ରହସ୍ୟମୟ ଅବସ୍ଥାରେ ୩୭ ବର୍ଷୀୟ ଅଭିନେତ୍ରୀଙ୍କ ମୃତ୍ୟୁ

ଢାକା: ୩୭ ବର୍ଷ ବୟସରେ ବାଂଲାଦେଶୀ ଅଭିନେତ୍ରୀ ହୁମାଇରା ହିମୁଙ୍କର ମୃତ୍ୟୁ ଘଟିଥିବା କଥା ବିଭିନ୍ନ ଗଣମାଧ୍ୟମ ରିପୋର୍ଟ କରିଛନ୍ତି। ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଗୁରୁବାର ଦିନ ହୁମାଇରାଙ୍କର ମୃତ୍ୟୁ ଘଟିଛି। ତାଙ୍କୁ ଢାକାସ୍ଥିତ ଉତ୍ତର ଆଧୁନିକ ମେଡିକାଲ୍‌ କଲେଜ୍‌ ହସ୍ପିଟାଲ୍‌କୁ ନିଆଯାଇଥିଲା। କିନ୍ତୁ, ତାଙ୍କୁ ମୃତାବସ୍ଥାରେ ଅଣାଯାଇଥିବା କଥା ଡାକ୍ତରମାନେ ଘୋଷଣା କରିଥିଲେ। ତାଙ୍କ ବେକରେ ଅସ୍ପଷ୍ଟ ଦଉଡ଼ି ଦାଗ ଥିବା କଥା ଡାକ୍ତରଖାନା କର୍ତ୍ତୃପକ୍ଷମାନେ ପୁଲିସକୁ ସୂଚନା ଦେଇଥିଲେ। ଡାକ୍ତରଙ୍କଠାରୁ ସୂଚନା ପାଇ ପୁଲିସ ପହଞ୍ଚିଲା ବେଳକୁ ଡାକ୍ତରଖାନାରେ ଥିବା ହୁମାଇରାଙ୍କ ବନ୍ଧୁ ଖସି ପଳାଇଥିଲେ। ତାଙ୍କ ମୃତ୍ୟୁର ପ୍ରକୃତ କାରଣ ଶବ ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡ଼ିବ। ‘ଇ-ଟାଇମ୍‌’ ରିପୋର୍ଟ ଅନୁସାରେ, ଜନପ୍ରିୟ ଟେଲିଭିଜନ ଅଭିନେତ୍ରୀ ହୁମାଇରାଙ୍କର ଜଣେ ବ୍ୟକ୍ତିଙ୍କ ସହିତ ପ୍ରେମ ସମ୍ପର୍କ ଥିଲା। ଗୁରୁବାର ଦିନ ଦୁହେଁ ଝଗଡ଼ା ଲାଗିଥିଲେ। ହୁଏତ ସେହିକାରଣରୁ ସେ ଜୀବନ ହରାଇ ଥାଇ ପାରନ୍ତି।

୨୦୧୧ରେ ‘ଆମାର ବୋନ୍ଧୁ ରାଶେଦ୍‌’ ଚଳଚ୍ଚିତ୍ରରେ ଅଭିନୟ କରି ହୁମାଇରା ଚଳଚ୍ଚିତ୍ର ଜଗତ୍‌କୁ ଆସିଥିଲେ। ତା’ପରଠାରୁ ସେ ବହୁ ବର୍ଷ ଧରି ମନୋରଞ୍ଜନ କ୍ଷେତ୍ରରେ ସକ୍ରିୟ ଥିଲେ। ଚଳଚ୍ଚିତ୍ର ବ୍ୟତୀତ ସେ ‘ବାରି ବାରି ସାରି ସାରି’, ‘ହାଉସ୍‌ଫୁଲ୍‌’, ‘ଗୁଲ୍‌ସନ୍‌ ଆଭେନ୍ୟୁ’ ଭଳି ଅନେକ ଟେଲିଭିଜନ୍‌ ନାଟକରେ ଅଭିନୟ ପରାକାଷ୍ଠା ଦେଖାଇଥିଲେ।

Spread the love