ପୁଣି ଥରେ ପ୍ରକାଶ ପାଇବ ଓଡ଼ିଆ ବର୍ଣ୍ଣବୋଧ, ଚଳିତ ବର୍ଷ ଶେଷ ସୁଦ୍ଧା ପୁନଃପ୍ରକାଶ ଯୋଜନା

ଭୁବନେଶ୍ୱର : ଶେଷ ହେବ ଦୀର୍ଘ ଦିନର ଅପେକ୍ଷା। ପୁଣି ଥରେ ପ୍ରକାଶ ପାଇବ ଓଡ଼ିଆ ବର୍ଣ୍ଣବୋଧ। ଡିସେମ୍ୱର ୩୦ତାରିଖ ସୁଦ୍ଧା ଏହାକୁ ପ୍ରକାଶ କରିବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି। ଭକ୍ତକବି ମଧୁସୂଦନ ରାଓଙ୍କ ଦ୍ୱାରା ଲିଖିତ ମୂଳ ବର୍ଣ୍ଣବୋଧକୁ ଅବିକଳ ମୁଦ୍ରଣ କରିବାକୁ ଅନୁମୋଦନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରାଜ୍ୟ ସରକାରଙ୍କ ଏହି ଉଦ୍ୟମକୁ ସାହିତ୍ୟିକ, ଭାଷାବିତ୍‌‌ ଓ ସଂସ୍କୃତି ଗବେଷକ ସାଧୁବାଦ ଜଣାଇଛନ୍ତି। ୧୧୦ ବର୍ଷ ପରେ ପୁଣି ଥରେ ଭକ୍ତକବି ମଧୁସୂଦନ ରାଓଙ୍କ ଦ୍ୱାରା ମୂଳ ଓଡ଼ିଆ ବର୍ଣ୍ଣବୋଧ ଛପାଯିବାକୁ ନିଷ୍ପତ୍ତି ହୋଇଛି। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ଅଧୀନରେ ଥିବା ଓଡ଼ିଆ ଭାଷା ପ୍ରତିଷ୍ଠାନକୁ ବର୍ଣ୍ଣବୋଧର ମୂଳକପି ସଂଗ୍ରହ ଓ ସମ୍ପାଦନା ଦାୟିତ୍ୱ ଦିଆଯାଇଛି।

ହାଇକୋର୍ଟଙ୍କ ରାୟ ଆସିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭକ୍ତକବିଙ୍କ ମୂଳ ବହି ଆଧାରରେ ପୁସ୍ତକଟିକୁ ପୁଣି ଥରେ ଛାପିବାକୁ ନିର୍ଦ୍ଦେଶ ଦେଇଥିବା ସୂଚନା ମିଳିଛି। ମୂଳ କପି ସଂଗ୍ରହ କରିବା ଉଦ୍ଦେଶ୍ୟରେ ସଂସ୍କୃତି ବିଭାଗ ବିଭିନ୍ନ ଗଣମାଧ୍ୟମରେ ବିଜ୍ଞାପନ ଦେଇଥିଲା। ଶେଷରେ ଭକ୍ତକବିଙ୍କ ଅଣନାତୁଣୀ ସୁସ୍ମିତା ରଥଙ୍କଠାରୁ ଗତ ଅକ୍ଟୋବର ୪ ତାରିଖରେ ଓଡ଼ିଆ ଭାଷା ପ୍ରତିଷ୍ଠାନ କର୍ତ୍ତୃପକ୍ଷ ୧୯୦୧ରେ ପ୍ରକାଶିତ ବର୍ଣ୍ଣବୋଧର ମୂଳ କପିର ନକଲ ସଂଗ୍ରହ କରିଥିଲେ।

ଅନ୍ୟପକ୍ଷରେ ମୂଳ ବର୍ଣ୍ଣବୋଧର କିଛି ଶବ୍ଦ ବର୍ତ୍ତମାନ ସମୟରେ ଅନାବଶ୍ୟକ ଓ ଅପ୍ରାସଙ୍ଗିକ ମନେ ହେଉଥିବାରୁ ପ୍ରାସଙ୍ଗିକତା ଆଧାରରେ ଏହାକୁ ସମ୍ପାଦନା କରାଯିବାକୁ ନିଷ୍ପତ୍ତି ହୋଇଛି। ବିଶେଷଜ୍ଞ କମିଟି ଏ ସଂକ୍ରାନ୍ତରେ ଚୂଡ଼ାନ୍ତ ନିଷ୍ପତ୍ତି ନେବେ। ଏବେ ବର୍ଣ୍ଣବୋଧର ଡିଟିପି କାର୍ଯ୍ୟ ଜାରି ରହିଛି। ଏହାର ଡମିକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିବା ପରେ ଚୂଡ଼ାନ୍ତ ଛପା କାର୍ଯ୍ୟ ଆରମ୍ଭ ହେବ। ଡିସେମ୍ୱର ୩୦ସୁଦ୍ଧା ସମସ୍ତ କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଦୀର୍ଘ ବର୍ଷ ପରେ ଭକ୍ତକବିଙ୍କ ଦ୍ୱାରା ପ୍ରକାଶିତ ଓଡ଼ିଆ ବର୍ଣ୍ଣବୋଧ ପ୍ରକାଶକୁ ବିଭିନ୍ନ ମହଲ୍‌‌ରୁ ସ୍ୱାଗତ କରାଯାଇଛି।

ଭକ୍ତକବି ମଧୁସୂଦନ ରାଓ ଓଡ଼ିଆ ବର୍ଣ୍ଣବୋଧ ପ୍ରକାଶ କରିବା ପୂର୍ବରୁ ଆଉ ଗୋଟିଏ ବର୍ଣ୍ଣବୋଧକ ନାମକ ପୁସ୍ତକ ପ୍ରଚଳିତ ହୋଇଥିଲା। ମଧୁବାବୁଙ୍କ ବର୍ଣ୍ଣବୋଧ ପ୍ରକାଶ ପାଇବା ପରେ ଲୋକେ ଏହାକୁ ‘କ’ କଟା ବର୍ଣ୍ଣବୋଧ ବହି ବୋଲି କହିଲେ। ଭକ୍ତିକବି ତାଙ୍କ ଜୀବଦଶାରେ ଯେତୋଟି ସଂସ୍କରଣ କରିଛନ୍ତି ସବୁଥର କିଛି ନା କିଛି ଶବ୍ଦରେ ପରିବର୍ତ୍ତନ କରିଛନ୍ତି। ଭକ୍ତକବିଙ୍କ ବର୍ଣ୍ଣବୋଧ ଓଡ଼ିଆ ଭାଷାର ମୂଳ ପିଣ୍ଡ ସତ, କିନ୍ତୁ ସମୟକ୍ରମେ ଏହାକୁ ଐତିହ୍ୟର ମାନ୍ୟତା ଦେଇ ନୂଆ ଭାବେ ବର୍ଣ୍ଣବୋଧ ବିକାଶ ପାଇଁ ଗବେଷକମାନେ ମତ ରଖିଛନ୍ତି।

Spread the love