କାହିଁକି ବିଳମ୍ବ ହେଉଛି ଐତିହାସିକ ପାଇକ ସ୍ମାରକୀ କାମ ?

ଖୋର୍ଦ୍ଧା ବରୁଣେଇ ନିକଟରେ ପାଇକ ସ୍ମାରକୀ ନିର୍ମାଣରେ ବିଳମ୍ବକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ଛତିଶଗଡ ରାଜ୍ୟପାଳ ବିଶ୍ଵଭୂଷଣ ହରିଚନ୍ଦନ । ବରୁଣେଇରେ ହେଉଥିବା ପାଇକ ସ୍ମାରକୀ କେବଳ ପାଇକ ଜାତି କି ଓଡିଶା ପାଇଁ ନୁହେଁ ସାରା ଦେଶ ପାଇଁ ଗର୍ବ । ପାଇକ ବିଦ୍ରୋହର ଦୁଇ ଶହ ବର୍ଷ ପୂର୍ତ୍ତି ଉତ୍ସବ ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶରେ ପାଳନ ହେଲା । ଏହା ଅତ୍ୟନ୍ତ ଗୌରବର ବିଷୟ । ୨୦୧୭ ମସିହାରୁ ପାଇକ ସ୍ମାରକୀ ନିର୍ମାଣ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅର୍ଥର ବ୍ୟବସ୍ଥା କରିଥିଲେ । ହେଲେ ଏହି ସ୍ମାରକୀ ନିର୍ମାଣ ବିଳମ୍ବ ହେବା ଆମ ପାଇଁ ଦୁର୍ଭାଗ୍ୟ ବୋଲି କହିଛନ୍ତି  ଛତିଶଗଡ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ।

ସେପଟେ ପାଇକ ସ୍ମାରକୀ ବିଳମ୍ବତାକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ସହୀଦ ପାଇକ ବୀର ବକ୍ସି ଜଗବନ୍ଧୁଙ୍କ ଦାୟଦ ତଥା ବିଜେପି ବିଧାୟକ ଲଳିଟେନ୍ଦୁ ବିଦ୍ୟାଧର ମହାପାତ୍ର । ରାଜ୍ୟ ସରକାର ଗଛ କଟା ଓ ସ୍ଥାନାନ୍ତରଣ ବାବଦରେ ପଇସା ମାଗିଥିଲେ । କେନ୍ଦ୍ର ସରକାର ଗଛ ସ୍ଥାନାନ୍ତରଣ ପାଇଁ ୫୫ ଲକ୍ଷ ଟଙ୍କା ଏବଂ ରାୟାଲଟି ପାଇଁ ୮ ଲକ୍ଷ ଦେଇଥିଲେ । ଗତ ନଭେମ୍ବର ୨ ତାରିଖରେ ଡିଏଫଓ ଆଇଓସିଏଲକୁ ଚିଠି ଲେଖି କହିଛି, ୭୮୯ଟି ଗଛରୁ ୬୮୦ ଗଛ ସ୍ଥାନାନ୍ତରଣ ହୋଇଛି ଏବଂ ୧୨୧ଟି ଗଛ ବାକି ଅଛି । ତେଣୁ ଟାଳଟୁଳ ନୀତି କିଏ କରୁଛି ବୋଲି ପ୍ରଶ୍ନ କରିଛନ୍ତି ବିଜେପି ବିଧାୟକ ଲାଳିଟେନ୍ଦୁ ବିଦ୍ୟାଧର ମହାପାତ୍ର । ଅନ୍ୟପଟେ ଏ ଅଭିଯୋଗର ଜବାବ ରଖିଛି ବିଜେଡି ।

ଓଡିଆ ସ୍ଵାଭିମାନ ଓ ଅସ୍ମିତାର ସ୍ମାରକୀ ପାଇଁ ବରୁଣେଇ ପାହାଡ ତଳେ ପାଇକ ବୀର ବକ୍ସି ଜଗବନ୍ଧୁଙ୍କର ବିଶାଳକାୟ ପ୍ରତିମୂର୍ତ୍ତୀ ସ୍ଥାପନର ପରିକଳ୍ପନା କରାଯାଇଛି । ୨୦୧୯ ଡିସେମ୍ବର ୮ ତାରିଖରେ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ପାଇକ ସ୍ମାରକୀ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ସେତେବେଳେର କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନିର୍ଦ୍ଦେଶ କ୍ରମେ ଇଣ୍ଡିଆନ ଅଏଲ କର୍ପୋରେସନ ୧୦୦ କୋଟି ଟଙ୍କା ବ୍ୟୟ ବରାଦ କରିଥିଲା । ରାଜ୍ୟ ସରକାର ମାଗଣା ଜମି ଦେବାକୁ କହିଥିଲେ । ତେବେ ୩ ବର୍ଷ ପରେ ୨୦୨୨ ଜୁଲାଇ ୧୯ରେ ଓଡିଶା ସରକାର ମାଗଣାରେ ୯.୫ ଏକର ଜମି ହସ୍ତାନ୍ତର ପାଇଁ ନିଷ୍ପତ୍ତି ନେଇ ଡିସେମ୍ବର ୨୦୨୨ରେ ଇଣ୍ଡିଆନ ଅଏଲ ଫାଉଣ୍ଡେସନକୁ ଜମି ହସ୍ତାନ୍ତରଣ କଲେ । ୨୦୨୩ ଏପ୍ରିଲ ୫ରେ ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟର ଯୁଗ୍ମ ସଚିବ, ଖୋର୍ଦ୍ଧା ଜିଲ୍ଲାପାଳ ଏବଂ ଖୋର୍ଦ୍ଧା ଡିଏଫଓଙ୍କ ମଧ୍ୟରେ ଏନେଇ ବୈଠକ ହୋଇଥିଲା । ଉପଯୁକ୍ତ ସ୍ଥାନରୁ ବୃକ୍ଷ ସ୍ଥାନାନ୍ତରଣ କରିବା ସହ ବିଦ୍ୟୁତ୍ ତାର ହଟାଇବା ପାଇଁ ନିଷ୍ପତି ନିଆଯାଇଥିଲା । ୨୦୨୩ ମେ ୧୨ରେ ପୁନର୍ବାର ସଂସ୍କୃତି ମନ୍ତ୍ରଣାଳୟର ସଚିବ ଓଡିଶାର ମୁଖ୍ୟ ଶାସନ ସଚବିଙ୍କୁ ପ୍ରସ୍ତାବିତ ପ୍ରକଳ୍ପ ସ୍ଥାନରୁ ବୃକ୍ଷ ସ୍ଥାନାନ୍ତରଣ କରିବା ସହ ବିଦ୍ୟୁତ୍ ତାର ହଟାଇବା ପାଇଁ ଚିଠି ଲେଖିଥିଲେ । କିନ୍ତୁ ବିଳମ୍ବ ହେବାରୁ ଗତ ମେ ମାସ ୨୪ ତାରିଖରେ ପୁଣି କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜି. କିଷାନ ରେଡ୍ଡୀ ମୁଖ୍ୟମନ୍ତ୍ରୀଙ୍କୁ ଏ ନେଇ ଚିଠି ଲେଖିଥିଲେ । ତଥାପି ଏ ପ୍ରକିୟା ବିଳମ୍ବ ହେଉଥିବାରୁ ଉଦବେଗ ପ୍ରକାଶ କରିଛନ୍ତି ପାଇକ ସଂଗଠନ ।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଚିଠି ପରେ ପାଇକ ବିପ୍ଲବର ଦ୍ଵିଶତ ବାର୍ଷିକୀ ପାଳନ ପାଇଁ ୨୦୧୭ କେନ୍ଦ୍ର ବଜେଟରେ ସ୍ଵତନ୍ତ୍ର ବ୍ୟୟ ବରାଦ ନେଇ ଘୋଷଣା କରିଥିଲେ ତତକାଳୀନ କେନ୍ଦ୍ର ଅର୍ଥ ମନ୍ତ୍ରୀ ଅରୁଣ ଜେଟଲୀ । ତତ୍କାଳୀନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ପାଇକ କ୍ରାନ୍ତିର ୨୦୦ ବର୍ଷ ପୂର୍ତ୍ତି ଉତ୍ସବର ଶୁଭ ଉଦଘାଟନ କରିଥିଲେ । ୨୦୧୭ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡିଶା ଗସ୍ତ ସମୟରେ ପାଇକ ବୀର ପରିବାରର ଦାୟଦ ମାନଙ୍କୁ କରିଥିଲେ ସମ୍ମାନିତ । ତେବେ ଓଡିଆ ଜାତିର ଗୌରବ ସୂଚକ ନିର୍ମାଣ ହେବାକୁ ଥିବା ପାଇକ ସ୍ମାରକୀକୁ ନେଇ ରାଜ୍ୟ ସରକାରଙ୍କ କୁଣ୍ଠା କାହିଁକି ?

Spread the love