ଚେନ୍ନାଇ ଉବୁଟୁବୁ, ଆଗକୁ ଡଜ‌ନେ ସହର ବୁଡ଼ିପାରେ

ନୂଆଦିଲ୍ଲୀ: ନିକଟରେ ଚେନ୍ନାଇରେ ସାମୁଦ୍ରିକ ଝଡ଼ ‘ମିଗଜୋମ’ ଯୋଗୁଁ ସୃଷ୍ଟି ହୋଇଥିବା ବନ୍ୟା ଜଳବାୟୁଜନିତ ବିପର୍ଯ୍ୟୟ ଦ୍ବାରା ଭାରତୀୟ ସହରଗୁଡ଼ିକ ପ୍ରଭାବିତ ହେବାର ଆଶଙ୍କାକୁ ପୁଣି ଥରେ ସାମନାକୁ ଆଣିଛି। ଡିସେମ୍ବର ୪ ସୁଦ୍ଧା ୪୮ ଘଣ୍ଟା ମଧ୍ୟରେ ୪୦ ସେଣ୍ଟିମିଟରରୁ ଅଧିକ ବର୍ଷା ଚେନ୍ନାଇ ସହରକୁ ଜଳମଗ୍ନ କରିଦେଇଥିଲା। ଆନ୍ଧ୍ରପ୍ରଦେଶ ଓ ତାମିଲନାଡୁରେ ସାମୁଦ୍ରିକ ଝଡ଼ ‘ମିଗଜୋମ’ରେ ଏକ ଡଜନରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଆବାସିକ କୋଠାଗୁଡ଼ିକ ଜଳମଗ୍ନ ହେବା ସହ ଜଳମଗ୍ନ ରାସ୍ତାରେ କାର୍‌ଗୁଡ଼ିକ ପାଣିସୁଅରେ ଭାସି ଯାଉଥିବାର ଦେଖିବାକୁ ମିଳିଛି।

ଚେନ୍ନାଇରେ ବନ୍ୟା ହେବା ନୂଆକଥା ନୁହେଁ; ଉତ୍ତର-ପୂର୍ବ ମୌସୁମୀଜନିତ ପ୍ରବଳ ବର୍ଷା ଯୋଗୁଁ ୨୦୧୫ରେ ଏହି ସହର ଐତିହାସିକ ବନ୍ୟାରେ ବୁଡ଼ି ଯାଇଥିଲା। ଏହା ତ୍ରୁଟିପୂର୍ଣ୍ଣ ସହରାଞ୍ଚଳ ଯୋଜନା ଏବଂ ଦୁର୍ବଳ ସଂସ୍ଥାଗତ କ୍ଷମତାକୁ ସୂଚାଇଥିଲା। ପ୍ରବଳ ବୃଷ୍ଟିପାତ, ପର୍ଯ୍ୟାପ୍ତ ଜଳ ନିଷ୍କାସନ ବ୍ୟବସ୍ଥାର ଅଭାବ ଏବଂ ଜଳନିଷ୍କାସନ କରିବାରେ ନଦୀଗୁଡିକର ଅକ୍ଷମତା ଏହାର ମୁଖ୍ୟ କାରଣ। ସହରୀକରଣ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବା ସହ ମୁଖ୍ୟ ଜଳାଶୟ ଏବଂ ପରିବେଶ ସମ୍ବେଦନଶୀଳ ଅଞ୍ଚଳ ଉପରେ ଜବରଦଖଲ ପରିସ୍ଥିତିକୁ ଆହୁରି ଗମ୍ଭୀର କରିଥାଏ। ତେବେ କେବଳ ଚେନ୍ନାଇ ନୁହେଁ, କୋଲକାତା ଓ ମୁମ୍ବାଇ ପରି ପ୍ରାୟ ଏକ ଡଜନ ମହାନଗରୀ ପ୍ରତି ସମୁଦ୍ରପତ୍ତନ ବୃଦ୍ଧି, ଗ୍ରୀଷ୍ମମଣ୍ଡଳୀୟ ବାତ୍ୟା ଓ ନଦୀକୂଳ ବନ୍ୟା ଭଳି ବିପଦ ରହିଛି। ଏହି ଘନ ଜନବହୁଳ ମହାନଗରୀଗୁଡ଼ିକରେ ଜଳବାୟୁ ପରିବର୍ତ୍ତନର ପ୍ରଭାବ ଦେଖିବାକୁ ମିଳୁଛି।

୨୦୨୧ରେ ଜଳବାୟୁ ପରିବର୍ତ୍ତନ ଉପରେ ଆନ୍ତଃସରକାରୀ ପ୍ୟାନେଲ (ଆଇପିସିସି)ର ଏକ ରିପୋର୍ଟରେ ଭାରତ ପାଇଁ ଚେତାବନୀ ଦିଆଯାଇଥିଲା। ଶତାବ୍ଦୀ ଶେଷ ସୁଦ୍ଧା ମୁମ୍ବାଇ, ଚେନ୍ନାଇ, କୋଚି ଏବଂ ବିଶାଖାପାଟଣା ସମେତ ଏକ ଡଜନ ଭାରତୀୟ ସହର ଜଳମଗ୍ନ ହୋଇପାରେ। ବନ୍ୟା ଆଶଙ୍କା କେବଳ ଉପକୂଳବର୍ତ୍ତୀ ସହରମାନଙ୍କ ପାଇଁ ନୁହେଁ। ବିହାର, ହିମାଚଳ ପ୍ରଦେଶ ଓ ଉତ୍ତରାଖଣ୍ଡର ସହରଗୁଡ଼ିକ ମୌସୁମୀ ଜନିତ ବନ୍ୟା ଓ ଭୂସ୍ଖଳନର ଶିକାର ହୋଇଛନ୍ତି। ଦିଲ୍ଲୀରେ ମଧ୍ୟ ଚଳିତ ବର୍ଷ ପ୍ରାରମ୍ଭରେ ପ୍ରବଳ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା।

Spread the love