ଏଫ୍‌ଡି ଭାଙ୍ଗି ଠିକା ସଂସ୍ଥାଙ୍କ ଅର୍ଥ ଭରଣା ପ୍ରସଙ୍ଗ: ୧୦ ବ୍ୟାଙ୍କ୍‌ରେ ବିଏମ୍‌ସିର ୮୪ ଖାତା, ୧୧ ଅଚଳ

ଭୁବନେଶ୍ୱର: ସଫେଇ ପାଇଁ ଠିକା ନେଇଥିବା ସଂସ୍ଥାମାନଙ୍କର ‘ଏସ୍କାଲେସନ ଫି’ ବାବଦକୁ ୧୦୦ କୋଟିରୁ ଊର୍ଦ୍ଧ୍ବ ବକେୟା ରାଶି ପୈଠ କରିବା ପାଇଁ ଫିକ୍ସଡ୍‌ ଡିପୋଜିଟ୍‌ ଭାଙ୍ଗିବା ପ୍ରସଙ୍ଗର ତନାଘନା ହୋଇଛି। କର୍ପୋରେସନ ବୈଠକରେ କେତେକ କର୍ପୋରେଟର ‘ସମ୍ବାଦ’ରେ ପ୍ରକାଶ ପାଇଥିବା ଖବରକୁ ନେଇ ହୋହଲ୍ଲା କରିବା ପରେ ଏଫ୍‌ଡି ଭଙ୍ଗା ନିଷ୍ପତ୍ତି ସ୍ଥଗିତ ରହିଛି। କିନ୍ତୁ କେଉଁଠି କେତେ ଟଙ୍କା ଅଛି, ତାହାର ହିସାବ କର୍ପୋରେଟରମାନେ ମାଗିବାରୁ ମେୟର ଓ କମିସନର ଉଭୟ ଥତମତ ହୋଇଥିଲେ। ଦାୟିତ୍ବରେ ଥିବା କର୍ମଚାରୀମାନେ ମଧ୍ୟ ଏ ନେଇ ସ୍ପଷ୍ଟ ଉତ୍ତର ରଖିପାରି ନଥିଲେ। ଫଳରେ ଅପ୍ରୀତିକର ପରିସ୍ଥିତି ହୋଇଥିଲା। ଶେଷରେ ଏହି ଆକାଉଣ୍ଟସ୍‌ ବିଭାଗର ସମୀକ୍ଷା କରିବା ପାଇଁ ନିଷ୍ପତ୍ତି ହୋଇଥିଲା। ଖୁବ୍‌ଶୀଘ୍ର ଏହି ସମୀକ୍ଷା ହେବାକୁ ଯାଉଛି। ତେବେ ତା’ ପୂର୍ବରୁ ଯେଉଁ ପ୍ରାଥମିକ ସୂଚନା ମିଳିଛି, ତାହା ଚକିତ କରିଦେବା ଭଳି। ବିଏମ୍‌ସିର ଝାଳବୁହା ଧନ କୁହାଯାଉଥିବା ରାଜସ୍ବ ସବୁକୁ ଭୁବନେଶ୍ବରରେ ଥିବା ୧୦ଟି ବ୍ୟାଙ୍କରେ ରଖାଯାଇଛି। ଏହି ୧୦ଟି ବ୍ୟାଙ୍କ‌ରେ ବିଏମ୍‌ସିର ୮୪ଟି ଖାତା ରହିଛି। ସେଥିମଧ୍ୟରୁ ଦୀର୍ଘ ଦିନ ହେବ କାରବାର ହୋଇନଥିବା କାରଣରୁ ୧୧ଟି ଅଚଳ ରହିଛି। ବାକି ୭୩ଟି କାର୍ଯ୍ୟକ୍ଷମ ରହିଛି। ଏହା ଭିତରୁ ଅଧିକାଂଶ ଘରୋଇ ବ୍ୟାଙ୍କ। କେବଳ ସରକାରୀ ବ୍ୟାଙ୍କରେ ସରକାରୀ ଅର୍ଥ ରଖିବା ପାଇଁ ନିର୍ଦ୍ଦେଶ ଥିଲେ ମଧ୍ୟ ଏ ଘରୋଇ ବ୍ୟାଙ୍କ ପ୍ରୀତିକୁ ନେଇ ଚର୍ଚ୍ଚା ଜୋର ଧରିଛି।

ପୂର୍ବରୁ ୧୦ ପ୍ୟାକେଜ୍‌ ବିଶିଷ୍ଟ ସଫେଇ ଟେଣ୍ଡରରେ ‘ଏସ୍କାଲେସନ ଫି’ ବ୍ୟବସ୍ଥା ରହିଥିଲା। କିନ୍ତୁ ବିଏମ୍‌ସି ଏହି ଅର୍ଥ ଦେଉନଥିଲା। ଚୁକ୍ତିନାମା ଆଧାରରେ ଏସ୍କାଲେସନ ଫି’ ଦିଆଯାଉନଥିବାରୁ ଠିକା ସଂସ୍ଥା ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲା। ଆଇନ ଅନୁଯାୟୀ ୩ ମାସ ମଧ୍ୟରେ ନିଷ୍ପତ୍ତି ନେବାକୁ ହାଇକୋର୍ଟ ବିଏମ୍‌ସିକୁ ଆଦେଶ ଦେବା ପରେ ଚିନ୍ତା ବଢ଼ିଥିଲା। ଏଣୁ ସ୍ଥାୟୀ ଜମା ଭାଙ୍ଗି ଏହି ଅର୍ଥ ଭରଣା କରିବାକୁ ବିଏମ୍‌ସି ଯୋଜନା କରିଥିଲା। ଜାଗୃତି ୩୫ କୋଟି ୬୬ ଲକ୍ଷ ୦୪ ହଜାର ୨୨୧ଟଙ୍କା ପାଇବାକୁ ଥିବା ବେଳେ ରାମ୍‌କି ୫୬କୋଟି ୧୭ ଲକ୍ଷ ୯୫ ହଜାର ୮୧୬ ଟଙ୍କାର ବିଲ୍‌ ଦେଇଥିଲା। ଏଭଳି ଦୁଇଟି ସଂସ୍ଥାଙ୍କୁ ବିଏମ୍‌ସି ଏଫ୍‌ଡି ଭାଙ୍ଗି ୧୦୦ କୋଟି ‌ଦେବାକୁ ବାବୁମାନେ ଯୋଜନା କରିଥିଲେ। କିନ୍ତୁ ‘ସମ୍ବାଦ’ରେ ଖବର ପ୍ରକାଶ ପାଇବା ପରେ କର୍ପୋରେସନ ବୈଠକରେ ତନାଘନା ହୋଇଥିଲା। ଶେରେ ନିଷ୍ପତ୍ତି ସ୍ଥଗିତ ରହିଥିଲା। କିନ୍ତୁ ବିଏମ୍‌ସିର ପଇସା କେତେ ଓ କିଭଳି କାରବାର ହେଉଛି ତାହାର ସମୀକ୍ଷା କରିବାକୁ ନିଷ୍ପତ୍ତି ହୋଇଥିଲା।

୧୦ ବ୍ୟାଙ୍କ୍‌ରେ ୮୪ ଖାତା ପ୍ରସଙ୍ଗ ସାମ୍ନାକୁ ଆସିବା ପରେ ପ୍ରସଙ୍ଗରେ ନୂଆ ମୋଡ଼ ଆସିଛି। ଅଧିକ ସୁଧ ଲୋଭରେ ଘରୋଇ ବ୍ୟାଙ୍କ୍‌ରେ ସରକାରୀ ରାଜସ୍ବ ଜମା କରାଯାଇଥିବା ଅଭିଯୋଗ ହୋଇଛି। ମୋଟା ଅଙ୍କର ଅର୍ଥ ଜମା ହେଉଥିବାରୁ ବ୍ୟାଙ୍କର ଲାଭ ଥାଏ। ଏଣୁ ବ୍ୟାଙ୍କ ପକ୍ଷରୁ ନିଜ ବ୍ୟାଙ୍କରେ ଅର୍ଥ ଜମା କରିବାକୁ ବିଏମ୍‌ସି ଅଧିକାରୀମାନଙ୍କୁ ପ୍ରଲୋଭିତ କରାଯାଇଥାଏ। ଅଧିକା ଖାତା ଖୋଲିଲେ, ମୋଟା ଅଙ୍କର ଅର୍ଥରେ ଏଫ୍‌ଡି ଖୋଲିଲେ, ଏଭଳି ବିଭିନ୍ନ ବର୍ଗର ଜମାକୁ ନେଇ ଅଧିକାରୀମାନଙ୍କୁ ବ୍ୟାଙ୍କ ପକ୍ଷରୁ ଲାଭବାନ କରାଯାଏ। ଏଣୁ ଅଧିକାରୀମାନେ ଅର୍ଥ ଲୋଭରେ ଏଭଳି ଘରୋଇ ବ୍ୟାଙ୍କରେ ଖାତା ଖୋଲି ସରକାରୀ ଅର୍ଥ ଜମା କରିଥାନ୍ତି। ଏଥିରୁ ମିଳୁଥିବା ସୁଧରେ ମଧ୍ୟ ହେରଫେର ହେଉଥିବା ବିଭିନ୍ନ ସମୟରେ ଅଭିଯୋଗ ହୋଇଥାଏ ଓ ଅଡିଟ୍‌ ମଧ୍ୟ ଆପତ୍ତି ଉଠାଇଥା’ନ୍ତି। ବିଭିନ୍ନ ସ୍କିମ୍‌ରେ ଥିବା ଅର୍ଥ କାରବାର ପାଇଁ ଭିନ୍ନ ଭିନ୍ନ ଆକାଉଣ୍ଟର ଆବଶ୍ୟକତା ପଡ଼ିଥାଏ। ସେହି ଆଧାରରେ ଏହିସବୁ ଆକାଉଣ୍ଟ ଖୋଲା ଯାଇଥିବା ବିଏମ୍‌ସି କହିଛି।

ତେବେ କେଉଁ ଖାତାରେ କେତେ ଅର୍ଥ ଅଛି? କେଉଁ ପରିସ୍ଥିତିରେ ଘରୋଇ ବ୍ୟାଙ୍କ୍‌ରେ ଅର୍ଥ ଜମା ରଖାଯାଇଛି? ତା’ଦ୍ବାରା ବିଏମ୍‌ସି କେତେ ଲାଭବାନ୍‌ ହୋଇଛି? ଯେତେସବୁ ସୁଧ ଆସିଛି ତାହା ବିଏମ୍‌ସିକୁ ଆସିଛି କି ନାହିଁ? ଏ ସବୁର ଉତ୍ତର ସମୀକ୍ଷା ହେବା ପରେ ଜଣାପଡ଼ିବ ବୋଲି ସୂଚନା ମିଳିଛି। କିନ୍ତୁ ଏହି ସମୀକ୍ଷା ହେଲେ କେତେକ ଅଧିକାରୀଙ୍କ କଳା କାରନାମା ପଦାରେ ପଡ଼ିଯିବା ଆଶଙ୍କା ଥିବାରୁ ସମୀକ୍ଷା ଯେଭଳି ହେବନାହିଁ ସେ ନେଇ ଉଦ୍ୟମ ହେଉଥିବା ଏକ ବିଶ୍ବସ୍ତ ସୂତ୍ରରୁ ଜଣାପଡ଼ିଛି।

Spread the love