୨ୟ ଟି-୨୦: ଅଷ୍ଟ୍ରେଲିଆକୁ ୪୪ ରନ୍‌ରେ ପରାସ୍ତ କଲା ଭାରତ, ଶୃଙ୍ଖଳାରେ ୨-୦ରେ ଅଗ୍ରଣୀ

ଥିରୁଅନନ୍ତପୁରମ୍‌: ଭାରତୀୟ କ୍ରିକେଟ୍‌ ଟିମ୍‌ର ଖେଳାଳିମାନେ ରବିବାର ଅଷ୍ଟ୍ରେଲିଆ ବିପକ୍ଷରେ ଦମଦାର ପ୍ରଦର୍ଶନ କରିଛନ୍ତି। ଉଭୟ ବ୍ୟାଟିଂ ଓ ବୋଲିଂ କ୍ଷେତ୍ରରେ ଯୁବ କ୍ରିକେଟ୍‌ରମାନେ ଚମକପ୍ରଦ ପ୍ରଦର୍ଶନ କରି କଙ୍ଗାରୁ ଟିମ୍‌କୁ ୪୪ ରନ୍‌ରେ ପରାସ୍ତ କରିଛନ୍ତି। ୨୩୬ ରନ୍‌ର ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ କରିଥିବା ଅତିଥି ଦଳ ୨୦ ଓଭରରେ ୯ ୱିକେଟ୍‌ ହରାଇ ୧୯୧ ରନ୍‌ କରିପାରିଛି। ମାଥ୍ୟୁ ୱେଡଙ୍କ ଲଢୁଆ ବ୍ୟାଟିଂ କାମକୁ ଆସିପାରି ନାହିଁ।  ଭାରତୀୟ ବୋଲର ପ୍ରସିଦ୍ଧ କୃଷ୍ଣ ଓ ରବି ବିଷ୍ଣୋଇ ୩-୩ ୱିକେଟ୍‌ ନେଇଥିବା ବେଳେ ଅକ୍ଷର ପଟେଲ, ମୁକେଶ କୁମାର ଓ ଅର୍ଶଦୀପ ସିଂହ ଗୋଟିଏ ଲେଖାଏଁ ୱିକେଟ୍‌ ନେଇଥିଲେ। ଏହି ବିଜୟର ସହିତ ଭାରତ ଶୃଙ୍ଖଳାର ୨-୦ରେ ଅଗ୍ରଣୀ ରହିଥିବା ବେଳେ ତୃତୀୟ ମୁକାବିଲା ଆସାମର ଗୁଆହାଟୀରେ ଆସନ୍ତା ୨୮ ତାରିଖରେ ଖେଳାଯିବ।

ଅଷ୍ଟ୍ରେଲିଆ ପାଇଁ ସର୍ବାଧିକ ବ୍ୟକ୍ତିଗତ ସ୍କୋର କରିଥିଲେ ମାର୍କସ ଷ୍ଟୋଇନିସ। ସେ ୨୫ଟି ବଲ୍‌ ଖେଳି ୨ଟି ଚୌକା ଓ ୪ଟି ଛକା ବଳରେ ୪୫ ରନ୍‌ କରିଥିଲେ। ଟିମ୍‌ ଡେଭିଡଙ୍କ ବ୍ୟାଟରୁ ୩୭ ରନ୍‌ ଅମଳ ହୋଇଥିଲା। ସେ ୪ଟି ଚୌକା ଓ ୨ଟି ଛକା ମାରିଥିଲେ। ପ୍ରାରମ୍ଭିକ ବ୍ୟାଟର ଷ୍ଟିଭେନ୍‌ ସ୍ମିଥ ଓ ମାଥ୍ୟୁ ସର୍ଟ ୧୯ ରନ୍‌ ଲେଖାଏଁ ଯୋଡ଼ିଥିଲେ। ଅଲରାଉଣ୍ଡର ଗ୍ଲେନ୍‌ ମେକ୍ସୱେଲ ୧୨ ରନ୍‌ ସଂଗ୍ରହ କରି ପାଭିଲିଅନ୍‌ ଫେରି ଆସିଥିଲେ। ସେହିପରି ଜୋସ୍‌ ଇଂଲିଶ ୨, ସିନ୍‌ ଆବୋଟ ୧, ନାଥନ ଏଲିସ ୧, ଆଡାମ ଜାମ୍ପା ୧ ରନ୍‌ କରିଥିଲେ। ମାଥ୍ୟୁ ୱେଡ ଅପରାଜିତ ୪୨ ରନ୍‌ଓ ତରବୀର ସଂଘ ଅପରାଜିତ ୨ ରନ୍‌ କରିଥିଲେ।

କେରଳର ଥିରୁଅନନ୍ତପୁରମ୍‌ସ୍ଥିତ ଗ୍ରିନ୍‌ଫିଲ୍ଡ ଇଣ୍ଟରନ୍ୟାସନାଲ ଷ୍ଟାଡିୟମ୍‌ରେ କଙ୍ଗାରୁ ଟିମ୍‌ ଟସ୍‌ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ଫଳରେ ଭାରତକୁ ପ୍ରଥମେ ବ୍ୟାଟିଂ କରିବାର ସୁଯୋଗ ମିଳିଥିଲା। ପ୍ରାରମ୍ଭିକ ବ୍ୟାଟର ଯଶସ୍ବୀ ଜୟସ୍ବାଲ ଓ ଋତୁରାଜ ଗାଏକ୍ବାଡଙ୍କ ସମେତ ଈଶାନ କିଶନଙ୍କ ଅର୍ଦ୍ଧଶତକ ବଳରେ ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୪ଟି ୱିକେଟ୍‌ ହରାଇ ୧୯ଟି ଚୌକା ଓ ୧୩ଟି ଛକା ବଳରେ ୨୩୫ ରନ୍‌ କରିଥିଲା। ପ୍ରାରମ୍ଭିକ ବ୍ୟାଟର ଯଶସ୍ବୀ ଓ ଋତୁରାଜ ଆରମ୍ଭରୁ ଭଲ ପ୍ରଦର୍ଶନ କରିଥିଲେ। ଉଭୟ ବ୍ୟାଟର ପ୍ରଥମ ୱିକେଟ୍‌ ପାଇଁ ୭୭ ରନ୍‌ର ଭାଗିଦାରୀ କରିପାରିଥିଲେ। ଯଶସ୍ବୀ ଆଉଟ୍‌ ହୋଇ ପାଭିଲିଅନ୍‌ ଫେରି ଆସିବା ପୂର୍ବରୁ ୨୫ଟି ବଲ୍‌ ଖେଳି ୯ଟି ଚୌକା ଓ ୨ଟି ଛକା ବଳରେ ବ୍ୟକ୍ତିଗତ ୫୩ ରନ୍‌ ସଂଗ୍ରହ କରିଥିଲେ।

ଟିମ୍‌ ଇଣ୍ଡିଆର ସ୍କୋର ୧୬୪ ରନ୍‌ ବେଳକୁ ଈଶାନ କିଶନ ଆଉଟ୍‌ ହୋଇଥିଲେ। ସେ ୩୨ଟି ବଲ୍‌ ଖେଳି ୩ଟି ଚୌକା ଓ ୪ଟି ଛକା ବଳରେ ୫୨ ରନ୍‌ କରିଥିଲେ। ସେହିପରି ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଆଉଟ୍‌ ହେବା ପୂର୍ବରୁ ୧୯ ରନ୍‌ ସଂଗ୍ରହ କରିଥିଲେ। ସେ ୧୦ଟି ବଲ୍‌ ଖେଳି ୨ଟି ଛକା ମାରିଥିଲେ। ଟିମ୍‌ ଇଣ୍ଡିଆର ଅନ୍ୟ ଯୁବ ବ୍ୟାଟର ଋତୁରାଜ ଗାଏକ୍ବାଡ ୪୩ଟି ବଲ୍‌ ଖେଳି ୫୮ ରନ୍‌ ସଂଗ୍ରହ କରିଥିଲେ।‌ ସେ ୩ଟି ଚୌକା ଓ ୨ଟି ଛକା ମାରିଥିଲେ। ରିଙ୍କୁ ସିଂହ ୯ଟି ବଲ୍‌ ଖେଳି ୪ଟି ଚୌକା ଓ ୨ଟି ଛକା ମାରିଥିବା ବେଳେ ତିଲକ ବର୍ମା ୨ଟି ବଲ୍‌ ଖେଳି ଗୋଟିଏ ଛକା ବଳରେ ୭ ରନ୍‌ କରିଥିଲେ। ଉଭୟ ରିଙ୍କୁ ଓ ତିଲକ ଅପରାଜିତ ପାଭିଲିଅନ ଫେରିଥିଲେ। ଅଷ୍ଟ୍ରେଲିଆ ପାଇଁ ନାଥନ ଏଲିସ୍‌ ସର୍ବାଧିକ ୩ଟି ୱିକେଟ୍‌ ନେଇଥିଲେ। ମାର୍କସ ଷ୍ଟୋଇନିସଙ୍କୁ ଗୋଟିଏ ୱିକେଟ୍‌ ମିଳିଥିଲା।

Spread the love