ରେଳ ଅଡିଟୋରିୟମଠାରେ ଆଜି କ୍ୟାରିୟର ମେଳା ଅନୁଷ୍ଠିତ

ଭାରତ ବିଶ୍ୱସ୍ତରରେ ଶିଳ୍ପ ଏବଂ ଏକାଡେମିକ୍ କ୍ଷେତ୍ରରେ ଉତ୍କର୍ଷତାର କେନ୍ଦ୍ର ଭାବରେ ଉଭା ହେଉଛି । ପ୍ରଗତି ହାସଲ କରିବା ପାଇଁ ଦେଶକୁ ପ୍ରଶିକ୍ଷିତ ମାନବ ସମ୍ବଳର ନିତାନ୍ତ ଆବଶ୍ୟକତା ରହିଛି । ପୂର୍ବେ ଶିକ୍ଷାର୍ଥୀମାନେ କେବଳ ଇଞ୍ଜିନିୟରିଂ, ମେଡିକାଲ ଏବଂ ଅନ୍ୟ କିଛି ବିଭାଗ ମଧ୍ୟରୁ ଗୋଟିଏକୁ ଚୟନ କରୁଥିଲେ ଯାହା ପାରମ୍ପରିକ ଥିଲା ଏବଂ ବିଶ୍ୱସ୍ତରରେ ପ୍ରତିଦ୍ୱନ୍ଦ୍ୱିତା କରିପାରୁନଥିଲା । କିନ୍ତୁ ଏବେ ଶିକ୍ଷା କ୍ଷେତ୍ରରେ ବିରାଟ ପରିବର୍ତନ ଆସିଛି ଏବଂ ନୂତନ ଶିକ୍ଷା ନୀତି, ଏନଇପି ୨୦୨୦ ପ୍ରଣୟନ ହୋଇଛି ଯାହା ଫଳରେ ଶିକ୍ଷାର୍ଥୀମାନେ ନିଜ ଆଗ୍ରହ ଓ ପସନ୍ଦ ଅନୁଯାୟୀ ବିଭାଗ ବାଛିବାର ସୁଯୋଗ ପାଉଛନ୍ତି । ତେବେ ସବୁଠାରୁ ଦ୍ୱନ୍ଦ୍ୱର ବିଷୟ ବସ୍ତୁ ହେଉଛି ଶିକ୍ଷାର୍ଥୀମାନେ କେଉଁ କ୍ୟାରିୟର ବାଛିବେ ଓ କେମିତି? ଓଡ଼ିଶାରେ କ୍ୟାରିୟର ମାର୍ଗଦର୍ଶନ କ୍ଷେତ୍ରରେ ଭୁବନେଶ୍ୱରସ୍ଥିତ କ୍ୟାରିୟର ମ୍ୟାପ୍ ଅଗ୍ରଣୀ ଭୂମିକା ଗ୍ରହଣ କରିଛି । ଏହି ସଂସ୍ଥା ୨୦ଲକ୍ଷରୁ ଅଧିକ ସ୍କୁଲ ଶିକ୍ଷାର୍ଥୀଙ୍କୁ କ୍ୟାରିୟର ମାର୍ଗଦର୍ଶନ ପ୍ରଦାନ କରିବା ସହ ୨୦ହଜାର ଇଞ୍ଜିନିୟରିଂ ଏବଂ ମ୍ୟାନେଜମେଂଟ ଛାତ୍ରଛାତ୍ରୀଙ୍କୁ ପ୍ରି-ପ୍ଲେସମେଂଟ ଟ୍ରେନିଂ ମଧ୍ୟ ପ୍ରଦାନ କରିଛି । ଏହି ସଂସ୍ଥା ୟୁନିସେଫର ସହ ଭାଗିଦାରୀତାରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ଥିବା ମାଧ୍ୟମିକ ଏବଂ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡିକରେ ମଧ୍ୟ କ୍ୟାରିୟର ମାର୍ଗଦର୍ଶନ ସେବା ପ୍ରଦାନ କରୁଛି । କ୍ୟାରିୟର ମ୍ୟାପ ଏହାର ନୂତନ ପ୍ରୋଜେକ୍ଟ “ପଥ ପ୍ରଦର୍ଶନ ୧.୦” କରିଛି ।
ପଥ ପ୍ରଦର୍ଶନ ୧.୦ ହେଉଛି ଏକ କ୍ୟାରିୟର ମେଳା, ଯାହା ଶିକ୍ଷାର୍ଥୀମାନଙ୍କୁ ବିଭିନ୍ନ କ୍ୟାରିୟର ବିକଳ୍ପ ଏବଂ ଆଦର୍ଶ ଶିକ୍ଷାଗତ ମାର୍ଗ ଅନୁସନ୍ଧାନ କରିବାରେ ମାର୍ଗଦର୍ଶନ କରିବା ଏହାର ଉଦ୍ଦେଶ୍ୟ ହେଉଛି ମନୋନୀତ ବିଭାଗ ମଧ୍ୟରେ ଚାକିରି ଏବଂ ଉଦ୍ୟୋଗୀ ସୁଯୋଗ ଉପରେ ଆଲୋକପାତ କରିବାରେ ସାହାଯ୍ୟ କରିବା । ପୂର୍ବତଟ ରେଳପଥ ମୁଖ୍ୟ କ୍ୱାର୍ଟର୍ସ ନିକଟରେ ଥିବା ରେଳ ଅଡିଟୋରିୟମ ଆଜି ସକାଳ ସାଢ଼େ ୮ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଏହି କ୍ୟାରିୟର ମେଳା ଅନୁଷ୍ଠିତ ହୋଇଯାଇଛି । ଉଦ୍‌ଘାଟନୀ ଉତ୍ସବରେ ଉଚ୍ଚମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ରଘୁରାମ ଆର ଆୟର, ୟୁନିସେଫ ଓଡ଼ିଶାର ଶିକ୍ଷା ପରାମର୍ଶଦାତା ଲଳିତା ପଟ୍ଟନାୟକ ଓ ଏକ୍ସଆଇଏମ ବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ବିକେ ବାହିନୀପତି ଯୋଗ ଦେଇଛନ୍ତି ।
ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଶିକ୍ଷାନୁଷ୍ଠାନ, ଆଇଆଇଟି, ଏମ୍ସ, ଇନଷ୍ଟିଚ୍ୟୁଟ ଅଫ ହୋଟେଲ ମ୍ୟାନେଜମେଂଟ, ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ଟ୍ରାଭେଲ ଆଣ୍ଡ ଟୁରିଜିମ୍ ମ୍ୟାନେଜମେଂଟ, ସରକାରୀ ବିମାନ ଚଳାଚଳ ପ୍ରଶିକ୍ଷଣ ଅନୁଷ୍ଠାନ, ଷ୍ଟାର୍ଟଅପ୍ ଓଡିଶା ଭଳି ପ୍ରମୁଖ ଅନୁଷ୍ଠାନ ଏବଂ ଅନ୍ୟ କ୍ୟାରିୟର ବଶେଷଜ୍ଞମାନେ ଯୋଗ ଦେଇଛନ୍ତି ।
କୃଷି, ସ୍ଥାପତ୍ୟ, ବାୟୋ ଟକ୍ନୋଲୋଜି, ଇଞ୍ଜିନିୟରିଂ, ମେଡିକାଲ, ପାରା ମେଡିକାଲ, ବାଣିଜ୍ୟିକ ପାଇଲଟ୍‌, ପ୍ରତିରକ୍ଷା, ଆଇନ, ମାନବିକତା, କମ୍ପାନିି ସଚିବ, ଚାଟାର୍ଡ ଆକାଉଟାଂଟ୍‌, ୱାର୍ଲ୍ଡ ସ୍କିଲ୍ ସେଂଟର, ମ୍ୟାନେଜମେଂଟ ଇନ୍‌ଷ୍ଟିଚ୍ୟୁଟ୍ ଏବଂ ଅନ୍ୟାନ୍ୟ ବିଭାଗର କ୍ୟାରିୟର ବିଶେଷଜ୍ଞମାନେ ଆସୁଥିବା ଛାତ୍ରଛାତ୍ରୀଙ୍କୁ କ୍ୟାରିୟର ମାର୍ଗଦର୍ଶନ ପ୍ରଦାନ କରିବେ ।

Spread the love