୫୦ ମିଟର୍‌ ଉଚ୍ଚ ମୋବାଇଲ୍‌ ଟାୱାର୍‌ ଚୋରି ହୋଇ ନ ଥିବା ଜାଣିବା ପରେ ଅଭିଯୁକ୍ତଙ୍କୁ ଖୋଜୁଛି ପୁଲିସ

ପ୍ରୟାଗରାଜ: ମୋବାଇଲ୍‌ ଟାୱାର ଚୋରି ହୋଇଯାଇଛି ବୋଲି ଅନ୍‌ଲାଇନ୍‌ରେ ଏକ ପ୍ରାଇଭେଟ୍‌ କମ୍ପାନିର ଜଣେ ଟେକ୍ନିସିଆନ୍‌ଙ୍କଠାରୁ ଅନ୍‌ଲାଇନ୍‌ ‘ଏଫ୍‌ଆଇଆର୍‌’ ପାଇ ବିସ୍ମିତ ହୋଇଯାଇଥିବା ପୁଲିସ ଏବେ ସେ ଅଭିଯୋଗକାରୀଙ୍କୁ ଖୋଜୁଥିବା କଥା ‘ଦି ଟାଇମ୍‌ସ୍‌ ଅଫ୍‌ ଇଣ୍ଡିଆ’ ରିପୋର୍ଟ କରିଛି। ରିପୋର୍ଟରେ ଉଲ୍ଲେଖ ଅଛି, ଘଟଣାଟି ଉତ୍ତର ପ୍ରଦେଶର କୌଶାମ୍ବି ଜିଲ୍ଲାରେ ଘଟିଛି। ୫୦ ମିଟର୍‌ ଉଚ୍ଚ ଟାୱାର ଚୋରି ହୋଇଯିବା ଭଳି ‘ଅବିଶ୍ବାସଯୋଗ୍ୟ’ ଅଭିଯୋଗ ଗ୍ରହଣ କରିବା ଏବଂ ଚୋରି ହୋଇଥିବା ଟାୱାର୍‌ର ସନ୍ଧାନ ନେବା ପୁଲିସ ପକ୍ଷେ କଷ୍ଟକର ହୋଇପଡ଼ିଥିଲା। ପରେ ଅବଶ୍ୟ ସେମାନେ ଅଭିଯୋଗ ସଂକ୍ରାନ୍ତରେ ତଦନ୍ତ କରିଥିଲେ।

ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍‌ ବ୍ରଜେଶ କୁମାର ଶ୍ରୀବାସ୍ତବ କହିଛନ୍ତି, କମ୍ପାନି କର୍ତ୍ତୃପକ୍ଷ ଓ ଜମି ମାଲିକଙ୍କ ମଧ୍ୟରେ ରାଜିନାମା ହୋଇଥିବା ସମୟ ଅବଧି ଶେଷ ହେବା ପରେ ଆବଶ୍ୟକ କାଗଜପତ୍ର ପ୍ରସ୍ତୁତ କରି ସେମାନେ ଚଳିତ ବର୍ଷ ଜାନୁଆରି ମାସରେ ଉକ୍ତ ମୋବାଇଲ୍‌ ଟାୱାର୍‌କୁ ସମ୍ପୂର୍ଣ୍ଣରୂପେ ଖୋଲି ନେଇଥିଲେ। ଏ ସଂକ୍ରାନ୍ତରେ ପୁଲିସ ସମସ୍ତ ରେକର୍ଡ ଓ ପ୍ରମାଣ ସଂଗ୍ରହ କରିଛନ୍ତି। କିନ୍ତୁ, ଉକ୍ତ କମ୍ପାନିର ଟେକ୍ନିସିଆନ୍‌ ରାଜେଶ କୁମାର ଯାଦବ କାହିଁକି ଘଟଣାର ୮ ମାସ ପରେ ଅନ୍‌ଲାଇନ୍‌ ‘ଏଫ୍‌ଆଇଆର୍‌’ ଫାଇଲ କଲେ, ତାହା ରହସ୍ୟମୟ ଲାଗୁଛି ବୋଲି ପୁଲିସ କହିଛି। ଅନ୍‌ଲାଇନ୍‌ ଅଭିଯୋଗରେ ଯାଦବ କହିଛନ୍ତି, ୨୦୨୩ ମାର୍ଚ ୩୧ ତାରିଖରେ ସେ ‘ଇନ୍‌ସ୍‌ପେକ୍ସନ୍‌’ ନିମନ୍ତେ ଘଟଣାସ୍ଥଳକୁ ଯାଇ ଦେଖିଲେ, ସେଠାରେ ଅନ୍ୟାନ୍ୟ ସାମଗ୍ରୀ ସହିତ ଟାୱାର୍‌ର ଚିହ୍ନବର୍ଣ୍ଣ ନାହିଁ। ନଭେମ୍ବର ୨୯ ତାରିଖରେ ଅନ୍‌ଲାଇନ୍‌ ଅଭିଯୋଗ କରିଥିବା ଯାଦବଙ୍କୁ ଖୋଜି ଖୋଜି ପୁଲିସ ପ୍ରତାପଗଡ଼ସ୍ଥିତ ତାଙ୍କ ବାସଭବନରେ ପହଞ୍ଚିଥିଲା, କିନ୍ତୁ ସେ ଘରେ ନ ଥିଲେ।

Spread the love