ଶୋଷ ମେଣ୍ଟାଉଛି ଗୋଳିଆ ପାଣି

ରାଉରକେଲାରେ ବ୍ୟାପୁଛି ଝାଡ଼ାବାନ୍ତି । ୯ଟି ମୂଲ୍ୟବାନ ଜୀବନ ଚାଲିଗଲାଣି । ରୋଗ ପାଣି ଯୋଗୁଁ ବ୍ୟାପୁଛି କି ନାହିଁ, ତାକୁ ନେଇ ଚାଲିଛି ତନାଘନା । ତା’ରି ଭିତରେ ଏମିତି ଏକ ଚିତ୍ର ଆମ ପାଖରେ ପହଞ୍ଚିଛି, ଯାହାକୁ ଦେଖିଲେ ଆପଣ କହିବେ ଯେ ଏପାଣି କ’ଣ ମଣିଷ ପିଅନ୍ତି । କିନ୍ତୁ ସତରେ ଅପରିଷ୍କାର ପାଣି ଏଠାକାର ମଣିଷମାନେ ହିଁ ପିଉଛନ୍ତି ।

ରାଉରକେଲା ପାନପୋଷର ପାଞ୍ଚ ନମ୍ବର ୱାର୍ଡବାସୀଙ୍କ ଶୋଷ ମେଣ୍ଟାଉଛି ଗୋଳିଆ ପାଣି । ଟ୍ୟାପରେ ଗୋଳିଆ ପାଣି ଆସୁଛି । ଆଉ ଲୋକେ ବାଧ୍ୟ ହୋଇ ଏହି ପାଣିରେ ନିଜ ଶୋଷ ମେଂଟାଉଛନ୍ତି । ଯେଉଁମାନଙ୍କ ପାଖରେ ସମ୍ବଳ ଅଛି, ସେମାନେ ପ୍ରଥମେ ଏହାକୁ ଫିଲ୍ଟର କରିବା ପରେ ଗରମ କରି ପିଉଛନ୍ତି । ଆଉ ଯେଉଁମାନଙ୍କ ପାଖରେ ଏସବୁ ସୁବିଧା ନାହିଁ, ସେମାନେ ଏହି ଗୋଳିଆ ପାଣି ପିଉଛନ୍ତି । ସେପଟେ ଡାଇରିଆରେ ଆଜି ଆଉ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ଏହାକୁ ମିଶାଇ ଡାଇରିଆରେ ମୃତ୍ୟୁ ସଂଖ୍ୟା ୯ରେ ପହଞ୍ଚିଛି । ଏବେ ଜିଲ୍ଲାର ସରକାରୀ ହସ୍ପିଟାଲ ସମେତ ବିଭିନ୍ନ ଘରୋଇ ହସ୍ପିଟାଲରେ ଆକ୍ରାନ୍ତ ମାନେ ଭର୍ତି ହୋଇଛନ୍ତି । ସରକାରୀ ହସ୍ପିଟାଲରେ କେବଳ ୧୦୦ରୁ ଅଧିକ ଚିକିତ୍ସାଧୀନ ଥିବା ଜଣାପଡିଛି । ଦିନକୁ ଦିନକୁ ସ୍ଥିତି ବିଗୁଡ଼ୁଥିବାରୁ ସଂକ୍ରମଣ ରୋକିବାକୁ ତତ୍ପର ହୋଇଛି ଉଭୟ ଜିଲ୍ଲା ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗ ।

Spread the love