ରାଉରକେଲାରେ ଡାଇରିଆ ସଂକ୍ରମଣ ଘଟଣା: କେନ୍ଦ୍ରୀୟ ସଂସ୍ଥାର ସହଯୋଗ ନେବା ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପରାମର୍ଶ

ଭୁବନେଶ୍ୱର: ରାଉରକେଲାରେ ଡାଇରିଆ ସଂକ୍ରମଣ ଘଟଣାରେ ଚିନ୍ତା ପ୍ରକାଶ କରିବା ସହ ସଂକ୍ରମଣକୁ ରୋକିବା ପାଇଁ ତ୍ୱରିତ ପଦକ୍ଷେପ ସ୍ୱରୂପ କେନ୍ଦ୍ରୀୟ ସଂସ୍ଥାର ସହଯୋଗ ନେବା ପାଇଁ ଟ୍ୱିଟ୍ କରି କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ବିଭାଗ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଶ୍ରୀ ପ୍ରଧାନ କହିଛନ୍ତି ଯେ ରାଉରକେଲା ସହର ସହିତ ଆଖପାଖ ଅଞ୍ଚଳରେ ଗତ କିଛି ଦିନ ହେବ ଡାଇରିଆ ଲାଗି ରହିଥିବା କାରଣରୁ ଲୋକମାନେ ମୃତ୍ୟୁବରଣ କରିଥିବା ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ। ଅମର ଆତ୍ମାର ସଦଗତି କାମନା କରିବା ସହ ଆକ୍ରାନ୍ତଙ୍କ ଆଶୁ ଆରୋଗ୍ୟ କାମନା କରୁଛି। ଚିକିତ୍ସିତ ହେଉଥିବା ଲୋକମାନେ ଶୀଘ୍ର ସୁସ୍ଥ ହୋଇ ଘରକୁ ଫେରନ୍ତୁ, ଏହା ମହାପ୍ରଭୁଙ୍କ ପାଖରେ ପ୍ରାର୍ଥନା।

ରାଉରକେଲା ଭଳି ମହାନଗର ଅଞ୍ଚଳରେ ଡାଇରିଆ ସଂକ୍ରମଣରେ ଶତାଧିକ ଲୋକ ଆକ୍ରାନ୍ତ ହେବା ଓ ପ୍ରଶାସନର ନିୟନ୍ତ୍ରଣ ବାହାରକୁ ଚାଲିଥିବା ଚିନ୍ତାଜନକ। ରାଜ୍ୟ ସରକାର ତୁରନ୍ତ ଏହି ସମ୍ବେଦଶୀଳ ଘଟଣାକୁ ଗୁରୁତ୍ୱର ସହ ନେଇ ଚିକିତ୍ସିତ ହେଉଥିବା ଲୋକଙ୍କୁ ଉତ୍ତମ ସ୍ୱାସ୍ଥ୍ୟସେବା ପ୍ରଦାନ କରିବା ପାଇଁ ଆବଶ୍ୟକୀୟ ପଦକ୍ଷେପ ନିଅନ୍ତୁ। ସଂକ୍ରମିତ ଅଞ୍ଚଳରେ ଘର ଘର ବୁଲି ଲୋକମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ସଚେତନତା ସୃଷ୍ଟି କରାଯାଉ। ସଂକ୍ରମଣକୁ ରୋକିବା ପାଇଁ କେନ୍ଦ୍ରୀୟ ସଂସ୍ଥାର ସହଯୋଗ ନେବା ସହ ଉକ୍ତ ଅଞ୍ଚଳରେ ନାଗରିକଙ୍କୁ ଅତ୍ୟାବଶ୍ୟକ ସାହାଯ୍ୟ ଓ ସହଯୋଗ ଯୋଗାଇ ଦେବା ପାଇଁ ତ୍ୱରିତ ପଦକ୍ଷେପ ନିଅନ୍ତୁ ବୋଲି ଶ୍ରୀ ପ୍ରଧାନ ଏକ୍ସରେ ଉଲ୍ଲେଖ କରିଛନ୍ତି।

Spread the love