କେଉଟ ଜାଲରେ ପଡ଼ିଲା ୭ ଫୁଟ୍‌ ଲମ୍ବା ଉତ୍କଟ ବିଷଧର ସମୁଦ୍ର ସର୍ପ

ଭାଇଜାଗ୍‌: ଆନ୍ଧ୍ର ପ୍ରଦେଶର ବିଶାଖାପାଟଣା ଅନ୍ତର୍ଗତ ସାଗର ବେଳାଭୂମି ଜଳରାଶିରେ ବସାଯାଇଥିବା ଜଣେ ମତ୍ସ୍ୟଜୀବୀଙ୍କ ଜାଲରେ ଗୋଟାଏ ଅତି ଉତ୍କଟ ବିଷଧର ସମୁଦ୍ର ସର୍ପ ଲାଖିଯାଇ ବୁଧବାର ଦିନ ବେଳାଭୂମି ଉପରକୁ ଚାଲି ଆସିଥିବା କଥା ‘ଟାଇମ୍‌ସ୍‌ ନାଓଁ’ ରିପୋର୍ଟ କରିଛି। ସମୁଦ୍ର ଭିତରେ ମନ୍ଦାଏ (ପଲେ) ଛୋଟ ମାଛଙ୍କୁ ଅନୁସରଣ କରି ଝପଟି ଆସୁଥିବା ବେଳେ ଉକ୍ତ ସାପ କେଉଟ ବସାଇଥିବା ଜାଲରେ ଲାଖିଯାଇଥିଲା। ସ୍ଥାନୀୟ ବନପ୍ରାଣୀ କର୍ମଚାରୀଙ୍କୁ ଖବର ଦିଆଯିବା ପରେ ସରୀସୃପଟିକୁ ପୁଣି ସମୁଦ୍ରରେ ଛାଡ଼ାଯିବା ବ୍ୟବସ୍ଥା କରାଯାଇଥିଲା। ରାଜ୍ୟ ମତ୍ସ୍ୟ ବିଭାଗର ସହକାରୀ ନିର୍ଦେଶକ ଡକ୍ଟର ପି. ଶ୍ରୀନିବାସ ରାଓ କହିଛନ୍ତି, ୭ ଫୁଟ୍‌ ଲମ୍ବର ଏହି ସରୀସୃପଟି ‘ହାଇଡ୍ରୋଫିସ୍‌ ଜିନସ୍‌’ର ସଦସ୍ୟ ବୋଲି ଚିହ୍ନଟ କରାଯାଇଛି। ଏହାର ବିଷ ଜଳଚର ସର୍ପମାନଙ୍କ ମଧ୍ୟରେ ସବୁଠୁ ଉତ୍କଟ।

ଜଳଚର ସର୍ପ ପରିବାରରେ ଥିବା ସମସ୍ତ ୫୨ ପ୍ରଜାତିର ସର୍ପଙ୍କର ଉତ୍କଟ ବିଷ ବା ଗରଳ ଅଛି। ଏମାନଙ୍କଦ୍ବାରା ଦଂଶିତ ବ୍ୟକ୍ତି ଚିକିତ୍ସିତ ନ ହେଲେ ମୃତ୍ୟୁ ମୁଖରେ ପଡ଼ିବାର ଆଶା ଯଥେଷ୍ଟ ଅଧିକ। ସମୁଦ୍ର ସର୍ପମାନଙ୍କ ବିଷରେ ମାରାତ୍ମକ ‘ନ୍ୟୁରୋଟକ୍ସିନ୍‌’ ଓ ‘ମାୟୋଟକ୍ସିନ୍‌’ ମିଶ୍ରିତ ହୋଇଥିବାରୁ ତାହା ଦଂଶିତ ପ୍ରାଣୀକୁ ପକ୍ଷାଘାତାକ୍ରାନ୍ତ କରି ତା’ର ମାଂଶପେଶୀ ନଷ୍ଟ କରିଦିଏ। ଏମାନେ ସାଧାରଣତଃ ୧୦୦ ଫୁଟ୍‌ରୁ କମ୍‌ ଅଗଭୀର ଜଳରେ ଥିବା ପୋହଳା ନଚେତ କାଦୁଅରେ ବାସ କରନ୍ତି। ସମୁଦ୍ର ଶଯ୍ୟାରେ ଶିକାର ଧରି ଖାଉଥିବା ଏହି ସର୍ପମାନେ ନିଶ୍ବାସ ନେବା ପାଇଁ ପାଣି ଉପରକୁ ଉଠିଥାଆନ୍ତି।

Spread the love