‘ବିଗ୍ ବସ୍ ୧୭’ରେ ମନ ଖୋଲା କଥା କହିଲେ ଅଙ୍କିତା; ପୂର୍ବ ପ୍ରେମିକ ସୁଶାନ୍ତଙ୍କ ଅନ୍ତିମ ସଂସ୍କାରକୁ ନଯିବାର କାରଣ ବଖାଣିଲେ

ମୁମ୍ବାଇ:  ‘ବିଗ୍ ବସ୍ ୧୭’ ପ୍ରଥମ ସପ୍ତାହରୁ ହିଁ ଚର୍ଚ୍ଚା‌କୁ ଆସିଛି।  ‘ବିଗ୍ ବସ୍ ୧୭’ରେ ଅଙ୍କିତା ଲୋଖଣ୍ଡେ ଏବଂ ତାଙ୍କ ସ୍ୱାମୀ ଭିକି ଜୈନଙ୍କ କଳି ଏକ ସାଧାରଣ କଥା ପାଲଟିଗଲାଣି। ଖାଲି ସେତିକି ନୁହେଁ, ଅଙ୍କିତା ସ୍ବାମୀଙ୍କ ସହ ଝଗଡ଼ା କରିବା ସାଥେ ସାଥେ ପୂର୍ବ ପ୍ରେମିକ ସୁଶାନ୍ତ ସିଂହ ରାଜପୁତଙ୍କୁ ବାରମ୍ବାର ମନେ ପକାଉଛନ୍ତି। ‘ବିଗ୍ ବସ୍ ୧୭’ରେ ମୁନ୍ନାର ଫାରୁକି ଓ ଅଙ୍କିତା ଲୋଖଣ୍ଡେ ଦିବଗଂତ ସୁଶାନ୍ତ ସିଂହ ରାଜପୁତଙ୍କ ବିଷୟରେ କଥା ହଉଥିବାର ଶୁଣିବାକୁ ମିଳିଛି।

କଥା ହଉ ହଉ ଅଭିନେତ୍ରୀ ଭାବପ୍ରବଣ ହୋଇ ପଡୁଛନ୍ତି। ଅଙ୍କିତା ପ୍ରଥମ ଥର ପାଇଁ ପ୍ରକାଶ କରିଛନ୍ତି ଯେ ସେ କ’ଣ ପାଇଁ ସୁଶାନ୍ତ ସିଂହଙ୍କ ଅନ୍ତିମ ସଂସ୍କାରକୁ ଯାଇନଥିଲେ। ପ୍ରଥମେ ମୁନ୍ନାର କହୁଥିବାର ଶୁଣିବାକୁ ମିଳୁଛି ଯେ ସେ ସୁଶାନ୍ତଙ୍କ ଫିଲ୍ମ ‘ଏମ୍‌ ଏସ୍‌ ଧୋନୀ: ଦ ଅନ୍‌ଟୋଲ୍‌ଡ ଷ୍ଟୋରି’ର ସ୍କ୍ରିନିଂ ଦେଖିବାକୁ ଯାଇଥିଲେ। ତାପରେ ଅଙ୍କିତା ସୁଶାନ୍ତଙ୍କୁ ଜଣେ ଭଲ ଲୋକ ଥିଲେ ବୋଲି କହି ପ୍ରଶଂସା କରୁଛନ୍ତି। ସେ ଆହୁରି ବି କହୁଛନ୍ତି ଯେ ସୁଶାନ୍ତଙ୍କ ପାଇଁ ‘ଥିଲେ’ ଶବ୍ଦ ବ୍ୟବହାର କରିବା ଖୁବ୍ ଖରାପ ଲାଗୁଛି।

ସେ ଆହୁରି ବି କହିଛନ୍ତି ଯେ ‘‘ସୁଶାନ୍ତ ଯିବା ପରେ ମୁଁ ପ୍ରଥମ ଥର ପାଇଁ ଅନୁଭବ କରିପାରିଲି ଯେ କାହାର ନରହିବାରେ କ’ଣ ହୁଏ। ଏପରି ପ୍ରଥମ ଥର ହେଲା ଯେ ମୋର କେହି ନିକଟତର ଲୋକ ଦୁନିଆ ଛାଡ଼ିକି ଗଲେ’’। ଶେଷରେ ସେ କହୁଛନ୍ତି ଯେ ସୁଶାନ୍ତଙ୍କୁ ଶେଷ ଅବସ୍ଥାରେ ସେ ଦେଖିପାରିବେ ନାହିଁ ବୋଲି ତାଙ୍କ ଅନ୍ତିମ ସଂସ୍କାରକୁ ଯାଇନଥିଲେ।

Spread the love