ସେମିଫାଇନାଲ୍‌ରେ ବାଜିମାତ୍‌: ୧ ଲକ୍ଷ ୪୯୭୪ ଭୋଟ ବ୍ୟବଧାନରେ ଜିତିଲେ ଶିବରାଜ

ନୂଆଦିଲ୍ଲୀ: ସେମିଫାଇନାଲରେ ୩-୧ରେ ବାଜି ମାରିଛି ବିଜେପି। ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନରେ ବିଜେପିର ମହାବିଜୟ ସହ ୩ ରାଜ୍ୟରେ ମୋଦୀ ମ୍ୟାଜିକ୍‌ କାମ କରିଛି। ମଧ୍ୟପ୍ରଦେଶର ୨୩୦ ଆସନ ମଧ୍ୟରୁ ବିଜେପି ୧୬୨ଟି ଆସନରେ ଜିତିଛି। ଅନ୍ୟପକ୍ଷରେ କଂଗ୍ରେସକୁ ୬୭ଟି ଆସନ ମିଳିଛି। ଅନ୍ୟମାନଙ୍କୁ ଗୋଟିଏ ଆସନ ମିଳଛି। ବିଜେପି ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଦଳର ବରିଷ୍ଠ ନେତାମାନଙ୍କୁ ପ୍ରାର୍ଥୀ କରିଥିଲା। ୩ ଜଣ କେନ୍ଦ୍ରମନ୍ତ୍ରୀ ଯଥା ନରେନ୍ଦ୍ର ସିଂ ତୋମର, ପ୍ରହଲ୍ଲାଦ ପଟେଲ ଏବଂ ଫଗନ ସିଂହ କୁଲସ୍ତେଙ୍କ ସମେତ ଦଳର ସାଧାରଣ ସଂପାଦକ କୈଳାସ ବିଜୟବର୍ଗୀୟ ଏବଂ ଲୋକସଭାର ୪ ଜଣ ସାଂସଦ ରାକେଶ ସିଂହ, ଉଦୟ ପ୍ରତାମ ସିଂହ, ଗ‌ଣେଶ ସିଂହ ଏବଂ ରିତି ପାଠକଙ୍କୁ ନିର୍ବାଚନ ମଇଦାନକୁ ଓହ୍ଲାଇଥିଲା। ବିଜେପିର ବିପୁଳ ବିଜୟ ପରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଓ ରାଜ୍ୟ ବିଜେପି ମୁଖ୍ୟ ଭିଡି ଶର୍ମାଙ୍କୁ ମିଠା ଖୁଆଇଛନ୍ତି। ମୁଖ୍ୟମନ୍ତ୍ରୀ ଶବିରାଜ ‘ଲାଡ୍‌ଲି ବେହନା ଯୋଜନା’ ଉପରେ ଅଧିକ ମାତ୍ରାରେ ନିର୍ଭରଶୀଳ ଥିଲେ। ଉକ୍ତ ଯୋଜନାରେ ଯୋଗ୍ୟ ଗରିବ ମହିଳାଙ୍କୁ ମାସିକ ୧୨୫୦ ଟଙ୍କା ପ୍ରଦାନ କରାଯାଉଛି। ତେଣୁ ବିଜେପି ପାଇଁ ଏହି ଯୋଜନା ବେଶ୍‌ ଉପଯୋଗୀ ସାବ୍ୟସ୍ତ ହୋଇଛି।

୨ କେନ୍ଦ୍ରମନ୍ତ୍ରୀ ଜିତିଲେ, ଜଣେ ହାରିଲେ
ମଧ୍ୟପ୍ରଦେଶରେ ବିଜେପି ୩ ଜଣ କେନ୍ଦ୍ରମନ୍ତ୍ରୀଙ୍କୁ ପ୍ରାର୍ଥୀ କରିଥିଲା। ସେମାନଙ୍କ ମଧ୍ୟରୁ ୨ ଜଣ ବିଜୟୀ ହୋଇଥିବାବେଳେ ଜଣେ ପରାଜିତ ହୋଇଛନ୍ତି। କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂ ତୋମର ଦିମାନି ନିର୍ବାଚନ ମଣ୍ଡଳୀରୁ ଏବଂ ପ୍ରହଲ୍ଲାଦ ପଟେଲ ନରସିଂହପୁର ଆସନରୁ ବିଜୟୀ ହୋଇଛନ୍ତି। ଅନ୍ୟପକ୍ଷରେ କେନ୍ଦ୍ରମନ୍ତ୍ରୀ ଫଗନ ସିଂହ କୁଲସ୍ତେ ନିୱାସ ଆସନରୁ କଂଗ୍ରେସ ପାର୍ଥୀ ଚେନ୍‌ସିଂହ ୱାର୍କାଡେଙ୍କ ଠାରୁ ୯୭୨୩ ଖଣ୍ଡ ଭୋଟରେ ହାରି ଯାଇଛନ୍ତି। ୱାର୍କାଡେ ୯୯,୬୪୪ ଭୋଟ ପାଇଥିବାବେଳେ କୁଲସ୍ତେ ୮୯୯୨୧ ଖଣ୍ଡ ଭୋଟ ପାଇଛନ୍ତି। ଜବଲପୁର ସାଂସଦ ରାକେଶ ସିଂହ ଜବଲପୁର ପଶ୍ଚିମ ବିଧାନସଭା ଆସନରୁ ୩୦ ହଜାରରୁ ଅଧିକ ଭୋଟ ବ୍ୟବଧାନରେ ଜିତିଛନ୍ତି। ହୋସଙ୍ଗାବାଦ ସାଂସଦ ଉଦୟ ପ୍ରତାପ ସିଂହ ଗଦରୱାରା ବିଧାନସଭା ଆସନରୁ ୫୬,୫୨୯ ଭୋଟ ବ୍ୟବଧାନରେ ଜିତିଛନ୍ତି। ସିଦ୍ଧି ସାଂସଦ ରିତି ପାଠକ ସିଦ୍ଧି ବିଧାନସଭା ଆସନରୁ ବିଜୟୀ ହୋଇଛନ୍ତି।

ବି‌ଜେପିକୁ ୪୯.୯ ପ୍ରତିଶତ ଭୋଟ
ମଧ୍ୟପ୍ରଦେଶରେ ବିଜେପିକୁ ଚଳିତ ନିର୍ବାଚନରେ ସର୍ବାଧିକ ୪୯.୯ ପ୍ରତିଶତ ଭୋଟ ମିଳିଛି। ଦଳକୁ ୨୦୧୮ରେ ୪୧.୬ ପ୍ରତିଶତ ଭୋଟ ମିଳିଥିଲା। ତେଣୁ ଗତ ନିର୍ବାଚନ ତୁଳନାରେ ଏଥର ବିଜେପିକୁ ଅଧିକ ୮.୯୧ ପ୍ରତିଶତ ଭୋଟ ମିଳିଛି। କଂଗ୍ରେସକୁ ଚଳିତ ଥର ୪୦.୪ ପ୍ରତିଶତ ଭୋଟ ମିଳିଛି। ୨୦୧୮ ତୁଳନାରେ ଏହା ୦.୪୭ ପ୍ରତିଶତ କବ। ସେହିଭଳି ବିଏସ୍‌ପିକୁ ୪ ପ୍ରତିଶତ ଏବଂ ଅନ୍ୟମାନଙ୍କୁ ୫.୭ ପ୍ରତିଶତ ଭୋଟ ମିଳିଛି।

୧ ଲକ୍ଷ ୪୯୭୪ ଭୋଟ ବ୍ୟବଧାନରେ ଜିତିଲେ ଶିବରାଜ
ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ତାଙ୍କ ପାରମ୍ପରିକ ଆସନ ବୁଧନିରୁ ବିପୁଳ ଭୋଟରେ ବିଜୟୀ ହୋଇଛନ୍ତି। ସେ ତାଙ୍କ ନିକଟତମ ପ୍ରତିଦ୍ବନ୍ଦ୍ବୀ କଂଗ୍ରେସର ବିକ୍ରମ ମସ୍ତଲଙ୍କୁ ୧ ଲକ୍ଷ ୪୯୭୪ ଖଣ୍ଡ ଭୋଟ ବ୍ୟବଧାନରେ ପରାଜିତ କରିଛନ୍ତି। ତାଙ୍କୁ ୧ ଲକ୍ଷ ୬୪ ହଜାର ୯୫୧ ଭୋଟ ମିଳିଥିବାବେଳେ ବିକ୍ରମଙ୍କୁ ୫୯ ହଜାର ୯୭୭ ଖଣ୍ଡ ଭୋଟ ମିଳିଛି।

କମଳନାଥ ବିଜୟୀ
ପୂର୍ବତନ ମୁଖ୍ୟମନ୍ତ୍ରୀ କମଳନାଥ ଛିନ୍ଦୱାଡ଼ା ଆସନରୁ ବିଜେପିର ବିବେକ ବଣ୍ଟି ସାହୁଙ୍କୁ ୩୦ ହଜାରରୁ ଅଧିକ ଭୋଟରେ ହରାଇଛନ୍ତି।

ବିଜେପିର ବିଜୟ ପଛରେ ୫ଟି ବଡ଼ କାରଣ
ଭୋପାଳ, ୩/୧୨: ମଧ୍ୟପ୍ରଦେଶରେ ବିଜେପିର ବିଜୟ ପଛରେ ୫ଟି ବଡ଼ କାରଣ ରହିଥିବା ଚର୍ଚ୍ଚା ହେଉଛି। ସେଗୁଡ଼ିକ ମଧ୍ୟରୁ ପ୍ରଥମଟି ହେଲା ମୋଦୀ କୈନ୍ଦ୍ରିକ ପ୍ରଚାର। ମୋଦୀ କେ ମନ୍‌ ମେଁ ‌ଏମ୍‌ପି, ଏମ୍‌ପି କେ ମନ୍‌ ମେଁ ମୋଦୀ’ ପ୍ରଚାର ବିଜେପି ନେତାମାନେ କରିଥିଲେ। ପ୍ରଧାନମନ୍ତ୍ରୀ ରାଜ୍ୟରେ ୧୪ଟି ରାଲି କରି ଲୋକଙ୍କ ମଧ୍ୟରେ ବିଶ୍ବାସ ଜନ୍ମାଇଥିଲେ ଯେ ତାଙ୍କ ହୃଦୟରେ ମଧ୍ୟପ୍ରଦେଶ ପାଇଁ ସ୍ବତନ୍ତ୍ର ସ୍ଥାନ ରହିଛି। ଦ୍ବିତୀୟଟି ହେଲା ଲାଡ୍‌ଲି ବେହନା ଏବଂ କିଷାନ ସମ୍ମାନ ନିଧି ଭଳି ଜନମଙ୍ଗଳ ଯୋଜନା। ନଭେମ୍ବର ମାସରେ ଏହି ଯୋଜନାର ହିତାଧିକାରୀମାନେ ଯଥାକ୍ରମେ ୧୨୫୦ ଟଙ୍କା ଏବଂ ୧୦ ହଜାର ଟଙ୍କା ପାଇଛନ୍ତି। ଏହା ବିଜେପି ସରକାର ଉପରେ ସେମାନଙ୍କ ଆସ୍ଥା ବଢ଼ାଇଥିଲା। ତୃତୀୟ କାରଣ ହେଲା ବିଜେପି କ୍ଷମତାକୁ ଆସିଲେ ଡବଲ ଇଞ୍ଜିନ ସରକାର ଜରିଆରେ ରାଜ୍ୟର ବିକାଶ ଅଧିକ ତ୍ବରାନ୍ବିତ ହେବ। ଚତୁର୍ଥ କାରଣ ହେଲା ତୃଣମୂଳ ସ୍ତରରେ କଂଗ୍ରେସର ପ୍ରଚାର ପ୍ରାୟତଃ ଅଦୃଶ୍ୟ ରହିବା। କଂଗ୍ରେସର ପ୍ରଚାର ମୁଖ୍ୟତଃ ସାମାଜିକ ଗଣମାଧ୍ୟମ କୈନ୍ଦ୍ରିକ ରହିଥିଲା। ପଞ୍ଚମ କାରଣ ହେଲା କଂଗ୍ରେସ ତୁଳନାରେ ବିଜେପି ନିର୍ବାଚନୀ ରଣନୀତି ଆଗୁଆ ପ୍ରସ୍ତୁତ କରିବା ସହିତ ଆଗୁଆ ପ୍ରାର୍ଥୀ ଘୋଷଣା।

Spread the love