ଭାଷଣରେ ଭିନ୍ନକ୍ଷମ ସଶକ୍ତୀକରଣ, ସହାୟତା ଅପେକ୍ଷାରେ ଅର୍ଦ୍ଧାଧିକ ଭିନ୍ନକ୍ଷମ

ଖୋର୍ଦ୍ଧା: ଜିଲ୍ଲାରେ ଆଜି ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ ସହ ବିଭିନ୍ନ ସମାଜିକ ଅନୁଷ୍ଠାନ ପକ୍ଷରୁ ଭିନ୍ନକ୍ଷମ ଦିବସ ପାଳିତ ହୋଇଯାଇଛି। ମଞ୍ଚରେ ବସି ଅତିଥିମାନେ ଭିନ୍ନକ୍ଷମଙ୍କ ସଶକ୍ତୀକରଣ ଓ ସାମାଜିକ ଅଧିକାର ପାଇଁଅନେକ ଭାଷଣ ଦେଇଛନ୍ତି, କିନ୍ତୁ ସ୍ଥଳ ବିଶେ‌ଷରେ ଭିନ୍ନକ୍ଷମଙ୍କ ସହଯୋଗ ପ୍ରତି ପ୍ରଶାସନର ଏହି ଆଗ୍ରହ ଦେଖିବାକୁ ମିଳୁନାହିଁ। ରାଜ୍ୟସରକାରଙ୍କ ତଥ୍ୟାନୁସାରେ ହିଁ ରାଜ୍ୟ ରାଜଧାନୀର ଜିଲ୍ଲା ଖୋର୍ଦ୍ଧାରେ ଚିହ୍ନଟହୋଇଥିବା ଭିନ୍ନକ୍ଷମଙ୍କ ନିକଟରେ ସରକାରୀ ସହାୟତା ପହଞ୍ଚିବା ଦୂରରେ ଥାଉ ଅର୍ଦ୍ଧାଧିକଙ୍କୁ ଏଯାଏଁ ପରିଚୟପତ୍ର ମିଳିପାରିନାହିଁ।

୨୦୧୧ ଜନଗଣନା ଅନୁସାରେ ଖୋର୍ଦ୍ଧା ଜିଲ୍ଲାରେ ୬୩ ହଜାର ୯୪୯ଜଣ ଭିନ୍ନକ୍ଷମ ଅଛନ୍ତି। କେନ୍ଦ୍ର ସରକାରଙ୍କ ପକ୍ଷରୁ ସ୍ବାବଲମ୍ବନ କାର୍ଡ (ୟୁନିକ୍‌ ଡିଜାବିଲିଟି ଆଇଡି) ପ୍ରଦାନ କରାଯାଇଥିବା ଭିନ୍ନକ୍ଷମଙ୍କ ସଂଖ୍ୟା ୨୭, ୩୪୭। ଏମାନଙ୍କ ମଧ୍ୟରେ ଏସିଡ୍‌ ପୀଡ଼ିତ, ଦୃଷ୍ଟିହୀନ, ଦୃଷ୍ଟିବାଧିତ, ଶୃତିଶକ୍ତି ହୀନ, ସିକଲସେଲ୍‌ ରୋଗୀ, ଦୀର୍ଘ ସ୍ନାୟବିକ ରୋଗୀ, ହେମୋଫିଲା, ଚଳତଶକ୍ତି ବାଧିତ, ମାନସିକ ଅନଗ୍ରସର ଆଦି ଅଛନ୍ତି। ଅର୍ଥାତ୍‌ କେନ୍ଦ୍ର ସରକାରଙ୍କ ତଥ୍ୟାନୁସାରେ, ବର୍ତମାନ ସୁଦ୍ଧା ମୋଟ ଭିନ୍ନକ୍ଷମଙ୍କ ମଧ୍ୟରୁ ୩୫ ହଜାରରୁ ଉର୍ଦ୍ଧ୍ବ କେନ୍ଦ୍ର ସରକାରଙ୍କ ପରିଚୟ ପତ୍ର ପାଇପାରିନାହାନ୍ତି। ଯଦି ରାଜ୍ୟସରକାରଙ୍କ ତଥ୍ୟକୁ ଅନୁଶୀଳନ କରାଯାଏ ତେବେ ଏହି ସଂଖ୍ୟା ଆହୁରି ନୈରାଶ୍ୟଜନକ ଅଟେ।

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗର ଜିଲ୍ଲାରେ ଚାଲୁଥିବା ଭିନ୍ନକ୍ଷମ ସହାୟତା ଯୋଜନାର ସଦ୍ୟତମ ସବିଶେଷ ତଥ୍ୟ ୩ ବର୍ଷର ପୁରୁଣା। ଏଥିରୁ ଭିନ୍ନକ୍ଷମଙ୍କ ବିକାଶ ଓ ସେମାନଙ୍କୁ ସାମାଜର ମୁଖ୍ୟସ୍ରୋତରେ ଯୋଡ଼ିବାର ପ୍ରାଶାସନିକ ଆନ୍ତରିକତା ସହଜରେ ଜଣାପଡ଼େ। ୨୦୧୯-୨୦ ତଥ୍ୟାନୁସାରେ, ଜିଲ୍ଲାରେ ୧୭ ୮୭୭ଜଣ ଭିନ୍ନକ୍ଷମଙ୍କ ପଞ୍ଜୀକରଣ ହୋଇଥିବା ବେଳେ ପ୍ରାୟ ୬ହଜାର ଜଣଙ୍କୁ ପ୍ରମାଣପତ୍ର ବଣ୍ଟନ କରାଯାଇଛି। ୨୦୨୧-୨୨ରେ ଜିଲ୍ଳାରେ ୬୯୨ ଭିନ୍ନକ୍ଷମ ଶିଶୁଙ୍କୁ ଚିହ୍ନଟ କରାଯାଇଥିଲା।

ଚଳିତ ବର୍ଷ ମାର୍ଚ୍ଚ ମାସରେ ପ୍ରାୟ ୨ ବର୍ଷ ବ୍ୟବଧାନରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଭିନ୍ନକ୍ଷମଙ୍କୁ ଆର୍ଥିକ ସ୍ବାବଲମ୍ବନ କରିବାକୁ ଋଣ ମେଳା ଆୟୋଜିତ ହୋଇଥିଲା। ଏଥିରେ ୧୦ଟି ବ୍ଲକ, ୫ ପୌରାଞ୍ଚଳର ୩୨୨ଟି ଆବେଦନରୁ ୨୦୪ଜଣଙ୍କୁ ଡିଆର୍‌ଆଇ ଋଣ ପ୍ରଦାନ କରାଯାଇଥିଲା। ଅର୍ଥାତ୍‌ ଜିଲ୍ଲାରେ ଥିବା ଦୁଇଟି ଧନ୍ଦାମୂଳକ ଶିକ୍ଷାକେନ୍ଦ୍ରର ୪ଶହରୁ ଉର୍ଦ୍ଧ୍ବ ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୬୦ ଭାଗ ଋଣ ପାଇଁଆବେଦନ କରୁଥିବା ବେଳେ ସେଥିରୁ ୬୦ ଭାଗଙ୍କୁ ଏଥିପାଇଁ ସହାୟତା ପ୍ରଦାନ କରାଯାଉଛି। ସେହିଭଳି, ଜିଲ୍ଲାରେ ପାଠ ପଢ଼ିବା ପାଇଁ ବାଣିଶ୍ରୀ ବୃତ୍ତି ପାଇଁ ୧୪୬୭ଜଣ ଭିନ୍ନକ୍ଷମ ଆବେଦନ କରିଥିବା ବେଳେ ୨୦୨୦-୨୧ ସୁଦ୍ଧା ୬୦୫ଜଣଙ୍କୁ ସହାୟତା ପ୍ରଦାନ କରାଯାଇଛି।

ସୂଚନାଯୋଗ୍ୟ ଖୋର୍ଦ୍ଧାରେ ଭିନ୍ନକ୍ଷମ ଓ ମାନସିକ ଅନଗ୍ରସରଙ୍କ ନିମନ୍ତେ କେନ୍ଦ୍ର ସରକାରଙ୍କ ୮ଟି ସ୍ବତନ୍ତ୍ର ବିଦ୍ୟାଳୟ ରହିଛି। ଏଥିରେ ୪୩୧ଜଣ ପ୍ରଶିକ୍ଷଣ/ଶିକ୍ଷା ଗ୍ରହଣ କରୁଛନ୍ତି। ସେହିଭଳି ରାଜ୍ୟସରକାର ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ଅଧୀନରେ ୧୧ଟି ବିଦ୍ୟାଳୟ ଓମହାବିଦ୍ୟାଳୟ ରହିଛି। ଏଥିରେ ୮୫୧ଜଣ ପ୍ରଶିକ୍ଷଣ/ଶିକ୍ଷା ନେଉଛନ୍ତି। ଭିନ୍ନକ୍ଷମଙ୍କୁ ଧନ୍ଦାମୂଳକ ଶିକ୍ଷା ପ୍ରଦାନ କରିବା ପାଇଁ ସରକାରଙ୍କ ପକ୍ଷରୁ ଭୁବନେଶ୍ବରର ପୋଖରିପୁଟ, ଜଟଣୀରେ ୨୦୧୯ରେ ଦୁଇଟି ପ୍ରଶିକ୍ଷଣ କେନ୍ଦ୍ର ଓ ଆଇଟିଆଇ ସ୍ଥାପିତ ହୋଇଥିଲା। ବର୍ତମାନ ଏହି ଦୁଇଟି ଅନୁଷ୍ଠାନରେ ଯଥାକ୍ରମେ ୩୪୮ ଓ ୯୬ଜଣ ପ୍ରଶିକ୍ଷଣ ନେଉଛନ୍ତି।

Spread the love