ବିଜେଡିର ରାଜ୍ୟ କାର୍ଯ୍ୟକାରିଣୀରେ ନବୀନଙ୍କ କଠୋର ଆଭିମୁଖ୍ୟ: ବିରୋଧୀ ସହିପାରୁନାହାନ୍ତି

ଭୁବନେଶ୍ବର: ସମ‌ସ୍ତେ କହୁଛନ୍ତି ବିଜେଡି ସର୍ବାଧିକ ସଫଳ ଆଞ୍ଚଳିକ ଦଳ। କିନ୍ତୁ ବାସ୍ତବରେ ଏହା ଦେଶର ସର୍ବାଧିକ ସଫଳ ସାମାଜିକ-ଆର୍ଥିକ ଆନ୍ଦୋଳନ। ଆଜି ବିଜେଡିର ପରିବର୍ଦ୍ଧିତ ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ଅଧ୍ୟକ୍ଷତା କରି ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା କହିଛନ୍ତି। ଶଙ୍ଖ ଭବନରେ ଆୟୋଜିତ ଏହି ବୈଠକରେ ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେଡି ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନେବାକୁ ଘୋଷଣା କରିଛି। ତୃଣମୂଳ ସ୍ତରରେ ରାଜ୍ୟ ସରକାରଙ୍କ ଲୋକାଭିମୁଖୀ ଯୋଜନାର ପ୍ରଚାର, ପ୍ରସାର ସହ ପୁରୁଣା ଦାବିକୁ ଉଠାଇ କେନ୍ଦ୍ର ସରକାରଙ୍କୁ ଘେରିବାକୁ ଦଳ ରଣନୀତି ପ୍ରସ୍ତୁତ କରିଛି। ନିଜେ ସଭାପତି ଶ୍ରୀ ପଟ୍ଟନାୟକ ବିରୋଧୀଙ୍କୁ ଟାର୍ଗେଟ୍‌ କରି କହିଛନ୍ତି, ଇତିହାସ କେବେ ଏତେ ବଡ଼ ରୂପାନ୍ତର ଦେଖି ନଥିଲା। ମଠ ମନ୍ଦିର ହେଉ, ବା ସ୍କୁଲ୍‌, କଲେଜ, ହସ୍ପିଟାଲ୍‌, ଜଳସେଚନ ସୁବିଧା ସବୁ କ୍ଷେତ୍ରରେ ଓଡ଼ିଶା ରୂପାନ୍ତରକୁ ଦେଶ ଦେଖୁଛି। କିନ୍ତୁ ଏହି ରୂପାନ୍ତର ବିରୋଧୀଙ୍କୁ ଆଘାତ ଦେଉଛି। ତେଣୁ ସେମାନେ ସବୁବେଳେ ମିଛ ପ୍ରଚାର କରିବେ। ସେମାନଙ୍କ ପାଖରେ କିଛି ପ୍ରସଙ୍ଗ ନଥିବାରୁ ଅପପ୍ରଚାର କରିବା ପାଇଁ ଚେଷ୍ଟା କରିବେ। ତୃଣମୂଳ ସ୍ତରରୁ ଏହାର ଦୃଢ଼ ମୁକାବିଲା କରିବାକୁ ସେ କର୍ମୀମାନଙ୍କୁ ଆହ୍ବାନ ଦେଇଛନ୍ତି। ଏହା ବି ସିଧାସଳଖ ଜଣାଇଦେଇଛନ୍ତି ଯେ ସାମାଜିକ ଗଣମାଧ୍ୟମରେ ବିରୋଧୀଙ୍କ ଅପପ୍ରଚାରକୁ ବିରୋଧ କରିବାକୁ ହେବ। ତାହା ସହିତ ଆମର ବିକାଶର ବାର୍ତ୍ତାକୁ ଘରେ ଘରେ ପହଞ୍ଚାଇବାକୁ ହେବ। ଓଡ଼ିଶାବାସୀ ଜାଣିଛନ୍ତି, ହଜାରେ ମିଛ କେବେ ସତ ହେବ ନାହିଁ । ଘରେ ଘରେ ଶଙ୍ଖ ବାଜିବ ଏବଂ ସତ୍ୟର ବିଜୟ ହେବ ବୋଲି ସେ ଜୋର୍‌ ଦେଇଥିଲେ।

ଶ୍ରୀ ପଟ୍ଟନାୟକ କହିଲେ, ବିଜେଡିର ମୂଳ ମନ୍ତ୍ର ହେଉଛି ସେବା। ବିଜୁ ବାବୁଙ୍କ ଆଦର୍ଶରେ ଆମେ ସବୁବେଳେ ସେବା ମନୋଭାବ ନେଇ କାମ କରିଚାଲିଛୁ। ଏଥି ପାଇଁ ଓଡ଼ିଶାବାସୀ ଆମକୁ ଆଶୀର୍ବାଦ ଦେଇଛନ୍ତି। ଲୋକଙ୍କ ଆଶୀର୍ବାଦ ସହ ବହୁତ ବଡ଼ ଦାୟିତ୍ବ ବି ରହିଛି। ଏହି ଦାୟିତ୍ବକୁ ଠିକ୍ ଭାବେ ପାଳନ କରିବା ପାଇଁ ତୃଣମୂଳ ସ୍ତରରୁ ଆମର କର୍ମୀ ଓ ଆମର ବିଭିନ୍ନ ସ୍ତରର ନେତାମାନେ ନିଷ୍ଠାର ସହ କାମ କରୁଛନ୍ତି। ଓଡ଼ିଶାବାସୀ ଆମକୁ ଏତେ ବର୍ଷ ଧରି ସେବା କରିବାର ସୁଯୋଗ ଦେଇଥିବାରୁ ସେମାନଙ୍କ ନିକଟରେ ମୁଁ ଋଣୀ। ଆମ ଦଳ ମହିଳା ସଶକ୍ତୀକରଣରେ ବିଶ୍ବାସ କରେ। ସବୁବେଳେ ଆମେ ମା’ମାନଙ୍କ କଲ୍ୟାଣକୁ ପ୍ରାଥମିକତା ଦେଇ ଆସିଛୁ। ମହିଳା, ଛାତ୍ର ଓ ଯୁବଶକ୍ତି ସମସ୍ତଙ୍କ ପସନ୍ଦ ପାଲଟିଛି ବିଜୁ ଜନତା ଦଳ।

ବୈଠକ ଆରମ୍ଭରୁ ବିଭିନ୍ନ ଏଜେଣ୍ଡା ଉପରେ ଦଳର ବରିଷ୍ଠ ଉପ ସଭାପତି ପ୍ରସନ୍ନ ଆଚାର୍ଯ୍ୟଙ୍କ ଅଭିଭାଷଣ ରଖିଥିଲେ। ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ। ପ୍ରଥମେ ସାଂଗଠନିକ ପ୍ରସ୍ତାବ ଦଳର ବରିଷ୍ଠ ଉପସଭାପତି ଦେବୀ ପ୍ରସାଦ ମିଶ୍ର ଆଗତ କରିଥିଲେ। ବିଧାୟିକା ଲତିକା ପ୍ରଧାନଙ୍କର ସମର୍ଥନ ପରେ ଏହା ସର୍ବସମ୍ମତ କ୍ରମେ ପାରିତ ହୋଇଥିଲା। ମୋଟ୍‌ ୩୨ଟି ପ୍ରସ୍ତାବ ଆଲୋଚନା ହୋଇ ପାରିତ ହୋଇଥିଲା। ଉପସଭାପତି ଅନଙ୍ଗ ଉଦୟ ସିଂହଦେଓ ଧନ୍ୟବାଦ ଅର୍ପଣ କରିଥିଲେ। ଆମେ ଗଢ଼ିବା ନୂଆ ଓଡ଼ିଶା ଓ ସଶକ୍ତ ଓଡ଼ିଶା ଶପଥ ସହ ବୈଠକ ଶେଷ ହୋଇଥିଲା। ବିଧାୟକ ଦେବୀପ୍ରସାଦ ମିଶ୍ର, ସ୍ନେହାଙ୍ଗିନୀ ଛୁରିଆ ଓ ସାଂସଦ ମାନସ ମଙ୍ଗରାଜ ବୈଠକ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇଥିଲେ । ୨୦୦୦ ମସିହା ପରଠାରୁ ବିଭିନ୍ନ ନିର୍ବାଚନରେ ଲଗାତର ବିଜୟ ପାଇଁ ଓଡ଼ିଶାବାସୀଙ୍କୁ ଦଳ ପକ୍ଷରୁ କୃତଜ୍ଞତା ଜ୍ଞାପନ କରାଯାଇଥିଲା। ଜଗନ୍ନାଥ ସଂସ୍କୃତି ଓ ଚେତନାର ପ୍ରଚାର ପ୍ରସାର, ଅଭିନବ ଶ୍ରୀଜଗନ୍ନାଥ ପରିକ୍ରମା ପ୍ରକଳ୍ପର ରୂପାୟନ ପାଇଁ ତଥା ଓଡ଼ିଶାର ବିଭିନ୍ନ ଉପାସନା ପୀଠ ଓ ଐତିହ୍ୟର ପୁନରୁଦ୍ଧାର ପାଇଁ ନେଇଥିବା ପଦକ୍ଷେପ ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଥିଲା। ବିଜୁ ସ୍ବାସ୍ଥ୍ୟ କଲ୍ୟାଣ, ସାମାଜିକ ସୁରକ୍ଷା ଓ ଖାଦ୍ୟ ନିରାପତ୍ତା କାର୍ଯ୍ୟକ୍ରମ, ସ୍ବାସ୍ଥ୍ୟ ଭିତ୍ତିଭୂମିର ଦ୍ରୁତ ରୂପାନ୍ତର, ଶିଳ୍ପାୟନ, ପୁଞ୍ଜିନିବେଶ, ଆତ୍ମନିଯୁକ୍ତି ସୁଯୋଗର ସମ୍ପ୍ରସାରଣ, କ୍ରୀଡ଼ା ଭିତ୍ତିଭୂମିର ବିକାଶ, ଚାଷୀ ଓ ଚାଷର ଉନ୍ନତି, ଆର୍ଥିକ ପରିଚାଳନାରେ ସଫଳତା, ଅନୁସୂଚିତ ଜାତି ଓ ଜନଜାତିଙ୍କ ପାଇଁ ନିଆଯାଇଥିବା ପଦକ୍ଷେପ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇ ପ୍ରସ୍ତାବ ପାରିତ ହୋଇଥିଲା। ୫-ଟି ରୂପାନ୍ତରରେ ଲୋକାଭିମୁଖୀ ପ୍ରଶାସନ ସହିତ ଶିକ୍ଷାନୁଷ୍ଠାନରେ ରୂପାନ୍ତରୀକରଣ ପାଇଁ ପର୍ଯ୍ୟାପ୍ତ ଅର୍ଥ ମଞ୍ଜୁର କରାଯାଇଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ପ୍ରଦାନ କରାଯାଇଥିଲା।

ସାଂଗଠନିକ ପ୍ରସ୍ତାବରେ ଶଙ୍ଖ ଭବନରେ ପ୍ରତି ନିର୍ବାଚନମଣ୍ଡଳୀ ୱାରି ପ୍ରଶିକ୍ଷଣ ଓ ତା’ପରେ ଜୋନାଲ ପ୍ରଶିକ୍ଷଣ ପରବର୍ତୀ ପର୍ଯ୍ୟାୟରେ ଅନ୍ୟ କାର୍ଯ୍ୟକ୍ରମ କରାଯିବାକୁ ସ୍ଥିର ହୋଇଥିଲା। ପ୍ରତିଷ୍ଠା ଦିବସ ପରେ ଗୋଟିଏ ପକ୍ଷରେ ପଞ୍ଚାୟତ ସ୍ତରୀୟ ସମ୍ମିଳନୀ ଏବଂ ଜାନୁଆରୀ ୨୩ ନେତାଜୀ ଜୟନ୍ତୀ ଠାରୁ ବିଜୁ ଜୟନ୍ତୀ ମାର୍ଚ୍ଚ ୫ ଯାଏଁ ନବୀନ ସରକାରର ସଫଳତା ତଥା ବିକାଶର ଆଭିମୁଖ୍ୟ ତୃଣମୁଳ ସ୍ତରରେ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ଅଭିଯାନ ଆରମ୍ଭ କରାଯିବ। ସାଂଗଠନିକ ନିର୍ବାଚନକୁ ଗୋଟିଏ ବର୍ଷ ଘୁଞ୍ଚାଇବା ପାଇଁ ନିଷ୍ପତ୍ତି ହୋଇଥିଲା। ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଏପରିକି ସ୍ପେସାଲ ଫୋକସ୍‌ ରାଜ୍ୟର ମାନ୍ୟତା ପାଇଁ କେନ୍ଦ୍ର ନିକଟରେ ଓଡ଼ିଶାର ନ୍ୟାଯ୍ୟ ଦାବିକୁ ଜୋର୍‌ଦାର କରାଯିବ। ମହାନଦୀ ଓ ପୋଲାଭରମ୍‌ ପ୍ରସଙ୍ଗରେ କେନ୍ଦ୍ରର ନିରବତା ନେଇ ବୈଠକରେ ଉଦ୍‌ବେଗ ପ୍ରକାଶ ପାଇଥିଲା। ଏହା ବାଦ୍ କୋଇଲା ରୟାଲଟି, ସେସ୍ ପ୍ରଦାନ କ୍ଷେତ୍ରରେ ଓଡ଼ିଶାର ଦାବି ପୂରଣ ସହିତ ଜାତୀୟ ରାଜପଥ ଓ ରେଳବାଇ କ୍ଷେତ୍ରରେ ବିକାଶ କାର୍ଯ୍ୟ ତ୍ୱରାନିତ କରିବା, କେନ୍ଦୁପତ୍ର ତୋଳାଳିଙ୍କ ଉପରୁ ଜିଏସ୍‌ଟି ବୋଝ ଦୂର କରିବା ଓ ଖାଉଟି ସାମଗ୍ରୀ ଦର ବୃଦ୍ଧି ପ୍ରସଙ୍ଗରେ ଆଲୋଚନା କରାଯାଇ ଆବଶ୍ୟକ ପଦକ୍ଷେପ ନେବା ନିମନ୍ତେ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିବାକୁ ବୈଠକରେ ନିଷ୍ପତ୍ତି ହୋଇଥିଲା।

Spread the love