ମେସିଙ୍କ ବିଶ୍ବକପ୍‌ ବିଜୟୀ ଜର୍ସି ନିଲାମ ହେବ

ବୁଏନସ୍ ଏରସ: ଗତବର୍ଷ ଫିଫା ବିଶ୍ବକପ୍‌ ବିଜେତା ଆର୍ଜେଣ୍ଟିନା ଦଳର ଅଧିନାୟକ ତଥା କିଂବଦନ୍ତି ଖେଳାଳି ଲିଓନେଲ୍‌ ମେସିଙ୍କ ଜର୍ସି ନିଲାମ ହେବାକୁ ଯାଉଛି। ନିଲାମରୁ ପ୍ରଚୁର ଅର୍ଥ ରାଶି ମିଳିବା ଆଶା କରାଯାଉଥିବାବେଳେ ଏହା ୟୁନିକାସ୍‌ ପ୍ରକଳ୍ପକୁ ପ୍ରଦାନ କରାଯିବ। ସାଣ୍ଟ୍‌ ଜୋଆନ୍‌ ଡି ଡିୟୁ ବାର୍ସିଲୋନା ଚିଲଡ୍ରେନ୍ସ ହସପିଟାଲ୍‌ରେ ଏକ ବିରଳ ରୋଗରେ ପୀଡ଼ିତ ପିଲାଙ୍କ ଚିକିତ୍ସା ଲାଗି ଏହି ଖର୍ଚ୍ଚ କରାଯିବ। ୨୦୨୨ବିଶ୍ବକପ୍‌ରେ ମେସି ପରିଧାନ କରିଥିବା ସମସ୍ତ ୬ ଜର୍ସି ସହିତ ଫ୍ରାନ୍ସ ବିପକ୍ଷ ନାଟକୀୟ ଫାଇନାଲ୍‌ ଜର୍ସି ଏହି ନିଲାମରେ ସାମିଲ ରହିବ। କ୍ରୀଡ଼ା ସ୍ମାରକୀ ଭାବେ ଏହା ମୋଟ ୧୦ ମିଲିୟନ୍‌ ଆମେରିକୀୟ ଡଲାର୍‌ରୁ ଊର୍ଧ୍ବରେ ନିଲାମ ହେବାର ସମ୍ଭାବନା ରହିଛି।

ମେସି ପ୍ରଥମାର୍ଦ୍ଧରେ ପରିଧାନ କରିଥିବା ଏହି ୭ ଜର୍ସିର ନିଲାମ ପ୍ରକ୍ରିୟା ନ୍ୟୁୟର୍କରେ କରାଯିବ। ଗତବର୍ଷ ଡିଏଗୋ ମାରାଡୋନାଙ୍କ ବିଶ୍ବକପ୍‌ ପରିଧାନ ସାମଗ୍ରୀ ୯.୩ ମିଲିୟନ୍‌ ଆମେରିକୀୟ ଡଲାରରେ ବିକ୍ରି ହୋଇଥିଲା। ଏହି ରେକର୍ଡକୁ ମେସିଙ୍କ ଜର୍ସି ଟପିଯିବାର ସମ୍ଭାବନା ରହିଛି। ନଭେମ୍ବର ୩୦ରୁ ଡିସେମ୍ବର ୧୪ ତାରିଖ ମଧ୍ୟରେ ଏହି ନିଲାମ ସୋଥେବାଇସ୍ ହେଡକ୍ବାର୍ଟରରେ ଅନୁଷ୍ଠିତ ହେବ। ବର୍ସିଲୋନା ପାଇଁ ୧୭ ବର୍ଷ ଖେଳିବା ପରେ ମେସି ଏବେ ଆମେରିକାର ଇଣ୍ଟର ମିଆମି ପାଇଁ ଖେଳୁଛନ୍ତି। ରେକର୍ଡ ୮ ଥର ସେ ବାଲନ୍ ଡି’ଓର ପୁରସ୍କାର ପାଇଛନ୍ତି। ତେବେ ଗତବ‌ର୍ଷ ତାଙ୍କ ବିଶ୍ବକପ୍‌ ସ୍ବପ୍ନ ସାକାର ହୋଇଥିଲା।

Spread the love