ଫିଲିପାଇନ୍ସରେ ୭.୫ ତୀବ୍ରତାର ଭୂମିକମ୍ପ, ସୁନାମୀ ସତର୍କତା ଜାରି

ମାନିଲା: ଦକ୍ଷିଣ-ପୂର୍ବ ଏସୀୟ ରାଷ୍ଟ୍ର ଫିଲିପାଇନ୍ସରେ ଶନିବାର ଏକ ବଡ଼ ଭୂମିକମ୍ପ ଆସିଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୭.୫ ଥିବା କୁହାଯାଉଛି । ଏହାର ପ୍ରଭାବରେ ସମୁଦ୍ରରେ ସୁନାମୀ ଆସିବାର ଆଶଙ୍କା କରାଯାଉଛି ଓ ଏହାକୁ ଦେଖି ସତର୍କତା ଜାରି କରାଯାଇଛି ।
ଆମେରିକାର ସୁନାମୀ ସତର୍କତା ବ୍ୟବସ୍ଥା ପକ୍ଷରୁ ସୁନାମୀ ସତର୍କତା ଜାରି କରାଯାଇଛି । ଏହି ସୁନାମୀ ଫିଲିପାଇନ୍ସ ଓ ଜାପାନକୁ ପ୍ରଭାବିତ କରିବାର ଆଶଙ୍କା ରହିଛି । ୟୁରୋପୀୟ-ମେଡିଟେରିଆନ୍ ସିସ୍ମୋଲୋଜିକାଲ ସେଣ୍ଟର (ଇଏମ୍ଏସସି) କହିଛି ଯେ ଫିଲିପାଇନ୍ସର ମିଣ୍ଡାନାଓ ନିକଟରେ ୬୩ କିଲୋମିଟର ଗଭୀରତାରେ ୭.୫ ତୀବ୍ରତାର ଭୂମିକମ୍ପ ହୋଇଛି ଏବଂ ଖୁବଶୀଘ୍ର ଫିଲିପାଇନ୍ସ ଏବଂ ଜାପାନରେ ସୁନାମି ଆସିବାର ସମ୍ଭାବନା ରହିଛି। ଫିଲିପାଇନ୍ସ ଭୂକମ୍ପ ବିଜ୍ଞାନ ଏଜେନ୍ସି ପିଏଚଆଇଭୋଲକ୍ସ କହିଛି ଯେ ଫିଲିପାଇନ୍ସରେ ସୁନାମି ଲହରୀ ସ୍ଥାନୀୟ ସମୟ ମଧ୍ୟରାତ୍ରିରେ ପହଞ୍ଚିପାରେ ଏବଂ ତାହା ଘଣ୍ଟା ଘଣ୍ଟା ଧରି ଜାରି ରହିପାରେ ।

ଏନଏଚକେ କହିଛି ଯେ ଜାପାନର ପଶ୍ଚିମ ଉପକୂଳରେ ରବିବାର ଦିନ ୧ଟା ୩୦ ମିନିଟ୍ ପର୍ଯ୍ୟନ୍ତ ଏକ ମିଟର (୩ ଫୁଟ) ଉଚ୍ଚତା ପର୍ଯ୍ୟନ୍ତ ସୁନାମି ଲହରୀ ଆସିବାର ସମ୍ଭାବନା ରହିଛି। ୟୁଏସ୍ ଜିଓଲୋଜିକାଲ ସର୍ଭେ କହିଛି ଯେ ଏହି ଭୂମିକମ୍ପର ତୀବ୍ରତା ୭.୬ ଏବଂ ଗଭୀରତା ୩୨ କିଲୋମିଟର (୨୦ ମାଇଲ) ଏବଂ ଏହା ରାତି ୧୦ଟା ୩୭ ମିନିଟରେ ହୋଇଥିଲା। ନ୍ୟୁଜ୍ ଏଜେନ୍ସି ରଏଟର୍ସ ପକ୍ଷରୁ ଏହି ସୂଚନା ମିଳିଛି।

Spread the love