦ ହଜାର କୋଟି

ନୂଆଦିଲ୍ଲୀ: ସିନେମା ଶିଳ୍ପ ଲାଗି ପାଇରେସି ଏକ ବଡ଼ ସମସ୍ୟା ହୋଇରହିଛି। ଏଥିପାଇଁ ପ୍ରତିବର୍ଷ ୨୦,୦୦୦ କୋଟି ଟଙ୍କାର କ୍ଷତି ହେଉଛି। ଏହି ସମସ୍ୟାର ମୁକାବିଲା କରିବା ଲାଗି ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଦୃଢ଼ ପଦକ୍ଷେପ ଗ୍ରହଣ କରିଛି। ପାଇରେସିକୁ ରୋକିବା ଲାଗି ପ୍ରଥମ ଥର ପାଇଁ ଦେଶରେ ସଂସ୍ଥାଗତ ବ୍ୟବସ୍ଥା ପ୍ରସ୍ତୁତ କରାଯାଇଛି। ଚଳିତ ବର୍ଷ ସଂସଦର ମୌସୁମୀ ଅଧିବେଶନରେ ସିନେମାଟୋଗ୍ରାଫି (ସଂଶୋଧନ) ଆଇନ ୧୯୫୨ ପାରିତ ହେବା ପରେ ପାଇରେସି ବିରୋଧରେ ଅଭିଯୋଗ ଗ୍ରହଣ କରିବା ଏବଂ ଡିଜିଟାଲ୍ ମାଧ୍ୟମରେ ଥିବା ନକଲ ସିନେମାକୁ ହଟାଇବା ଲାଗି ମଧ୍ୟସ୍ଥିମାନଙ୍କୁ ନିର୍ଦ୍ଦେଶ ଦେବା ନିମନ୍ତେ ନୋଡାଲ୍ ଅଧିକାରୀ ରହିବେ। ପାଇରେସି ପାଇଁ କପିରାଇଟ୍ ନିୟମ ଓ ଆଇପିସି ଅଧୀନରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଡିଜିଟାଲ୍ ପ୍ଲାଟଫର୍ମରୁ ସିନେମା ଭଳି ବିଷୟବସ୍ତୁ ହଟାଇବା ଲାଗି ନୋଡାଲ ଅଫିସର ନିର୍ଦ୍ଦେଶ ଦେଇପାରିବେ। ସେହି ନିର୍ଦ୍ଦେଶ ପାଇବାର ୪୮ ଘଣ୍ଟା ଭିତରେ ପାଇରେସି ହୋଇଥିବା ସିନେମାର ଇଣ୍ଟରନେଟ୍‌ ଲିଙ୍କ୍‌ ହଟାଇବାକୁ ଡିଜିଟାଲ୍ ପ୍ଲାଟଫର୍ମ ବାଧ୍ୟ ହେବେ।

ସୂଚନା ଦେଇ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି ଯେ ମନ୍ତ୍ରଣାଳୟ, ମୁମ୍ବାଇରେ ଥିବା ସେଣ୍ଟ୍ରାଲ ବୋର୍ଡ ଅଫ ଫିଲ୍ମ ସାର୍ଟିଫିକେସନ (ସିବିଏଫ୍‌ସି)ର ମୁଖ୍ୟ କାର୍ଯ୍ୟାଳୟ ଏବଂ ଚଳଚ୍ଚିତ୍ର ପ୍ରୋତ୍ସାହନ କେନ୍ଦ୍ରର ଆଞ୍ଚଳିକ କାର୍ଯ୍ୟାଳୟଗୁଡ଼ିକରେ ପାଇରେସି ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ଲାଗି କ୍ଷମତାପ୍ରାପ୍ତ ଅଧିକାରୀଙ୍କୁ ନିଯୁକ୍ତ କରାଯାଇଛି। ୪୦ ବର୍ଷ ପରେ ଆଇନର ସଂଶୋଧନ କରାଯାଇଛି। ଶେଷ ଥର ପାଇଁ ୧୯୮୪ରେ ଏହି ଆଇନରେ ସଂଶୋଧନ କରାଯାଇଥିଲା। ନୂଆ ଆଇନ ଅନୁସାରେ ଦୋଷୀଙ୍କୁ ସର୍ବନିମ୍ନ ୩ ମାସ ଜେଲ୍ ଓ ୩ ଲକ୍ଷ ଟଙ୍କା ଜରିମାନା ଦେବାକୁ ପଡ଼ିବ। ଦରକାର ପଡ଼ିଲେ ସିନେମାରେ ଖର୍ଚ୍ଚ ହୋଇଥିବା ରାଶିର ୫ ପ୍ରତିଶତକୁ ଜରିମାନା ଭାବେ ସଂଗ୍ରହ କରାଯିବ ଏବଂ ଜେଲ୍ ଦଣ୍ଡ ସମୟ ୩ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରାଯାଇପାରିବ।

Spread the love