ଆମେରିକାର ‘ସ୍ପାଏ ସାଟେଲାଇଟ୍‌’କୁ ନଷ୍ଟ କରିଦେବୁ: ଧମକ ଦେଲା ଉତ୍ତର କୋରିଆ

ସିଓଲ୍‌: ଯଦି ୱାସିଂଟନ୍‌ ଉତ୍ତର କୋରିଆର ମହାକାଶ ସମ୍ବଳ ଉପରେ ଆକ୍ରମଣ କରେ, ତେବେ ଆମେରିକାର ‘ସ୍ପାଏ ସାଟେଲାଇଟ୍‌’ଗୁଡ଼ିକୁ ଧ୍ବଂସ କରିଦେବ ବୋଲି ଆଜି ଉତ୍ତର କୋରିଆ ସାବଧାନ କରାଇ ଦେଇଛି। ସୂଚନାଯୋଗ୍ୟ, ଗତ ସପ୍ତାହରେ ଉତ୍ତର କ‌ୋରିଆ ଆକାଶକୁ ଛାଡ଼ିଥିବା ପ୍ରଥମ ‘ମିଲ୍‌ଟାରି ଆଇ’କୁ (ଗୁପ୍ତଚର ସାଟେଲାଇଟ୍‌) ମହାକାଶ ସମ୍ବଳ ବୋଲି କହିଛି। ଆମେରିକାର ଏତାଦୃଶ କାର୍ଯ୍ୟକୁ ଯୁଦ୍ଧଘୋଷଣା ଭାବେ ବିବେଚନା କରାଯିବ ବୋଲି ଉତ୍ତର କୋରିଆ ପ୍ରତିରକ୍ଷା ମନ୍ତ୍ରାଳୟର ଜଣେ ମୁଖପାତ୍ର କହିଥିବା କଥା ରାଷ୍ଟ୍ରାୟତ ‘କୋରିଆନ୍‌ ସେଣ୍ଟ୍ରାଲ୍‌ ନିଉଜ୍‌ ଏଜେନ୍‌ସି’ କହିଛି।

ଉଲ୍ଲେଖଯୋଗ୍ୟ, ଅନେକ ପ୍ରକାରର ଓଲଟପାଲଟ ପଦ୍ଧତି ପ୍ରୟୋଗ କରି ୱାସିଂଟନ୍‌ ମହାକାଶରେ ପ୍ରତିକୂଳ ବାତାବରଣ ଓ ପ୍ରତିଦ୍ବନ୍ଦ୍ବିତା ସୃଷ୍ଟି କରୁଥିବା ସାମଗ୍ରୀକୁ ପ୍ରତିହତ କରିପାରିବ ବୋଲି ଆମେରିକାର ଜଣେ ସରକାରୀ ଅଧିକାରୀ ବିବୃତି ଦେବା ପରେ ଉତ୍ତର କୋରିଆ ଉପରୋକ୍ତ ଟିପ୍ପଣୀ ଦେଇଛି। ନଭେମ୍ବର ଶେଷ ଭାଗରେ ଉତ୍ତର କୋରିଆ ସଫଳତାର ସହିତ ପ୍ରେରଣ କରିଥିବା ‘ସ୍ପାଏ ସାଟେଲାଇଟ୍‌’କୁ ଉଦ୍ଦେଶ୍ୟ କରି ଆମେରିକୀୟ ଅଧିକାରୀଜଣକ ଏକଥା କହିଥିଲେ। ଏହି ପରିପ୍ରେକ୍ଷୀରେ ଆଜି ପିୟୋଙ୍ଗ୍ୟାଙ୍ଗ୍‌ ଧମକ ଦେଇ କହିଛି ଯେ, ଯଦି ୱାସିଂଟନ୍‌ ଉତ୍ତର କୋରିଆର ସୀମା ଲଙ୍ଘିବାକୁ ଚେଷ୍ଟା କରେ, ତେବେ ଆମେରିକୀୟ ‘ସ୍ପାଏ ସାଟେଲାଇଟ୍‌’ଗୁଡ଼ିକୁ ସେ ନଷ୍ଟ କରିଦେବ।

Spread the love