ଜାନୁଆରି ୨୬ରେ ‘ଫାଇଟର୍’, ଆକାଶରେ ଦେଖିବାକୁ ମିଳିବ ହ୍ରିତ୍ବିକ୍‌ଙ୍କ ଅଭୂତପୂର୍ବ ଆକସନ୍‌

ମୁମ୍ବାଇ:  ଏ ଖବରର ଶୀର୍ଷକକୁ ଦେଖି ପାଠକେ ଦ୍ବନ୍ଦ୍ବରେ ପଡୁଛନ୍ତି କି? ପଡ଼ନ୍ତୁନି! ଇଏ ହେଉଛି ଆସନ୍ତା ବର୍ଷ ସାଧାରଣତନ୍ତ୍ର ଦିବସ, ଅର୍ଥାତ୍ ୨୦୨୪ ଜାନୁଆରି ୨୬ ତାରିଖରେ ରିଲିଜ୍ ହେବାକୁ ଯାଉଥିବା ଫିଲ୍ମ ‘ଫାଇଟର୍‌’ର କ୍ୟାପସନ୍‌ ବା ଟ୍ୟାଗ୍‌ ଲାଇନ୍‌। ଏଥିରୁ ସହଜରେ ଅନୁମାନ କରା ଯାଇପାରେ ଯେ ‘ଫାଇଟର୍‌’ ଦେଶପ୍ରେମର କାହାଣୀକୁ ନେଇ ତିଆରି ହୋଇଛି। ଏ ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ହ୍ରିତ୍ବିକ୍ ରୋଶନ, ଦୀପିକା ପାଦୁକୋନ୍ ଓ ଅନୀଲ କପୁର। ଏମାନେ ସମସ୍ତେ ଭାରତୀୟ ବାୟୁସେନା ଅଫିସର, ଅନ୍ୟ ଶବ୍ଦରେ, ଫାଇଟର୍‌ ଜେଟ୍‌ ପାଇଲଟ୍‌ ଭୂମିକାରେ ଅଛନ୍ତି। ବାୟୁସେନାର କାହାଣୀକୁ ନେଇ ‘ଫାଇଟର୍’ ବଲିଉଡ୍‌ର ପ୍ରଥମ ଫିଲ୍ମ ବୋଲି କୁହା ଯାଇଛି। ଏହାର ନିର୍ଦ୍ଦେଶନା ଦେଇଛନ୍ତି ‘ପଠାନ୍’ର ପ୍ରଶଂସିତ ନିର୍ଦ୍ଦେଶକ ସିଦ୍ଧାର୍ଥ ଆନନ୍ଦ। କାହାଣୀ ଅନୁସାରେ ‘ଫାଇଟର୍‌’ରେ ବିମାନ ଯୁଦ୍ଧର ଚିତ୍ର ବହୁ ପରିମାଣରେ ରହିଛି। ସେଥିରେ ଏମିତି ଆକ୍ସନ ଦୃଶ୍ୟ ଅଛି, ଯାହା ବଲିଉଡ୍‌ର କୌଣସି ଫିଲ୍ମରେ ଦର୍ଶକେ ପୂର୍ବରୁ ଦେଖିନାହାନ୍ତି ବୋଲି ଚର୍ଚ୍ଚା ହେଉଛି । ଏ ଫିଲ୍ମ ପାଇଁ ହ୍ରିତ୍ବିକ୍‌ ରୋଶନ ଖୁବ୍ ପରିଶ୍ରମ କରିଛନ୍ତି, ବହୁ ସମୟ ଦେଇଛନ୍ତି। ବହୁ ବିପଜ୍ଜନକ ଆକ୍ସନ ଦୃଶ୍ୟରେ ଅଭିନୟ କରିବାବେଳେ ଆହତ ମଧ୍ୟ ହୋଇଛନ୍ତି। ତାଙ୍କ ପରିଶ୍ରମର କେତେ ମୂଲ୍ୟ ମିଳୁଛି, ‘ଫାଇଟର୍‌’ ରିଲିଜ୍ ପରେ ଜଣା ପଡ଼ିବ।

Spread the love