ଆଇଫୋନ ତିଆରି କରୁଥିବା ଓ୍ବିଷ୍ଟ୍ରନକୁ କିଣିଲା ଟାଟା, ଚୁକ୍ତି ସ୍ବାକ୍ଷରିତ

ମୁମ୍ବାଇ : ଗତ ଅକ୍ଟୋବର ୨୭ର ହୋଇଥିବା ଘୋଷଣା ମୁତାବକ ଟାଟା ଗ୍ରୁପ କମ୍ପାନି ଟାଟା ଇଲେକ୍ଟ୍ରୋନିକ୍ସ ଭାରତରେ ଆଇଫୋନ ତିଆରି କରୁଥିବା ଓ୍ବିଷ୍ଟ୍ରନକୁ ୧୨୫ ନିୟୁତ ଡଲାର ବିନିମୟରେ କିଣିବାକୁ ଚୁକ୍ତିରେ ସ୍ବାକ୍ଷର କରିଛି । ଏହି ଚୁକ୍ତି ଟାଟା ଇଲେକ୍ଟ୍ରୋନିକ୍ସ ଏସଏମଏସ ଇନଫୋକମ (ସିଂଗାପୁର) ଓ ଓ୍ବିଷ୍ଟ୍ରନ ହଂକଂ ମଧ୍ୟରେ ସ୍ବାକ୍ଷରିତ ହୋଇଛି । ଚୁକ୍ତି ଅନୁସାରେ ଓ୍ବିଷ୍ଟ୍ରନ ଇଣ୍ଡିଆ ମାନୁଫାକଚରିଂର ୧୦୦ ପ୍ରତିଶତ ଅଂଶଧନ ଟାଟା ଇଲେକ୍ଟ୍ରୋନିକ୍ସ କିଣି । ଏହି ଅଧିଗ୍ରହଣ କମ୍ପାନି ଏକ ମାଇଲଖୁଣ୍ଟ ଓ ଏହା ଦ୍ବାରା ଭାରତରେ ଇଲେକ୍ଟ୍ରୋନିକ୍ସ ମାନୁଫାକଚରିଂ କ୍ଷେତ୍ରରେ ଅଭିବୃଦ୍ଧି ହେବ ବୋଲି ଟାଟା ଇଲେକ୍ଟ୍ରୋନିକ୍ସ ର ସିଇଓ ଡ. ରଣଧୀର ଠାକୁର କହିଛନ୍ତି । ଏହି ଅଧିଗ୍ରହଣ ସଂପୂର୍ଣ୍ଣ ହେବା ପରେ କୌଣସି ଭାରତୀୟ କମ୍ପାନି ପ୍ରଥମ ଥର ପାଇଁ ଭାରତରେ ଆଇଫୋନ ଉତ୍ପାଦନ କରିବ ।

ତାଇଓ୍ଵାନର କମ୍ପାନି ୱିଷ୍ଟ୍ରୋନ୍ ଚୁକ୍ତିଭିତ୍ତିକ ଭାବେ ଆଇଫୋନ ଉତ୍ପାଦନ କରିଥାଏ। ଏହି କମ୍ପାନିର ଭାରତର ବେଙ୍ଗାଲୁରୁରେ ଏକ ଉତ୍ପାଦନ କାରଖାନା ରହିଛି । ତେବେ ୱିଷ୍ଟ୍ରୋନ୍ ଭାରତରେ ଆଇଫୋନ୍ ବ୍ୟବସାୟରୁ ବାହାରିବାକୁ ଚାହୁଁଛି ଏବଂ ଟାଟା ଏହି କାରଖାନାକୁ କିଣିବାକୁ ଯାଉଛି । ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ, ଟାଟା ଗ୍ରୁପ ଏହି କାରଖାନାକୁ ୧୨୫ ନିୟୁତ ଡଲାର ବିନିମୟରେ ଅଧିଗ୍ରହଣ କରିବ। ଏଥିରେ ଆଇଫୋନ୍ ୧୪ ମଡେଲ୍ ଆସେମ୍ବଲ୍ କରାଯିବା ସହ ୧୦ ହଜାରରୁ ଅଧିକ କର୍ମଚାରୀ କାମ କରୁଛନ୍ତି।

Spread the love